ସଂସଦରେ ଅଚଳାବସ୍ଥା ଜାରି, ପ୍ରସଙ୍ଗ ଉପସ୍ଥାପନ କରିପାରୁନାହାନ୍ତି ବିଜେଡି ସାଂସଦ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଅଚଳାବସ୍ଥା ଜାରିରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲଣ୍ଡନ ବୟାନ ଏବଂ ଆଦାନି ପ୍ରସଙ୍ଗରେ ଲଗାତାର ହଙ୍ଗାମା ‌ଯୋଗୁଁ ଉଭୟ ଗୃହର କୌଣସି କାର୍ଯ୍ୟ ହୋଇପାରୁନାହିଁ। ସରକାରୀ ଓ ବି‌ରୋଧୀ ଦଳ ସେମାନଙ୍କ ଦାବିକୁ ନେଇ ଅଡ଼ିବସିଛନ୍ତି। ସମାଧନର ବାଟଫିଟୁନି। ଉଭୟ ପ୍ରସଙ୍ଗରେ ଶାସନ ଓ ବିରୋଧୀ ଦଳମାନଙ୍କଠାରୁ ବିଜେଡି ଦୂରତା ବଜାୟ ରଖିଛି।

ଏହି ସ୍ଥିତିରେ ବିଜେଡି ସାଂସଦମାନେ ଶୂନ୍ୟକାଳ ଓ ପ୍ରଶ୍ନକାଳରେ ସେମାନଙ୍କ ପ୍ରସଙ୍ଗଗୁଡ଼ିକୁ ଉପସ୍ଥାପନ କରିପାରୁନାହାନ୍ତି। ରାଜ୍ୟସଭାର ଶୂନ୍ୟକାଳରେ ଉପସ୍ଥାପନ ପାଇଁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଘରୋଇ ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧିକୁ ହ୍ରାସକରିବା, ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ମନରେଗା ଯୋଜନାରେ ସଂସ୍କାର, ସସ୍ମିତ ପାତ୍ରଙ୍କ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ, ପ୍ରଶାନ୍ତ ନନ୍ଦଙ୍କ ଦେଶରେ ବନାଗ୍ନି ଉପରେ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ନିରଞ୍ଜନ ବିଶିଙ୍କ ଟିଟଲାଗଡ଼ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଭଳି ପ୍ରସଙ୍ଗଗୁଡ଼ିକ ତାଲିକାଭୁକ୍ତ ହୋଇଛି। ଅଚଳାବସ୍ଥା ଯୋଗୁଁ ଏମାନେ ଉପରୋକ୍ତ ପ୍ରସଙ୍ଗ ଉତ୍‌ଥାପନ କରିପାରୁନାହାନ୍ତି। ବିଜେଡି ଲୋକସଭା ସାଂସଦ ଶର୍ମିଷ୍ଠା ସେଠି, ଚନ୍ଦ୍ରାଣୀ ମୁର୍ମୁ, ମଞ୍ଜୁଲତା ମଣ୍ଡଳ ଓ ଚନ୍ଦ୍ରଶେଖର ସାହୁଙ୍କ ଦ୍ବାରା ଦାଖଲ ବିଭିନ୍ନ ପ୍ରସଙ୍ଗ ଆଲୋଚନା ପାଇଁ ଚୟନ ହୋଇଛି। ଅଚଳବସ୍ଥା ଯୋଗୁଁ ଏମାନେ ଆଲୋଚନା କରିବାରୁ ବଞ୍ଚିତ ହୋଇଛନ୍ତି।

ଏହାରି ମଧ୍ୟରେ ରାଜ୍ୟସଭାରେ ଭାରତ ଓସ୍କାର ପୁରସ୍କାର ପାଇବା ସଂପର୍କିତ ସଂକ୍ଷିପ୍ତ ଆଲୋଚନା‌ରେ ବିଜେଡିର ସର୍ବାଧିକ ତିନି ଜଣ ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ମୋଜିବୁଲ୍ଲା ଖାଁ ଭାଗ ନେଇଥିଲେ। ସେହିଭଳି ଲୋକସଭାରେ ବିଜେଡିର ଦୁଇ ଜଣ ସାଂସଦ ଭର୍ତ୍ତୃହରି ମହତାବ ନିୟମ ୩୭୭ ଆଧାରରେ ମହିଳାମାନଙ୍କ ରକ୍ତହୀନତା ନିରାକରଣ ପାଇଁ ପଦକ୍ଷେପ ଓ ଚନ୍ଦ୍ରାଣୀ ମୁର୍ମୁ କୋଭିଡ ପରିଚାଳନା ସମୟରେ ଜନଶୁଣାଣି ସଂପର୍କିତ ପ୍ରସଙ୍ଗକୁ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି। ବିଭିନ୍ନ ବିଲ୍‌ ଆଲୋଚନାରେ ଭାଗ ନେବାପାଇଁ ବିଜେଡି ସାଂସଦମାନେ ପ୍ରସ୍ତୁତ ଥିବା ବେଳେ ଆଲୋଚନା କରିପାରୁ ନାହାନ୍ତି। ମାର୍ଚ୍ଚ ୧୩ରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଏହା ଏପ୍ରିଲ ୬ରେ ଶେଷ ହେବ। ହଟ୍ଟଗୋଳ ଜାରି ଯୋଗୁଁ ସଦନ ଧାର୍ଯ୍ୟ ସମୟ ପୂର୍ବରୁ ବନ୍ଦ ହେବା ନେଇ ମଧ୍ୟ ଚର୍ଚ୍ଚାହେଉଛି।

ସମ୍ବନ୍ଧିତ ଖବର