ରେଳଷ୍ଟେସନ୍‌ରେ ବିମାନବନ୍ଦରର ଭ୍ରମ

‌ସ୍ପେସାଲ୍‌ ଟ୍ରେନ୍‌ର ଟିକଟ୍‌, ଅନ୍ୟାନ୍ୟ ନିୟମାବଳୀ

କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ଭୟରେ ଦେଶରେ ରେଳରେ ଯାତ୍ରୀସେବାକୁ ମାର୍ଚ୍ଚ ୨୨ ତାରିଖରୁ ବନ୍ଦ କରି ଦିଆଯାଇଥିଲା। ମେ ୧ ତାରିଖରୁ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ଯଦିଓ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା କିନ୍ତୁ ୧୨ ତାରିଖରୁ ଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ରେଳ ଚଳାଚଳ ଆରମ୍ଭ ପାଇଁ ଘୋଷଣା କରାଯାଇଛି। ଏଥିରୁ କିଛି ଟ୍ରେନ୍ ମଧ୍ୟ ଗଡ଼ିବା ଆରମ୍ଭ ହୋଇଯାଇଛି।

ଭାରତୀୟ ରେଳବାଇ ହେଉଛି ବିଶ୍ବର ବୃହତ୍ ନେଟୱାର୍କ ମଧ୍ୟରୁ ଅନ୍ୟତମ। ଲୋକଙ୍କ ଜୀବନରେଖା ଭାବେ ଏହା ପରିଚିତ। ଦୈନିକ ଦେଶରେ ପ୍ରାୟ ୧୩ ହଜାରରୁ ଅଧିକ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିଥାଏ। ଏଗୁଡ଼ିକରେ ପ୍ରାୟ ୨ କୋଟି ଲୋକ ବିଭିନ୍ନ ସ୍ଥାନକୁ ଯା’ଆସ କରିଥାନ୍ତି। କିନ୍ତୁ ହଠାତ୍ ଏହା ବନ୍ଦ ହୋଇଯିବା ସହିତ ସଡ଼କ, ସମୁଦ୍ର ଏବଂ ଆକାଶ ମାର୍ଗରେ ଯାତାୟାତ ଠପ୍ ହୋଇଯିବା ଦ୍ବାରା ଲୋକେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

କିନ୍ତୁ ଲକ୍‌ଡାଉନ୍ ପରେ ଦେଶରେ ଆରମ୍ଭ ହୋଇଥିବା ରେଳସେବା ପୂର୍ବଭଳି ହୋଇ ରହିନାହିଁ। ଅନେକ କଟକଣା ଏବଂ ସତର୍କତାମୂଳକ ପଦକ୍ଷେପ ସହିତ ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ଲାଗି ସୁଯୋଗ ଦିଆଯାଉଛି। ଅନଲାଇନ୍‌ରେ ଟିକଟ ବିକ୍ରି ସାଙ୍ଗକୁ, ମୁହଁରେ ମାସ୍କ ପିନ୍ଧିବା, ହାତକୁ ସାନିଟାଇଜ୍ କରିବା, ଘରୁ କମ୍ବଳ ଓ ବେଡସିଟ୍ ଆଦି ସାଥିରେ ନେଇକି ଯିବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଷ୍ଟେସନ ସାମ୍ନାରେ ଯାତ୍ରୀଙ୍କୁ ଯେଭଳି ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଉଛି ସେଥିରୁ ଷ୍ଟେସନ ଗୁଡ଼ିକ ବିମାନ ବନ୍ଦରର ଭ୍ରମ ସୃଷ୍ଟି କରୁଛି। ଏହାଦ୍ବାରା ଯାତ୍ରୀଙ୍କ ପାଇଁ ଟ୍ରେନରେ ଯାତ୍ରା ଏକ ନୂଆ ଅଭିଜ୍ଞତା ଆଣିଦେଇଛି। କରୋନା ଭୂତାଣୁର ଭୟ ଲୋକଙ୍କ ମନରୁ ନଯିବା ପର୍ଯ୍ୟନ୍ତ ଏବଂ ଏହାର ଉପଯୁକ୍ତ ଔଷଧ ଓ ଟିକା ନମିଳିବା ପର୍ଯ୍ୟନ୍ତ ରେଳଯାତ୍ରା ପୂର୍ବଭଳି ହେବା ଆଶା ଅତ୍ୟନ୍ତ କ୍ଷୀଣ।

‌ସ୍ପେସାଲ୍‌ ଟ୍ରେନ୍‌ର ଟିକଟ୍‌, ଅନ୍ୟାନ୍ୟ ନିୟମାବଳୀ
ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ନୂଆଦିଲ୍ଲୀରୁ ଦେଶର ୧୫ଟି ସହରକୁ ସ୍ପେସାଲ ଟ୍ରେନ୍‌ ଚଳାଚଳ ‌ଘୋଷଣା କରାଯାଇଛି। ୧୩ ତାରିଖରୁ ପର୍ଯ୍ୟାୟକ୍ରମେ ଏହି ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିବାବେଳେ ୧୨ ତାରିଖରୁ ଟିକଟ ବୁକିଂ ଆରମ୍ଭ ହୋଇଛି। ଷ୍ଟେସନ କାଉଣ୍ଟରରେ କୌଣସି ଟିକଟ ବୁକିଂ ହେବନାହିଁ। କେବଳ ଆଇଆରସିଟିସି ୱେବସାଇଟ୍ କିମ୍ବା ଆଇଆରସିଟିସି ମୋବାଇଲ ଆପ୍‌ରେ ଟିକଟ ବୁକିଂ ହେବ। ତେବେ ଟିକଟ ବୁକିଂ, ବାତିଲ କଲେ, ବା ଟ୍ରେନ୍‌ ବାତିଲ ହେଲେ ତାହା ସ୍ଥାନରେ ମିଳୁଥିବା ଟିକଟ ସଂରକ୍ଷଣ ସୁବିଧା ଓ ଅନ୍ୟାନ୍ୟ ନୀତିରେ ଆଇଆରସିଟିସି ପରିବର୍ତ୍ତନ ଆଣିଛି।
ନୂଆଦିଲ୍ଲୀରୁ ଭୁବନେଶ୍ବର, ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଂଚି, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମାଡଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜାମ୍ମୁ ତାୱି ଭଳି ୧୫ଟି ସହରକୁ ସ୍ପେସାଲ ଟ୍ରେନ୍ ଗୁଡ଼ିକ ଚଳାଚଳ କରୁଛି।
ଆଇଆରସିଟିସି ୱେବସାଇଟ୍‌ରୁ ସର୍ବାଧିକ ୭ଦିନ ପୂର୍ବରୁ ଟ୍ରେନ୍ ଟିକଟ ବୁକ୍‌ କରାଯାଇ ପାରିବ।
ଆର୍‌ଏସି (ବାତିଲ ହେଲେ ସଂରକ୍ଷଣ) ବା ୱେଟିଂ ଟିକଟ ଜାରି କରାଯିବ ନାହିଁ
ଷ୍ଟେସନରେ ଟିକଟ ବୁକିଂ କାଉଣ୍ଟର ବନ୍ଦ ରହିବ
ଟ୍ରେନ୍‌ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଟିକଟ ବାତିଲ କରାଯାଇପାରିବ
ଭଡ଼ାର ୫୦ ପ୍ରତିଶତ ବାତିଲ ଚାର୍ଜ ଆକାରରେ ନିଆଯିବ
ପୂର୍ବରୁ ଏହି ସମୟରେ ଯେଉଁମାନେ ଯାତ୍ରା କରିବା ପାଇଁ ଟିକଟ ବୁକିଂ କରିଛନ୍ତି ସେମାନେ ଏହି ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରିପାରିବେ ନାହିଁ
ଯାତ୍ରୀଙ୍କୁ କମ୍ବଳ ଓ ବେଡସିଟ୍‌ ଦିଆଯିବ ନାହିଁ
ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀମାନଙ୍କୁ ଷ୍ଟେସନରେ ଅତିକମ୍‌ରେ ଦେଢ଼ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ହେବ
ଗାଡ଼ିର ସିଟ୍‌ ସାମର୍ଥ୍ୟ ଅନୁଯାୟୀ ସବୁ ସିଟ୍‌ ବୁକ୍‌ କରିବା ସୁବିଧା ମିଳିବ ନାହିଁ
ଯାତ୍ରୀମାନଙ୍କ ପାଇଁ ଆରୋଗ୍ୟସେତୁ ଆପ୍‌ ଡାଉନଲୋଡ୍‌ ବାଧ୍ୟତାମୂଳକ କରାଯାଇଛି
ଯାତ୍ରୀମାନଙ୍କ କମ୍ ଲଗେଜ୍ ନେବା ପାଇଁ କୁହାଯାଇଛି
ଯାତ୍ରୀମାନେ ନିଜ ସାଙ୍ଗରେ ସେମାନଙ୍କର ନିଜସ୍ବ ଖାଦ୍ୟ ଆଣିବେ
କରୋନା ଭୂତାଣୁ ଲକ୍ଷଣ ନଥିବା ଯାତ୍ରୀମାନେ କେବଳ ଯାତ୍ରା କରିପାରିବେ। ଟ୍ରେନ୍‌ରୁ ଓହ୍ଲାଇବା ପରେ ସଂପୃକ୍ତ ରାଜ୍ୟର ସ୍ବାସ୍ଥ୍ୟ ସମ୍ପର୍କିତ ନିୟମାବଳୀକୁ ମାନିବେ

ସମ୍ବନ୍ଧିତ ଖବର