ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ: ଗୃହ ଅଚଳ

ସଂସଦରେ ହାଇଡ୍ରାମା; ସୋନିଆ-ସ୍ମୃତି କଥା କଟାକଟି

ନୂଆଦିଲ୍ଲୀ : ଲୋକସଭା ସାଂସଦ ଅଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପାଇଁ ଗୁରୁବାର ଦିନ ସଂସଦରେ ହାଇଡ୍ରାମା ହୋଇଛି। ଅଧୀରଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀ ପାଇଁ ବଡ଼ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। କଂଗ୍ରେସ ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରୁଛି ବୋଲି ବିଜେପି ଅଭିଯୋଗ କରିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦମାନେ ଲୋକସଭାରେ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋନିଆଙ୍କଠାରୁ କ୍ଷମା ଦାବି କରିଛନ୍ତି।

ସୋନିଆ କ୍ଷମା ନମାଗି ଧମକ ଦେଉଛନ୍ତି: ନିର୍ମଳା

ଅନ୍ୟପକ୍ଷରେ ଅଧୀରଙ୍କର ଏହି ଟିପ୍ପଣୀକୁ ନେଇ ସୋନିଆ ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମୁହାଁମୁହିଁ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପାଇଁ ସୋନିଆ କ୍ଷମା ପ୍ରାର୍ଥନା କରିବାକୁ ଦାବିକରି ବିଜେପି ସାଂସଦମାନେ ଆଜି ଲୋକସଭାରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ଏହାପରେ ସୋନିଆ ବିଜେପି ସାଂସଦ ରମା ଦେବୀଙ୍କ ନିକଟକୁ ଯାଇଥିଲେ। ସୋନିଆ ରମା ଦେବୀଙ୍କୁ କହିଥିଲେ, ଅଧୀର ତାଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗି ସାରିଛନ୍ତି ଏବଂ ଏହି ମାମଲାରେ ତାଙ୍କୁ କାହିଁକି ଟଣାଯାଉଛି। ଏହି ସମୟରେ ସ୍ମୃତି ଇରାନୀ ହସ୍ତକ୍ଷେପ କରିଥିଲେ। ସ୍ମୃତିଙ୍କ ବିରୋଧକୁ ସୋନିଆ ପ୍ରଥ‌ମେ ଅଣଦେଖା କରିଥିଲେ। କିନ୍ତୁ ସ୍ମୃତି ଇରାନୀ ପୁଣିଥରେ କହିଥିଲେ ‘ ମ୍ୟାଡାମ , ମେ ଆଇ ହେଲ୍‌ପ ୟୁ’। ସ୍ମୃତି କହିଥିଲେ ମ୍ୟାଡାମ୍‌, ମୁଁ ଆପଣଙ୍କ ନାଁ ନେଇଛି। ଏହାର ଜବାବ ଦେଇ ସୋନିଆ କହିଥିଲେ, ‘ ‌‌ଡୋଣ୍ଟ୍‌ ଟକ୍‌ ଟୁ ମି’ (ମୋ ସହ କଥା ହୁଅନାହିଁ)। ଜଣେ କଂଗ୍ରେସ ନେତାଙ୍କ ଅନୁଯାୟୀ ସୋନିଆ ସ୍ମୃତିଙ୍କୁ ୨ ଥର କହିଥିଲେ ଯେ ସେ ତାଙ୍କ ସହ କଥା ହେବାକୁ ଚାହୁନାହାନ୍ତି। ସୋନିଆଙ୍କୁ ଟଣାଓଟରା କରାଯାଇଛି ବୋଲି କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଟିଏମ୍‌ସି ସାଂସଦ ମହୁଆ ମଇତ୍ର, ଅପରୂପା ପୋଦାର, ସୁପ୍ରିୟା ସୁ‌ଲେ ବିଜେପି ସାଂସଦଙ୍କ ଭିଡ଼ ମଧ୍ୟରୁ ସୋନିଆଙ୍କୁ ସୁରକ୍ଷିତ ଭାବେ ନେଇ ଯାଇଥିଲେ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ମହୁଆ ମଇତ୍ର କହିଛନ୍ତି, ଏହା ସୋ‌ନିଆଙ୍କ ଉପରେ ଏକ ସଂଗଠିତ ଆକ୍ରମଣ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପରେ ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ ଉଦ୍‌ବୋଧନ ଦେଇ ସୋନିଆଙ୍କୁ ସମାଲୋଚନା କରିଛନ୍ତି। ସୋନିଆ ବିଜେପି ସଦସ୍ୟଙ୍କ ସହ ଧମକପୂର୍ଣ୍ଣ କଣ୍ଠରେ କଥା ହୋଇଛନ୍ତି ବୋଲି ନିର୍ମଳା ଅଭିଯୋଗ କରିଛନ୍ତି। ସୋନିଆ ତାଙ୍କ ସହ କଥା ନହେବାପାଇଁ ବିଜେପି ସଦସ୍ୟଙ୍କୁ ତାଗିଦ୍‌ କରିଥିଲେ । କ୍ଷମା ମାଗିବା ବଦଳରେ ସୋନିଆ ଧମକଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି। ଲୋକସଭାରେ କଂଗ୍ରେସର ନେତା ଭାବେ ଅଧୀରଙ୍କୁ ସୋନିଆ ଗାନ୍ଧି ନିଯୁକ୍ତି ଦେଇଥିବାରୁ ଅଧୀରଙ୍କ ବିରୋଧରେ ସେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଜେପି ସାଂସଦମାନେ ଜୋରଦାର ଦାବି କରିଛନ୍ତି।

ଉକ୍ତ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏଆଇସିସି ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ଆଜି ଲୋକସଭାରେ ସ୍ମୃତି ଇରାନୀଙ୍କ ବ୍ୟବହାର ଅତ୍ୟନ୍ତ ଅପମାନଜନକ ଥିଲା। କିନ୍ତୁ ବାଚସ୍ପତି ତାଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ? ନିୟମ ‌କ’ଣ କେବଳ ବିରୋଧୀଙ୍କ ପାଇଁ ବୋଲି ଜୟରାମ ରମେଶ ପ୍ରଶ୍ନ କରିଛନ୍ତି।

ଅଧୀରଙ୍କ ପାଇଁ ବିଧାନସଭା ଅସ୍ଥିର, ୪ ମିନିଟ୍‌ରେ ସରିଗଲା ବିଧାନସଭା ପ୍ରଥମାର୍ଦ୍ଧ

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧନ କରିବାକୁ ନେଇ ବିଜେପି ଦେଶବ୍ୟାପୀ ତୀବ୍ର ପ୍ରତିବାଦ କରିଛି। ଆଜି ଏହାର ପ୍ରତିଫଳନ ବିଧାନସଭାରେ ବି ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ କଂଗ୍ରେସ ବିରୋଧରେ ନାରାବାଜି କରି ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ। ରାଷ୍ଟ୍ରମୁଖ୍ୟଙ୍କ ପ୍ରତି କଂଗ୍ରେସ ସାଂସଦଙ୍କ ଏପରି ମନ୍ତବ୍ୟ ନିନ୍ଦନୀୟ ବୋଲି କହିଥିଲେ। ପ୍ଲାକାର୍ଡ ଦେଖାଇ ସାଂସଦ ଓ କଂଗ୍ରେସ ଦଳ ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ସହ ବିଜେପି ବିଧାୟକମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ। ତେବେ ସେମାନଙ୍କ ନାରାବାଜି ବନ୍ଦ ନ ହେବାରୁ ମାତ୍ର ଚାରି ମିନିଟ୍ ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖିଲେ। ଫଳରେ ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ହୋଇପାରି ନଥିଲା।

ସମ୍ବନ୍ଧିତ ଖବର