ପୁଣେ: ଭାରତ ମହାସାଗରର ଉତ୍ତାପ ସାଂଘାତିକ ଭାବେ ବୃଦ୍ଧି ପାଉଛି। ଏହାଦ୍ବାରା ଜଳବାୟୁ ଉପରେ ଭୀଷଣ ପ୍ରଭାବ ପଡ଼ିବ ବୋଲି ପୁଣେସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମିଟିଓରୋଲୋଜି (ଆଇଆଇଟିଏମ୍), ଅଷ୍ଟ୍ରେଲିଆର ସିଏସ୍ଆଇଆରଓ, ଆମେରିକାର ପ୍ରିନ୍ସଟନ ବିଶ୍ବବିଦ୍ୟାଳୟ, ଫ୍ରାନ୍ସର ସୋରବନ୍ ବିଶ୍ବବିଦ୍ୟାଳୟ ଓ ବର୍ନ ବିଶ୍ବବିଦ୍ୟାଳୟର ଏକ ମିଳିତ ଗବେଷଣା ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ବାୟୁମଣ୍ଡଳକୁ ଅନିୟନ୍ତ୍ରିତ କାର୍ବନ୍ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ)ର ନିର୍ଗମନ ଏହି ଉତ୍ତାପ ବୃଦ୍ଧିର ପ୍ରମୁଖ କାରଣ। ଏଭଳି ଉତ୍ତାପ ବୃଦ୍ଧି ଦ୍ବାରା ସମୁଦ୍ର ପତ୍ତନର ବୃଦ୍ଧି ସହିତ ପାଣିପାଗରେ ଅବିଶ୍ବସନୀୟ ପରିବର୍ତ୍ତନ ଆସିବ। ଗବେଷଣାରେ ସାମିଲ ହୋଇଥିବା ଆଇଆଇଟିଏମ୍ର ପରିବେଶ ବିଜ୍ଞାନୀ ଡ ରକ୍ସି ମାଥ୍ୟୁ କୋଲ୍ କହିଛନ୍ତି ଯେ ୧୯୫୦ରୁ ୨୦୨୦ ମଧ୍ୟରେ ଭାରତ ମହାସାଗରର ତାପମାତ୍ରା ୧.୨ ଡିଗ୍ରି ସେଲ୍ସିୟସ ବୃଦ୍ଧି ଘଟିଛି। ସାଂପ୍ରତିକ ଅଙ୍ଗାରକାମ୍ଳ ନିର୍ଗମନ ଯଦି ଅପରିବର୍ତ୍ତିତ ରହେ ତେବେ ଏହି ତାପମାତ୍ରା ୨୧୦୦ ବେଳକୁ ୧.୭ ଡିଗ୍ରିରୁ ୩.୮ ଡିଗ୍ରି ସେଲ୍ସିୟସ ବୃଦ୍ଧି ପାଇବ। ବର୍ତ୍ତମାନ ସାମୁଦ୍ରିକ ତାପ ଲହର ବର୍ଷକୁ ୨୦ ଦିନ ରହୁଛି, ଶତାବ୍ଦୀ ଶେଷ ବେଳକୁ ଏହା ବର୍ଷକୁ ୨୨୦ରୁ ୨୫୦ ଦିନ ବୃଦ୍ଧି ପାଇବ।
ଭାରତ ମହାସାଗରରେ ଦ୍ରୁତ ତାପମାତ୍ରା କେବଳ ପୃଷ୍ଠଭାଗରେ ସୀମିତ ନାହିଁ। ପୃଷ୍ଠରୁ ୨୦୦୦ ମିଟର ଗଭୀରତା ପର୍ଯ୍ୟନ୍ତ ଭାରତ ମହାସାଗରର ଉତ୍ତାପ ପରିମାଣ ବର୍ତ୍ତମାନ ପ୍ରତି ଦଶନ୍ଧିରେ ୪.୫ ଜେଟା-ଜୁଲ୍ ହାରରେ ବୃଦ୍ଧି ପାଉଛି ଏବଂ ଭବିଷ୍ୟତରେ ପ୍ରତି ଦଶନ୍ଧିରେ ୧୬-୨୨ ଜେଟା-ଜୁଲ୍ ହାରରେ ବୃଦ୍ଧି ପାଇବ ବୋଲି ଏହି ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ଏକ ଜେଟା ଜୁଲ୍ର ପରିମାଣ ୨୩୯ ବିଲିୟନ ଟନ୍ ଟିଏନ୍ଟି ବିସ୍ଫୋରଣରୁ ସୃଷ୍ଟି ହେଉଥିବା ଉତ୍ତାପ ସହ ସମାନ ଅଟେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/ffhhffhhfsfhh.jpg)