ତରଳୁଛି ମେରୁ ବରଫ ମନ୍ଥର ହୋଇଯାଇଛି ପୃଥିବୀର ଘୂର୍ଣ୍ଣନ

ନୂଆଦିଲ୍ଲୀ: ପୃଥିବୀର ଗତି ଏବେ ପୂର୍ବାପେକ୍ଷା ମନ୍ଥର ହୋଇଯାଇଛି ଏବଂ ଏହି ପରିବର୍ତ୍ତନ ଆମ ଘଡ଼ିକୁ ପ୍ରଭାବିତ କରିପାରେ। କିନ୍ତୁ କେବଳ ଗୋଟିଏ ସେକେଣ୍ଡ ପାଇଁ। ନେଚର୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗ୍ଲୋବାଲ ୱାର୍ମିଂ କାରଣରୁ ଏପରି ଘଟୁଛି। ବଢୁଥିବା ତାପମାତ୍ରା ଯୋଗୁଁ ମେରୁ ବରଫ ତରଳୁଛି, ଯେଉଁ କାରଣରୁ ପୃଥିବୀ ପୂର୍ବାପେକ୍ଷା କମ୍ ବେଗରେ ଗତି କରୁଛି। ଏହାଦ୍ୱାରା ୨୦୨୯ ସୁଦ୍ଧା ବିଶ୍ୱ ସମୟ ରକ୍ଷକମାନେ ଆମ ଘଡ଼ିରୁ ଗୋଟିଏ ସେକେଣ୍ଡ ବିୟୋଗ କରିବାକୁ ଚିନ୍ତା କରିପାରନ୍ତି ବୋଲି ବୁଧବାର ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି। ଏହା କମ୍ପ୍ୟୁଟର ନେଟ୍‌ୱର୍କ ସମୟ ପାଇଁ ଏକ ଅଭୂତପୂର୍ବ ସମସ୍ୟା ସୃଷ୍ଟି କରିବ ଏବଂ ୟୁଟିସିରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରିବର୍ତ୍ତନ କରିବା ଆବଶ୍ୟକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡିଛି। ଏହି ଗବେଷଣାର ଲେଖକ ହେଉଛନ୍ତି କାଲିଫର୍ଣ୍ଣିଆ ସାନ୍ ଡିଏଗୋ ବିଶ୍ୱବିଦ୍ୟାଳୟର ସ୍କ୍ରିପ୍ସ ଇନଷ୍ଟିଚ୍ୟୁସନ ଅଫ୍ ଓସେନୋଗ୍ରାଫିର ଭୂତତ୍ତ୍ୱ ବିଜ୍ଞାନୀ ଡଙ୍କାନ ଆଗନ୍ୟୁ।

ସେ କହିଛନ୍ତି ଯେ ମେରୁରେ ବରଫ ତରଳିବା ସହିତ ପୃଥିବୀର ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇଥିବା ସ୍ଥାନରେ ପରିବର୍ତ୍ତନ ହୁଏ। ଫଳରେ ଏହି ପରିବର୍ତ୍ତନ ଗ୍ରହର କୋଣୀୟ ବେଗକୁ ପ୍ରଭାବିତ କରିଥାଏ। ଯେହେତୁ ମେରୁ ବରଫ ତରଳୁଛି, ତେଣୁ ପୃଥିବୀର ବିଷୁବ ରେଖା ଚାରିପଟେ ବସ୍ତୁତ୍ୱ ବୃଦ୍ଧି ପାଉଛି, ଯାହା ଗ୍ରହର ଘୂର୍ଣ୍ଣନକୁ ପ୍ରଭାବିତ କରୁଛି। ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଜିଓଫିଜିକ୍ସ ପ୍ରଫେସର ଟମାସ୍ ହେରିଙ୍ଗ୍ କହିଛନ୍ତି ଯେ ମେରୁ ବରଫ ତରଳିବା ପରେ ସେହି ପାଣି ବିଷୁବରେଖା ଆଡ଼କୁ ପ୍ରବାହିତ ହେଉଛି। ଫଳରେ ମେରୁ ଅଞ୍ଚଳରେ ପୃଥିବୀର ବସ୍ତୁତ୍ବ ହ୍ରାସ ପାଇ ବିଷୁବବୃତ୍ତ ଅଞ୍ଚଳରେ ବୃଦ୍ଧି ପାଉଛି ଏବଂ ପୃଥିବୀର ଗତିକୁ ଏହା ପ୍ରଭାବିତ କରୁଛି। ସୂଚନାଯୋଗ୍ୟ ଯେ ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀର ଘୂର୍ଣ୍ଣନ ମନ୍ଥର ହୋଇଚାଲିଛି। ପାଖାପାଖି ୭୦ ନିୟୁତ ବର୍ଷ ପୂର୍ବେ ଦିନଗୁଡ଼ିକ ଛୋଟ ଥିଲା (୨୩.୫ ଘଣ୍ଟା ପର୍ଯ୍ୟନ୍ତ ଥିଲା) ବୋଲି ପାଲିଓସେନୋଗ୍ରାଫି ଏବଂ ପାଲିଓକ୍ଲାଇମେଟୋଲୋଜିରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର