ନୂଆଦିଲ୍ଲୀ: ଦୀର୍ଘ ଚାରି ମାସ ହେଲା ଲଦାଖ ସୀମାରେ ଏଲ୍‌ଏସି ନିକଟରେ ଭାରତୀୟ ଯବାନମାନେ ଚୀନ ସେନା ସହ ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ଗତ ୨୦ ଦିନ ଭିତରେ ସଂପୃକ୍ତ ଇଲାକାରେ ୬ଟି ପ୍ରମୁଖ ପର୍ବତ ଶିଖର ଅକ୍ତିଆର କରିନେଇଛନ୍ତି। ଗତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ମଧ୍ୟରେ ଭାରତୀୟ ଯବାନଙ୍କ କବ୍‌ଜାକୁ ଆସିଥିବା ଏହି ଶିଖରଗୁଡ଼ିକ ମଧ୍ୟରେ ମଗର ହିଲ୍‌, ଗୁରୁଙ୍ଗ ହିଲ୍‌, ରେଚେନ୍‌ ଲା, ରେଜାଙ୍ଗ ଲା ଏବଂ ଚୀନୀ ସେନା ଦଖଲରେ ଥିବା ଫିଙ୍ଗର ୪ ନିକଟ ଏକ ଶିଖର ରହିଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। ଉପରୋକ୍ତ ଶିଖରଗୁଡ଼ିକ ଆଗରୁ ଖାଲି ଏବଂ ବେଦଖଲ ହୋଇ ରହିଥିଲା। ଚୀନ ସୈନିକ ସେଠାରେ ପହଞ୍ଚିବା ଆଗରୁ ଭାରତୀୟ ଯବାନମାନେ ସେଗୁଡ଼ିକ କବ୍‌ଜା କରି ପକାଇଥିଲେ ବୋଲି କୁହାଯାଇଛି। ଫଳରେ ସଂପୃକ୍ତ ଇଲାକାରେ ଏବେ ଭାରତୀୟ ଯବାନମାନେ ପ୍ରତିପକ୍ଷ ଅପେକ୍ଷା ଯଥେଷ୍ଟ ସୁବିଧାଜନକ ସ୍ଥିତିରେ ଥିବା ଜଣାଯାଇଛି। ଅପରପକ୍ଷେ, ପାଙ୍ଗଙ୍ଗ ସୋ’ ହ୍ରଦର ଉତ୍ତର ଉପକୂଳରୁ ଦକ୍ଷିଣ ଉପକୂଳ ମଧ୍ୟରେ ଚୀନ ସେନା ପକ୍ଷରୁ ଅତି କମ୍‌ରେ ତିନିଟି ଶିଖର ଦଖଲ ପାଇଁ ହୋଇଥିବା ଉଦ୍ୟମକୁ ଭାରତୀୟ ଯବାନମାନେ ପଣ୍ଡ କରିଦେଇଛନ୍ତି। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ସାମନ୍ୟ ଗୁଳି ବିନିମୟ ହୋଇଥିଲେ ହେଁ କୌଣସି ଜୀବନହାନି ଘଟିନାହିଁ। ତେବେ ଭାରତର ଏପରି ଅଭିଯାନ ପରେ ଚୀନ ସେନା ରେଜାଙ୍ଗ ଲା ଓ ରେଚେନ୍‌ ଲା ନିକଟରେ ୩,୦୦୦ରୁ ଅଧିକ ସୈନ୍ୟ ଆଣି ଠୁଳ କରି ରଖିଛି। ଅବଶ୍ୟ ବ୍ଲାକ୍‌ ଟପ୍‌ ଓ ହେଲମେଟ୍‌ ଟପ୍‌ ପର୍ବତ ଶିଖର ଦ୍ବୟ ପ୍ରକୃତ ନିୟନ୍ତ୍ରଣ ରେଖାର ଚୀନ୍‌ ପଟେ ରହିଥିବା ବେଳେ ଭାରତ ଦଖଲ କରିଥିବା ନୂତନ ୬ଟି ଯାକ ଶିଖର ପ୍ରକୃତ ନିୟନ୍ତ୍ରଣ ରେଖାର ଭାରତୀୟ ପାର୍ଶ୍ବରେ ରହିଥିବା କୁହାଯାଇଛି।