ଅଶୋକ ସ୍ତମ୍ଭରେ ସିଂହର କ୍ରୁଦ୍ଧ ଚାହାଣି ଦେଖିବାରେ ଭ୍ରମ: ମୂର୍ତ୍ତିକାର

ନୂଆଦିଲ୍ଲୀ, ୧୩/୭: ନୂତନ ସଂସଦ ଭବନ ଚୂଡ଼ାରେ ସ୍ଥାପିତ ୯,୫୦୦ କେଜି ବ୍ରୋଞ୍ଜ-ନିର୍ମିତ ଅଶୋକ ସ୍ତମ୍ଭରେ ସିଂହର କ୍ରୁଦ୍ଧ ଚାହାଣିକୁ ନେଇ କିଛି ଲୋକ ସମାଲୋଚନା କରୁଥିବା ବେଳେ ଏହାକୁ ନିର୍ମାଣ କରିଥିବା ସ୍ଥପତି ସୁନୀଲ ଦେଓରେ କହିଛନ୍ତି ଯେ ଏହା ସାରନାଥ ସ୍ତମ୍ଭର ଅବିକଳ ପ୍ରତିରୂପ। କ୍ରୁଦ୍ଧ ଚାହାଣି ବୋଲି ଯାହା କୁହାଯାଉଛି ତାହା ହେଉଛି ଦେଖିବାରେ ଭ୍ରମ। ଔରଙ୍ଗାବାଦର ମୂର୍ତ୍ତିକାର ସୁନୀଲ ହେଉଛନ୍ତି ମୁମ୍ବାଇର ଜେଜେ ସ୍କୁଲ୍ ଅଫ୍ ଆର୍ଟସ୍‌ରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର। ତାଙ୍କ କହିବା ଅନୁସାରେ ମୂଳ ମୂର୍ତ୍ତିକୁ ଭଲଭାବେ ଅନୁଧ୍ୟାନ କରି ଏହି ଅଶୋକସ୍ତମ୍ଭଟି ନିର୍ମାଣ କରାଯାଇଛି। ସାରନାଥରେ ସିଂହ ମୂର୍ତ୍ତି ଯେମିତି ଅଛି, ଅବିକଳ ତାହାରି ପ୍ରତିରୂପକୁ ହିଁ ନିଆଯାଇଛି। କେବଳ ଆକାରରେ ଯାହା ଫରକ ଅଛି। ମୂଳ ମୂର୍ତ୍ତିକୁ ବି ଯଦି ଆମେ ତଳୁ ଭିନ୍ନ କୋଣରୁ ଦେଖିବା ତେବେ ସିଂହମୂର୍ତ୍ତି ରାଗିବା ପରି ଦେଖାଯିବ।

ଅଶୋକ ସ୍ତମ୍ଭ ପ୍ରକଳ୍ପର ଗ୍ରାଫିକ୍ ଡିଜାଇନର ତଥା ସୁନୀଲଙ୍କ ଭାଇ ସୁଶୀଲଙ୍କ କହିବା ଅନୁସାରେ ନୂତନ ସଂସଦ ଭବନ ଉପରେ ପ୍ରତିଷ୍ଠା କରାଯାଇଥିବା ଅଶୋକସ୍ତମ୍ଭ ହେଉଛି ସାରନାଥଠାରୁ ୨୦ ଗୁଣ ବଡ଼। ଉପଯୁକ୍ତ ଭଙ୍ଗୀରେ ୧ରୁ ୨ କିମି ଦୂରରେ ଥାଇ ଏହି ମୂର୍ତ୍ତିକୁ ଦେଖିଲେ ଠିକ୍ ଦେଖାଯିବ। ଭିନ୍ନ କୋଣରୁ ଦେଖିଲେ ଖାଲି ଆଖିକୁ ହୁଏତ ସିଂହର ମୁହଁଟା ରାଗିଲା ପରି ଦେଖାଯାଇପାରେ କାରଣ ମୂଳ ମୂର୍ତ୍ତିଠାରୁ ଏହା ବହୁତ ବଡ଼।

ସମ୍ବନ୍ଧିତ ଖବର