ପିଏଲ୍‌ଏର ମୁକାବିଲା ପାଇଁ ଭାରତୀୟ ସେନା ସଦା ପ୍ରସ୍ତୁତ: ସେନାମୁଖ୍ୟ

ନୂଆଦିଲ୍ଲୀ: ଚୀନ୍ ସହ ଚତୁର୍ଦ୍ଦଶ ପର୍ଯ୍ୟାୟ କର୍ପସ୍ କମାଣ୍ଡର-ସ୍ତରୀୟ କଥାବାର୍ତ୍ତା ଚାଲିଥିବା ବେଳେ ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରବଣେ ବୁଧବାର କହିଛନ୍ତି ଯେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଆଂଶିକ ଅସ୍ତ୍ରବିରତି ଚାଲିଥିଲେ ମଧ୍ୟ ଚୀନ୍ ପଟୁ ବିପଦ ଆଶଙ୍କା ସବୁବେଳେ ରହିଛି। ତେବେ ଯେକୌଣସି ପରିସ୍ଥିତିରେ ଚୀନ୍‌ର ପିପୁଲ୍‌ସ ଲିବରେସନ ଆର୍ମି (ପିଏଲ୍‌ଏ) ସହ ଦୃଢ଼ ଓ ନିର୍ଣ୍ଣାୟକ ଢଙ୍ଗରେ ମୁକାବିଲା କରିବାକୁ ଭାରତୀୟ ସେନା ସଦା ପ୍ରସ୍ତୁତ ଅଛି।

ଭାରତୀୟ ସେନା ଦିବସ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ନରବଣେ କହିଛନ୍ତି, ୨୦୨୦ରେ ସୀମାରେ ଚୀନ୍ ସେନା ସହ ମୁହାଁମୁହିଁ ପରଠାରୁ ଭାରତ ଉକ୍ତ ଅଞ୍ଚଳରେ ସୈନ୍ୟ ଶକ୍ତି ବୃଦ୍ଧି କରିଛି। ତେବେ ଗତବର୍ଷ ଜାନୁଆରିରୁ ଆମର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ଉତ୍ତର ସୀମାନ୍ତରେ ଆମର ସର୍ବଦା ଉଚ୍ଚସ୍ତରର ପ୍ରସ୍ତୁତି ରହିଥିବା ବେଳେ ପିଏଲ୍‌ଏ ସହ କଥାବାର୍ତ୍ତା ବି ଜାରି ରଖିଛୁ। ଚୀନ୍‌ର ନୂଆ ସୀମା ଆଇନ ବିଷୟରେ ନରବଣେ କହିଛନ୍ତି, ଯେଉଁ ଆଇନ ଅନ୍ୟ ଦେଶ ପାଇଁ କାର୍ଯ୍ୟକାରୀ ନୁହେଁ, ଯାହା ଆଇନ ଦ୍ବାରା ପ୍ରତିଷ୍ଠିତ ନୁହେଁ ଏବଂ ଯାହା ପୂର୍ବର ଚୁକ୍ତିନାମାକୁ ଭଙ୍ଗ କରୁଛି, ତାହାକୁ ନିଶ୍ଚିତ ରୂପେ ଭାରତ ମାନିବାକୁ ବାଧ୍ୟ ନୁହେଁ। ନାଗାଲାଣ୍ଡ ଗୁଳିକାଣ୍ଡ ମାମଲା ବିଷୟରେ ନରବଣେ କହିଛନ୍ତି, ତଦନ୍ତ ଶେଷ ହେବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ପାକିସ୍ତାନ ଆଡ଼ୁ ରହିଥିବା ବିପଦ ସମ୍ପର୍କରେ ନରବଣେ କହିଛନ୍ତି ଯେ, ବିଭିନ୍ନ ଲଞ୍ଚ ପ୍ୟାଡ୍‌ରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ଉଦ୍ୟମ ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧିତ ଖବର