ନୂଆଦିଲ୍ଲୀ: ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସଂସଦରେ ଲଗାତାର ଅଚଳାବସ୍ଥା ଜାରି ରହିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି। ସଂସଦ ଆଜି ପୁଣି ଦିନକ ପାଇଁ ମୁଲତବୀ ହେବାପରେ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ବାଚସ୍ପତିଙ୍କୁ ଭେଟିଛନ୍ତି। ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ, ପ୍ରହ୍ଲାଦ ଯୋଶୀ , କିରେନ ରିଜିଜୁ ଏବଂ ଅନ୍ୟମାନେ ବାଚସ୍ପତିଙ୍କୁ ଭେଟିଥିବା ଜଣାପଡ଼ିଛି। ସଂସଦର ଅଚଳାବସ୍ଥା ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି।
ଗତ ସପ୍ତାହରୁ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଉଭୟ ବିଜେପି ଏବଂ କଂଗ୍ରେସ ପରସ୍ପରର ଜିଦ୍ରେ ଅଟଳ ରହିଛନ୍ତି। ଭାରତର ଗଣତନ୍ତ୍ର ବିରୋଧୀ ବୟାନ ପାଇଁ ରାହୁଲ ଗାନ୍ଧିଙ୍କ କ୍ଷମା ମାଗିବାକୁ ବିଜେପି ଦାବି କରିଥିବା ବେଳେ କଂଗ୍ରେସ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଛି। ରାହୁଲଙ୍କୁ ଅପରାଧିକ ମାନହାନି ମାମଲାରେ ଦଣ୍ଡାଦେଶ ସ୍ଥିତିକୁ ଆହୁରି ଅଧିକ ଜଟିଳ କରିଛି। ଉଲ୍ଲେଖଯୋଗ୍ୟ, ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେଉହେଉ କଂଗ୍ରେସ ସଦସ୍ୟମାନେ ପ୍ଲାକାର୍ଡ ଧରି ହିଣ୍ଡେନବର୍ଗ-ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିଲେ ଏବଂ ସ୍ଲୋଗାନ ଦେଇଥିଲେ। ଟ୍ରେଜରି ବେଞ୍ଚ୍ର ସଦସ୍ୟମାନେ ମଧ୍ୟ ନିଜ ଆସନରୁ ଉଠି ରାହୁଲଙ୍କ ଗଣତନ୍ତ୍ର ଟିପ୍ପଣୀ ପାଇଁ କ୍ଷମା ଦାବି କରି ସ୍ଲୋଗାନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/modi-8.jpg)