ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ: ଡେମୋକ୍ରାଟ୍‌ଙ୍କ ସହ ହାତ ମିଳାଇଲେ ରିପବ୍ଲିକାନ୍‌ ସାଂସଦ

୨୦ ପୂର୍ବରୁ ‌ସିନେଟ୍‌ରେ ଭୋଟ୍‌ ଗ୍ରହଣ ହୋଇପାରିବ ନାହିଁ

ଵାସିଂଟନ: ଆମେରିକା ସଂସଦର ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ସଂଖ୍ୟାଗରିଷ୍ଠ ଥିବା ଡେମୋକ୍ରାଟ୍‌ ଦଳ ପକ୍ଷରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଗତ ବୁଧବାର ନିଜ ସମର୍ଥକମାନଙ୍କୁ ଟ୍ରମ୍ପ୍‌ ଉସୁକାଇ ସଂସଦ ଭବନ ସମେତ ରାଜଧାନୀରେ ବ୍ୟାପକ ଭଙ୍ଗାରୁଜା ସହ ଅପ୍ରତ୍ୟାଶିତ ହିଂସାତ୍ମକ ଦଙ୍ଗା ଭିଆଇଥିଲେ। ଏଥିଯୋଗୁଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଗଣତି ଚାଲିଥିବା ଇଲେକ୍ଟୋରାଲ ଭୋଟ ପ୍ରକ୍ରିୟାରେ ସାମୟିକ ଭାବେ ବାଧା ଉପୁଜିବା ସହ ଜଣେ ପୁଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସାଧାରଣତଃ ମହାଭିଯୋଗ କହିଲେ ପଦବିରେ ଥାଇ ଜଣେ ରାଷ୍ଟ୍ରପତି ଅପରାଧ ଘଟାଇବାକୁ ବୁଝାଯାଏ। ସୁତରାଂ ଏଭଳି କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ପାଇଁ ଭାଷଣ ମାଧ୍ୟମରେ ନିଜ ସମର୍ଥକମାନଙ୍କୁ ଏଭଳି ଉସୁକାଇଥିବା ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଛି। ମାତ୍ର ସେଭଳି ହିଂସା ପାଇଁ ଟ୍ରମ୍ପ୍‌ ଦାୟୀ ନୁହନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସେ କେବେ ବି ହିଂସାକୁ ସମର୍ଥନ କରିନାହାନ୍ତି ଏବଂ କିଛି ଲୋକଙ୍କ ପ୍ରତିକ୍ରିୟାକୁ ତାଙ୍କ ବିରୋଧରେ ବ୍ୟବହାର କରାଯାଉଛି ବୋଲି କହିଛନ୍ତି।

ଅପରପକ୍ଷେ, ୨୦ ତାରିଖ ଶପଥଗ୍ରହଣ ପୂର୍ବରୁ ସିନେଟ୍‌ରେ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟଗ୍ରହଣ ହୋଇପାରିବ ନାହିଁ ବୋଲି ସିନେଟ୍‌ର ସଂଖ୍ୟାଗରିଷ୍ଠ ରିପବ୍ଳିକାନ୍‌ ଦଳ ନେତା ମିଚ୍‌ ମ୍ୟାକନେଲ କହିଛନ୍ତି। ସେହିପରି ନୂତନ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ପୂର୍ବରୁ ଏଭଳି ବିଦାୟୀ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଘଟଣା ଦେଶକୁ ଆହୁରି ଭାଗ ଭାଗ କରିଦେବ ବୋଲି ରିପବ୍ଳିକାନ୍‌ ସାଂସଦ ଷ୍ଟିଭ୍‌ ଡେନ୍‌ସ ସତର୍କ କରାଇ ଦେଇଛନ୍ତି। ଡେମୋକ୍ରାଟ୍‌ ସାଂସଦ ଜାମି ରସ୍କିନ୍‌, ଡେଭିଡ୍‌ ସିସିଲିନ୍‌ ଓ ଟେଡ୍‌ ଲିଉଙ୍କ ଦ୍ବାରା ଆଗତ ଏହି ମହାଭିଯୋଗ ସପକ୍ଷରେ ଭୋଟ ଦେଇ ଟ୍ରମ୍ପ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ବିଦା କରିବା ଲାଗି ନିମ୍ନ ଗୃହରେ ଡେମୋକ୍ରାଟ୍‌ ଦଳର ଯଥେଷ୍ଟ ସଂଖ୍ୟା ଗରିଷ୍ଠତା ରହିଛି। ତେବେ ରିପବ୍ଳିକାନ୍‌ମାନେ ୫୧-୫୦ରେ ସାମାନ୍ୟ ଆଗୁଆ ଥିବା ସଦନ ସିନେଟ୍‌ରେ ଏଥି ଲାଗି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ସୁତରାଂ ସିନେଟ୍‌ରେ ଡେମୋକ୍ରାଟ୍‌ଙ୍କ ପ୍ରସ୍ତାବକୁ ଅତି କମ୍‌ରେ ୧୭ ଜଣ ରିପବ୍ଳିକାନ୍‌ ସାଂସଦଙ୍କର ସମର୍ଥନ ଦରକାର। ତେବେ ଏହି ଅବସରରେ ୨୦ ଜଣ ରିପବ୍ଳିକାନ୍‌ ସିନେଟର ଖୋଲାଖୋଲି ଭାବେ ଟ୍ରମ୍ପ୍‌ଙ୍କୁ ବିରୋଧ କରୁଛନ୍ତି ବୋଲି ଘୋଷଣା କରିଛନ୍ତି। ସୁତରାଂ ଟ୍ରମ୍ପ୍‌ ଏଥିରେ ଦୋଷୀ ସାବ୍ୟସ୍ତ ହେବାଟା ଥୟ। ସୂଚନା ଥାଉ କି, ଏହା ଦ୍ବାରା ଟ୍ରମ୍ପ୍‌ ଦ୍ବିତୀୟ ଥର ପାଇଁ ମହାଭିଯୋଗର ସମ୍ମୁଖୀନ ହୋଇଛନ୍ତି। ଶେଷ ଥର ପାଇଁ ୨୦୧୯ ମସିହାରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ପ୍ରଭାବିତ କରିବା ପାଇଁ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ରିପବ୍ଲିକାନର ସଂଖ୍ୟାଗରିଷ୍ଠ ଥିବା ସିନେଟ୍‌ରେ ସେ ଦୋଷମୁକ୍ତ ହୋଇଥିଲେ। ଏଥର ପଦବିରୁ ଓହରିଗଲା ପରେ ବି ତାଙ୍କ ବିରୋଧରେ ମହାଭିଯୋଗର ବିଚାରଣା ଚାଲିବ।

ସମ୍ବନ୍ଧିତ ଖବର