କୋଲକାତା : ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଆୟକର ଚଢ଼ଉକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ବିଜେପି ଗଣମାଧ୍ୟମକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଚାହୁଛି ଏବଂ ଯେଉଁ ଗଣମାଧ୍ୟମ ସଂସ୍ଥା ଏହି ଧାରାରେ ଆସିବାକୁ ଚାହୁନାହାନ୍ତି ସେମାନଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି। ଏଭଳି ହେଲେ ଆଗକୁ ସରକାର ବିରୋଧରେ ଆଉ କୌଣସି ଗଣମାଧ୍ୟମ ସଂସ୍ଥା ରହିବ ନାହିଁ ବୋଲି ସେ କହିଛନ୍ତି। ବିଜେପି ଏକଛତ୍ରବାଦ ନୀତିରେ କାର୍ଯ୍ୟ କରୁଛି ଏବଂ ମୁଁ ଜନମତକୁ ସମ୍ମାନ ଦେଇ କାମ କରୁଛି ବୋଲି ମମତା କହିଛନ୍ତି।

Advertisment

ଅନ୍ୟପକ୍ଷରେ କଂଗ୍ରେସ ଆଜି ମଧ୍ୟ ଏହି ପ୍ରସଙ୍ଗରେ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି। ୨୦୧୪ ପବୂର୍ରୁ ମୋଦୀ ବିବିସି ଉପରେ ଭରସା କରୁଥିଲେ, ଏବେ କେଉଁ ପରିସ୍ଥିତିରେ ବଦଳିଗଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ନେତା ପବନ ଖେରା କହିଛନ୍ତି ଭାରତ ଗଣତନ୍ତ୍ରର ଜନନୀ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଛଳନାର ଜନକ। ବିବିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଜେପିର ପ୍ରତିଶୋଧ ରାଜନୀତିର ପରିଣାମ ବୋଲି ସେ କହିଛନ୍ତି।