ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜୁ ଜନତା ଦଳ (ବିଜେଡି)ର ଗୁରୁତ୍ବ ବୃଦ୍ଧି ପାଇବାରେ ଲାଗିଛି। ବିଜେପି, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପରେ ଚତୁର୍ଥ ସ୍ଥାନରେ ରହିଛି ବିଜେଡି। ବର୍ତ୍ତମାନ ବିଜେଡର ୯ ଜଣ ରାଜ୍ୟସଭା ସଦସ୍ୟ ରହିଛନ୍ତି। ରାଜ୍ୟସଭାର ବର୍ତ୍ତମାନର ସ୍ଥିତି ଅନୁସାରେ ଆଗାମୀ ଅଧିବେଶନରେ ବିଜେଡି ଗୃହରେ ଏକ ସକ୍ରିୟ ଆଞ୍ଚଳିକ ଦଳ ରୂପେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାର ଅନୁମାନ କରାଯାଉଛି।
ନିକଟରେ ପ୍ରଥମଥର ରାଜ୍ୟସଭା ସଦସ୍ୟ ହୋଇଥିବା ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ମନୋନୀତ କରିବା ଦଳର ବୃଦ୍ଧି ହେଉଥିବା ଗୁରୁତ୍ବକୁ ପ୍ରତିପାଦନ କରୁଥିବା ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏତଦ୍ବ୍ୟତୀତ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ବିଜେଡିର ସାଂସଦମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କମିଟିମାନଙ୍କରେ ମନୋନୀତ କରିବା ସହିତ ଗୃହରେ ସାଂସଦମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଶଂସା ମଧ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ସ୍ବତନ୍ତ୍ର ଆଲୋଚନାରେ ଭାଗ ନେଇ ପ୍ରଧାନମନ୍ତ୍ରୀ ବିଜେଡି ସାଂସଦମାନଙ୍କର ଶୃଙ୍ଖଳିତ ଆଚରଣକୁ ନେଇ ପ୍ରଶଂସା କରିଥିଲେ। ରାଜ୍ୟସଭାରେ ଦଳୀୟ ସ୍ଥିତି ତଥା ଦଳର ଗୁରୁତ୍ବ ବୃଦ୍ଧି ହେଉଥିବାରୁ ବିଜେଡି ଓଡ଼ିଶାର ଏକାଧିକ ପ୍ରସଂଗଗୁଡ଼ିକରେ ନ୍ୟାଯ୍ୟ ଦାବି ହାସଲ ପାଇଁ କେନ୍ଦ୍ର ଉପରେ ଚାପ ପକାଇବାରେ ସମର୍ଥ ହୋଇପାରିବ ବୋଲି ଅନୁମାନ କରାଯାଉଛି।