ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ ସୀମାରେ ଶତ୍ରୁପକ୍ଷକୁ ମୁକାବିଲା କରିବା ସହ ଅସହ୍ୟ ଶୀତକୁ ମଧ୍ୟ ଭଲଭାବେ ମୁକାବିଲା କରିବାପାଇଁ ପ୍ରସ୍ତୁତ ହେଉଛି। ସୀମାରେ ସୈନିକଙ୍କ ପାଇଁ ନୂଆ ଆଶ୍ରୟସ୍ଥଳ ନିର୍ମାଣ ହେଉଛି ଏବଂ ବିଭିନ୍ନ ପୂର୍ବନିର୍ମିତ ନିର୍ମାଣଗୁଡ଼ିକୁ ପୁଣିଥରେ ପ୍ରସ୍ତୁତ କରାଯାଉଛି ଯୁଦ୍ଧ ପାଇଁ ଭାରତୀୟ ସେନା ଚୀନ୍ ସେନାକୁ ସାମ୍ନା କରିବାପାଇଁ ଏହାର ଟି-୯୦ ଏବଂ ଟି-୭୨ ଟ୍ୟାଙ୍କ୍ ଏବଂ ବିଏମ୍ପି-୨ ଇନଫ୍ୟାଣ୍ଟ୍ରି କମ୍ବାଟ୍ ଭେଇକଲ୍ ସହିତ ପ୍ରସ୍ତୁତ ରହିଛି। ଏଗୁଡ଼ିକ ମାଇନସ୍ ୪୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ବି କାମ କରିପାରିବ।
ପୂର୍ବ ଲଦାଖ୍ ଅଞ୍ଚଳରେ ଶୀତଋତୁରେ ତାପମାତ୍ରା ସାଧାରଣତଃ ରାତି ସମୟରେ ମାଇନସ୍ ୩୫ ଡିଗ୍ରିକୁ ଚାଲିଯାଏ। ଏଥିସହ ପ୍ରବଳ ବରଫପାତ ମଧ୍ୟ ହୋଇଥାଏ। ତେବେ ଚୀନ୍ ସେନା ସହ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ବିବାଦ ଲାଗି ରହିଥିବାବେଳେ ଭାରତୀୟ ସେନାର ସଶସ୍ତ୍ର ରେଜିମେଣ୍ଟ୍ ଚୀନ୍ ସେନାକୁ ସାମ୍ମା କରିବାକୁ ପ୍ରସ୍ତୁତ। ୧୪,୫୦୦ ଫୁଟ୍ ଉଚ୍ଚତାରେ ମଧ୍ୟ ଭାରତ ଚୀନ୍ ସେନାକୁ ମୁକାବିଲା କରିପାରିବେ। ତେବେ ଫାୟାର ଆଣ୍ଡ୍ ଫ୍ୟୁରି କର୍ପ୍ସ ହେଉଛି ଭାରତୀୟ ସେନାର ଏକମାତ୍ର ସଂଗଠନ ଯାହା ଏଭଳି ଗୁରୁତ୍ବପୂର୍ଣ୍ଣ ଏବଂ ଜଟିଳ ଅଞ୍ଚଳରେ ଯାନ୍ତ୍ରିକ ଶକ୍ତିର ମୁତୟନ କରିଥାଏ। ଟ୍ୟାଙ୍କ୍, ଇନ୍ଫ୍ୟାଣ୍ଟ୍ରି କମ୍ବାଟ୍ ଭେଇକଲ୍ ଏବଂ ଭାରି ବନ୍ଧୁକର ମେଣ୍ଟେନାନ୍ସ କରିବା ଏହିସବୁ ଅଞ୍ଚଳରେ ବହୁତ ଚ୍ୟାଲେଞ୍ଜିଂ। ତେବେ ଉଭୟ ମଣିଷ ଏବଂ ମେସିନ୍ ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତି ଜାରି ରହିଛି ବୋଲି ମେଜର ଜେନେରାଲ ଅରବିନ୍ଦ କପୁର କହିଛନ୍ତି। ଭାରତୀୟ ଟ୍ୟାଙ୍କ୍ ରେଜିମେଣ୍ଟ୍ର ନଦୀ ପାର ହେବାଠାରୁ ବିଭିନ୍ନ ସମସ୍ୟାର ସାମ୍ନା କରିବା ଭଳି ଯେଉଁ ଦକ୍ଷତା ରହିଛି ତାହା ପୂର୍ବରୁ ପ୍ରମାଣିତ ହୋଇସାରିଛି। ତେବେ ଯାନ୍ତ୍ରିକ ଇନ୍ଫ୍ୟାଣ୍ଟ୍ରି ହେଉଛି ଭାରତୀୟ ସେନାବାହିନୀର ଏକ ଅତ୍ୟାଧୁନିକ ଅଂଶ। ଏହା ଯେକୌଣସି ପରିସ୍ଥିତିରେ ବି କାମ କରିପାରିବ। ସେହିପରି ଯେକୌଣସି ମୁହୂର୍ତ୍ତରେ ଯଦି ଏଲ୍ଏସିରେ ଆବଶ୍ୟକ ପଡ଼େ ତେବେ ଭାରତୀୟ ସଶସ୍ତ୍ର ରେଜିମେଣ୍ଟ୍ ସେଠାରେ ପହଞ୍ଚିବାପାଇଁ ସକ୍ଷମ ବୋଲି କୁହାଯାଇଛି।