ପ୍ରତିନିଧି ସଭାରେ ମହାଭିଯୋଗ ଗୃହୀତ: ସିନେଟ୍‌ ନିର୍ଣ୍ଣୟ କରିବ ଟ୍ରମ୍ପ୍‌ଙ୍କ ଭାଗ୍ୟ

କ୍ଷମତାରେ ନଥାଇ ବି ଦଣ୍ଡିତ ହୋଇପାରନ୍ତି, ଏବେ ସଂପୂର୍ଣ୍ଣ ଏକାକୀ

ଵାସିଂଟନ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସଂସଦର ନିମ୍ନ ସଦନ (ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ)ରେ ବିରୋଧୀ ଡେମୋକ୍ରାଟ୍‌ ଦଳ ପକ୍ଷରୁ ଆଗତ ମହାଭିଯୋଗ ପ୍ରସ୍ତାବ ଗତକାଲି ୨୩୨ ଭୋଟ୍‌ରେ ପାରିତ ହୋଇଯାଇଛି। ଗତ ସପ୍ତାହରେ ନିଜ ସମର୍ଥକମାନଙ୍କୁ ଉସୁକାଇ ସଂସଦ ଭବନରେ ବ୍ୟାପକ ହିଂସାକାଣ୍ଡ ଭିଆଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ଆସିଥିବା ଏହି ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ବହୁମତ ମିଳିଥିଲା। ନିମ୍ନ ସଦନରେ ଦୋଷୀ ସାବ୍ୟସ୍ତ ହେଲା ପରେ ଟ୍ରମ୍ପ୍‌ଙ୍କ ପରବର୍ତ୍ତୀ ରାଜନୈତିକ ଭାଗ୍ୟଏବେ ସିନେଟ୍‌ରେ ନିର୍ଣ୍ଣୟ ହେବ।

ମହାଭିଯୋଗ ପ୍ରସ୍ତାବ ଆସିବା ହିଁ ହେଉଛି ସଂସଦର ନିମ୍ନ ସଦନର କାର୍ଯ୍ୟକାରିତାରେ ସୀମିତ ଯେଉଁଠି କେବଳ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଉତ୍‌ଥାପନ କରାଯାଇପାରିବ। ତେବେ ପରବର୍ତ୍ତୀ ପ୍ରମୁଖ ପଦକ୍ଷେପ ହେଉଛି ଉଚ୍ଚ ସଦନ(ସିନେଟ୍‌)ରେ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ଅପରାଧଗୁଡ଼ିକର ବିଚାରଣା କରାଯିବ। ସେଠାରେ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଜରୁରୀ। ସୁତରାଂ ଭୋଟ ବେଳେ ଯଦି ୧୦୦ ଜଣ ଯାକ ସିନେଟର ଉପସ୍ଥିତ ରହନ୍ତି, ତେବେ ଦଳୀୟ ସ୍ଥିତି ଅନୁସାରେ ଅତି କମ୍‌ରେ ଆଉ ୧୭ ଜଣ ରିପବ୍ଲିକାନ୍‌ ସଦସ୍ୟ ଡେମୋକ୍ରାଟ୍‌ମାନଙ୍କୁ ସମର୍ଥନ କରିବାକୁ ପଡ଼ିବ। ତେବେ ଏ ସଂକ୍ରାନ୍ତରେ ଭୋଟଗ୍ରହଣ କେବେ ହେବ? ଏଣେ ବିରାମରେ ଯାଇଥିବା ସିନେଟରମାନେ ୧୯ ତାରିଖରେ ନଫେରିବା ପୂର୍ବରୁ ସିନେଟ୍‌ରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟଗ୍ରହଣ ହୋଇପାରିବ ନାହିଁ। ଅର୍ଥାତ୍‌ ଜାନୁଆରି ୨୦ରେ ଟ୍ରମ୍ପ୍‌ କ୍ଷମତା ହସ୍ତାନ୍ତର କରି ସାରିବା ପରେ ହିଁ ତାହା ସମ୍ଭବ ବୋଲି ସିନେଟ୍‌ର ସଂଖ୍ୟାଗରିଷ୍ଠ ରିପବ୍ଳିକାନ୍‌ ଦଳ ନେତା ମିଚ୍‌ ମ୍ୟାକ୍‌କୋନେଲ୍‌ କହିଛନ୍ତି। ବିଚାରଣା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ନିମ୍ନ ସଦନ ଔପଚାରିକତା ଦୃଷ୍ଟିରୁ ଟ୍ରମ୍ପ୍‌ଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକୁ କେବଳ ଉଚ୍ଚ ସଦନକୁ ଜଣାଇଦେବେ। ସେତେବେଳେ ସିନେଟ୍‌ ଅଧିବେଶନରେ ନବନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହାରିସ୍‌ ଅଧ୍ୟକ୍ଷତା କରିପାରନ୍ତି। ତେବେ ବିଚାରଣା ବେଳେ ଟ୍ରମ୍ପ୍‌ ନିଜକୁ ମୁକୁଳାଇବା ପାଇଁ କ’ଣ କରିପାରିବେ?

ସୂଚନାଯୋଗ୍ୟ, ନିମ୍ନ ସଦନ ଟ୍ରମ୍ପ୍‌ଙ୍କ ବିରୋଧରେ କେବଳ ଗୋଟିଏ ଅପରାଧକୁ ମହାଭିଯୋଗରେ ସ୍ଥାନ ଦେଇଛି। ତାହା ହେଲା ‘ବିଦ୍ରୋହ ପାଇଁ ଉସୁକାଇବା’। ଟ୍ରମ୍ପ୍‌ଙ୍କ ହଜାର ହଜାର ସମର୍ଥକ ସଂସଦ ଭବନରେ ଦଙ୍ଗା ରଚାଇବାର ଅବ୍ୟବହିତ ପୂର୍ବରୁ ସେମାନଙ୍କୁ ଭାଷଣ ମାଧ୍ୟମରେ ଟ୍ରମ୍ପ୍‌ ଉସୁକାଇଥିଲେ। ତେବେ ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନ ଅନୁସାରେ ଏହା ତାଙ୍କୁ କହିବାର ସ୍ବାଧୀନତାରେ ସୁରକ୍ଷା ଯୋଗାଇବ। ‘ଲଢ଼େଇ କର’ ବୋଲି ସମର୍ଥକମାନଙ୍କୁ କହିବା ଅର୍ଥ କେବେ ହିଂସା କରିବାକୁ କୁହାଯାଇନାହିଁ ବୋଲି ଟ୍ରମ୍ପ୍‌ ଯୁକ୍ତି ବାଢ଼ିପାରନ୍ତି। ସେ କଦାପି ହିଂସାକୁ ସମର୍ଥନ କରିନାହାନ୍ତି ବୋଲି ତଥ୍ୟଗତ ପ୍ରମାଣ ମଧ୍ୟ ରଖିପାରନ୍ତି। ତେବେ ଯଦି ବି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ଜଣେ କ୍ଷମତାରେ ନଥାଇ କ’ଣ ଦଣ୍ଡିତ ହୋଇପାରିବ? ଅପରପକ୍ଷେ, ମହାଭିଯୋଗ କେବଳ ଜଣକୁ ପଦପଦବିରୁ ହଟାଇବା ପାଇଁ ଅଭିପ୍ରେତ ନୁହେଁ, ଏହାଦ୍ବାରା ଜଣକୁ ମଧ୍ୟ ଭବିଷ୍ୟତରେ କୌଣସି ପଦପଦବି ହାସଲ କରିବା ପାଇଁ ଅଯୋଗ୍ୟ ବିବେଚିତ କରାଇବ ବୋଲି ରାଜନୀତି ବିଶାରଦଙ୍କ ମତ।

ଏବେ ସଂପୂର୍ଣ୍ଣ ଏକାକୀ

ଵାସିଂଟନ: ଆଗକୁ ଆମେରିକାର ଇତିହାସ ପୁସ୍ତକରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କେମିତି ତାଙ୍କ ବିରୋଧରେ ଆସିଥିବା ଦ୍ବିତୀୟ ମହାଭିଯୋଗକୁ ଏକା ଏକା ନିଃଶବ୍ଦରେ ସହିଗଲେ ବୋଲି ଉଲ୍ଲେଖ କରାଯାଇପାରେ। ଦୀର୍ଘ ଚାରି ବର୍ଷରୁ ଅଧିକ କାଳ ଧରି ଟ୍ରମ୍ପ୍‌ ଆମେରିକାର ଜାତୀୟ ଚର୍ଚ୍ଚାରେ ଯେଭଳି ଆସ୍ଥାନ ଜମାଇ ରହିଥିଲେ, ଆଗରୁ କେହି ସେପରି କରିନଥିଲେ। ତେବେ ଗତକାଲି(ବୁଧବାର) ନିମ୍ନ ସଦନରେ ତାଙ୍କ କ୍ଷମତାର ଅଧିକାର ଯେତେବେଳେ ଭୁଶୁଡ଼ି ପଡ଼ିବାକୁ ବସିଲା, ସେ ଖୁବ୍‌ ଏକାକୀ ଓ ନିରବ ହୋଇପଡ଼ିଥିଲେ। ସେ ହେଉଛନ୍ତି ଏକମାତ୍ର ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ଦୁଇ ଦୁଇ ଥର ମହାଭିଯୋଗ ଉଠିଛି। ପ୍ରଥମ ଥର ପାଇଁ ୨୦୧୯ ମସିହାରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ପ୍ରଭାବିତ କରିବା ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ସେତେବେଳେ ତାଙ୍କ ରିପବ୍ଲିକାନ୍‌ ଦଳ ସଂଖ୍ୟାଗରିଷ୍ଠ ଥିବା ସିନେଟ୍‌ରେ ସେ ଦୋଷମୁକ୍ତ ହୋଇଥିଲେ। ତେବେ ଗତକାଲି ସଂସଦରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟ ଚାଲିଥିଲା ବେଳେ ହ୍ବାଇଟ୍‌ ହାଉସ୍‌ରେ ଥିବା ଟ୍ରମ୍ପ୍‌ କାହାର ବି ଦୃଷ୍ଟିଗୋଚରକୁ ଆସିନଥିଲେ। ଗତ ସପ୍ତାହରେ ସମର୍ଥକମାନେ ଚଳାଇଥିବା ହିଂସାକାଣ୍ଡ ପଛରେ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା ବୋଲି ଚର୍ଚ୍ଚା ହେଲା। କିଛି ରିପବ୍ଳିକାନ୍‌ ସାଂସଦ ଟ୍ରମ୍ପ୍‌ଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ହେଁ ଶେଷରେ ୧୦ ଜଣ ରିପବ୍ଳିକାନ୍‌ ମହାଭିଯୋଗ ସପକ୍ଷରେ ଭୋଟ ଦେଇଥିଲେ। ମହାଭିଯୋଗ ସପକ୍ଷରେ ମୋଟ ୨୩୨ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ୧୯୭ ଭୋଟ୍‌ ପଡ଼ିଥିଲା। ନିଜ ଦଳର କିଛି ବିଶ୍ବସ୍ତ ସହଯୋଗୀ ତାଙ୍କୁ ଏପରି ଏକଘରକିଆ କରି ଛାଡ଼ି ପଳାଇଥିବା ବେଳେ ସେ ନିଜକୁ ଖୁବ୍‌ ନିଃସଙ୍ଗ ମନେ କରୁଛନ୍ତି। ଅପରପକ୍ଷେ, ନିଜର ଦଳୀୟ ସମର୍ଥକମାନଙ୍କୁ ଟ୍ରାକ୍‌ରେ ରଖିବା ପାଇଁ ସେ ବହୁଳ ବ୍ୟବହାର କରୁଥିବା ତାଙ୍କର ଟ୍ବିଟର ଆକାଉଣ୍ଟ୍‌ ବରଖାସ୍ତ ହୋଇଯିବା ପରେ ସେ ଆହୁରି ଏକଲା ହୋଇଯାଇଛନ୍ତି। ରିପବ୍ଳିକାନ୍‌ ଦଳ ଉପରେ ତାଙ୍କର ରହିଥିବା କବ୍‌ଜା ଉପରେ ଏବେ ପ୍ରଶ୍ନବାଚୀ ଲାଗିଛି। ତାଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ ମାତ୍ର ସପ୍ତାହଟିଏ ବାକି ଥିବା ବେଳେ ତାଙ୍କ ତରଫରୁ ମହାଭିଯୋଗ ସଂକ୍ରାନ୍ତ କୌଣସି ଆଇନଗତ ଲଢ଼େଇ ସମ୍ପର୍କରେ ସୂଚନା ମିଳିନାହିଁ। ବିଶେଷ କରି ବିଭିନ୍ନ ପ୍ରସଙ୍ଗରେ ‘ମୁଁ ଏକା ସବୁ କରିବି’ ବୋଲି ସଗର୍ବ କହିଆସୁଥିବା ଟ୍ରମ୍ପ୍‌ ସତେ ଯେପରି ପରାଜିତ ସୈନିକଟିଏ ଭଳି ଆତ୍ମସମର୍ପଣ ମୁଦ୍ରାରେ ବାକ୍‌ରୁଦ୍ଧ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର