ଚୀନ୍‌ ମୁକାବିଲା ପାଇଁ ହାଇଦ୍ରାବାଦ ଟିକା ହିଁ କ୍ବାଡ୍‌ର ମୁଖ୍ୟ ଅସ୍ତ୍ର

ହାଇଦ୍ରାବାଦ: ଭାରତ-ପ୍ରଶାନ୍ତ ମହାସାଗରୀୟ ଇଲାକାରେ ନିଜର ପ୍ରଭାବ ବିସ୍ତାର କରି ଚାଲିଥିବା ଚୀନ୍‌ର ମୁକାବିଲା ପାଇଁ ଏବେ ଭାରତ-ଆମେରିକା-ଜାପାନ-ଅଷ୍ଟ୍ରେଲିଆ ପରି ଚତୁଃରାଷ୍ଟ୍ର(କ୍ବାଡ୍‌) ଏକସ୍ବର ହୋଇଛନ୍ତି। ତେବେ ଚୀନ୍‌ର ସେଭଳି ଆଭିମୁଖ୍ୟରେ ପ୍ରତିବନ୍ଧକ ସାଜିବା ପାଇଁ ହାଇଦ୍ରାବାଦରେ ପ୍ରସ୍ତୁତ ଟିକା ହିଁ କ୍ବାଡ୍‌ର ପ୍ରମୁଖ ଅସ୍ତ୍ର ହେବ ବୋଲି ଚର୍ଚ୍ଚା ହେଉଛି। ଏହାର ଅଂଶ ବିଶେଷ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ଦ୍ବାରା ବିକଶିତ କୋଭିଡ୍‌ ଟିକାର କୋଟି କୋଟି ମାତ୍ରା ହାଇଦ୍ରାବାଦର ଜିନୋମ୍‌ ଭ୍ୟାଲିରେ ହିଁ ପ୍ରସ୍ତୁତ ହେବ ବୋଲି ଜଣାଯାଇଛି। ସେଠାରେ ଥିବା ଭାରତ ବାୟୋଟେକ୍‌, ବାୟୋଲୋଜିକାଲ୍‌ ଇଣ୍ଡିଆନ୍‌ ଇମ୍ୟୁନୋଲୋଜିକାଲ୍‌ସ ଓ ସାନ୍ତା ବାୟୋଟେକ୍‌ନିକ୍ସ ପରି ଟିକା ନିର୍ମାତା କମ୍ପାନି ଏହି ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି।

ବାୟୋ-ଇ କମ୍ପାନି ୫୦ କୋଟି କୋଭିଡ୍‌ ଟିକାର ମାତ୍ରା ପ୍ରସ୍ତୁତ କରିବ ବୋଲି ଗତ ବର୍ଷ ଅଗଷ୍ଟ ମାସରେ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ କମ୍ପାନି ସହ ଜ୍ଞାନକୌଶଳ ଅଦଳବଦଳ ରାଜିନାମା ସ୍ବାକ୍ଷର କରିସାରିଛି। ତେବେ ଆମେରିକାର ଆର୍ଥିକ ସହାୟତାରେ ଅନ୍ୟାନ୍ୟ ରାଷ୍ଟ୍ର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଲୋଡ଼ାଯାଇଥିବା ଅତି କମ୍‌ରେ ୧୦୦ କୋଟି ମାତ୍ରା ୨୦୨୨ ସୁଦ୍ଧା ପ୍ରସ୍ତୁତ କରି ରଖିବା ପାଇଁ କ୍ବାଡ୍‌ ନେତାମାନେ ଆଶାବାଦୀ ଅଛନ୍ତି। ଏହି ବିପୁଳ ପରିମାଣର ଟିକା ସହ ଆଗକୁ ଆହୁରି ଅଧିକ ଟିକାର ଆବଶ୍ୟକତା ପୂରଣ ପାଇଁ ବାୟୋ-ଇ ସହ ଅନ୍ୟ ଭାରତୀୟ କମ୍ପାନିମାମନେ ମଧ୍ୟ ଟିକାପ୍ରସ୍ତୁତି ଦୌଡ଼ରେ ସାମିଲ ହେବେ ବୋଲି ସ୍ବୀକୃତି ଦେଇଛନ୍ତି। ସମ୍ପ୍ରତି ମହାମାରୀ କୋଭିଡ୍‌ ପାଇଁ ସାରା ବିଶ୍ବରେ ହାହାକାର ଦେଖାଦେଇଥିବା ବେଳେ ଏଭଳି ଟିକା ଯୋଗାଣ ମାଧ୍ୟମରେ କ୍ବାଡ୍‌ ରାଷ୍ଟ୍ର ସମୂହ ଅନ୍ୟ ରାଷ୍ଟ୍ରମାନଙ୍କର ମନ ଜିଣି ଚୀନ୍‌ର ପ୍ରଭାବକୁ ନ୍ୟୂନ କରିବାକୁ ଚାହାନ୍ତି। ସୁତରାଂ ସେମାନଙ୍କର ଏହି ଲକ୍ଷ୍ୟ ଟିକା ରାଜଧାନୀ ହାଇଦ୍ରାବାଦ ହିଁ ପୂରଣ କରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର