ନଭେମ୍ବରରେ ସର୍ବାଧିକ ହେବା ରିପୋର୍ଟକୁ ଖଣ୍ଡନ କଲା ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ: ଭାରତରେ ନଭେମ୍ବର ମଧ୍ୟଭାଗ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆଜି ରିପୋର୍ଟମାନ ପ୍ରକାଶ ପାଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌)କୁ ଉଦ୍ଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଉକ୍ତ ରିପୋର୍ଟଠାରୁ ଆଇସିଏମ୍‌ଆର୍‌ ଆଜି ନିଜକୁ ଦୂରେଇ ନେଇଛି। ଏହା ଏକ ବିଭ୍ରାନ୍ତିକର ରିପୋର୍ଟ ଏବଂ ଆଇସିଏମ୍ଆର୍‌ର ଅଫିସିଆଲ ରିପୋର୍ଟ ନୁହେଁ ବୋଲି କହିଛି। ଆଇସିଏମ୍ଆର୍‌ର ଅନୁଧ୍ୟାନକୁ ଆଧାର କରି ଉକ୍ତ ବିଭ୍ରାନ୍ତିକର ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ଆଇସିଏମ୍‌ଆର୍‌ କହିଛି।

ସେହିପରି ସରକାରଙ୍କ ପିଆଇବି ବା ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ରିପୋର୍ଟ ବିଭ୍ରାନ୍ତିକର ଏବଂ ବାସ୍ତବ ସୂଚନା ଉପରେ ଆଧାରିତ ନୁହେଁ ବୋଲି ସରକାରଙ୍କ ଏହି ସଂସ୍ଥା କହିଛି। ଯେଉଁ ଅନୁଧ୍ୟାନକୁ ଆଧାର କରି ଉକ୍ତ ରିପୋର୍ଟ ପ୍ରକାଶ ପାଇଛି ତାହା ଆଇସିଏମ୍‌ଆର୍ ଦ୍ବାରା ହୋଇନାହିଁ ବୋଲି ପିଆଇବି ଦର୍ଶାଇଛି। ଉଲ୍ଲେଖଯୋଗ୍ୟ, ଆଇସିଏମ୍‌ଆର୍‌ର ଏକ ଗବେଷକ ଗୋଷ୍ଠୀ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରେ ଦେଶରେ ଆସନ୍ତା ନଭେମ୍ବର ବେଳକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ସ୍ତରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଦେଶରେ ୮ ସପ୍ତାହର ଲକ୍‌ଡାଉନ୍‌ ଯୋଗୁଁ ଏହା ନଭେମ୍ବରକୁ ଘୁଞ୍ଚିଯିବ ବୋଲି କୁହାଯାଇଥିଲା। ସେହି ସମୟରେ ଦେଶରେ ଆଇସିୟୁ ‌ଶଯ୍ୟା ଓ ଭେଣ୍ଟିଲେଟର ଆଦିର ଅଭାବ ଦେଖାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଥିଲା।

ସମ୍ବନ୍ଧିତ ଖବର