ମୁମ୍ବାଇ : ଜର୍ମାନୀରେ ଶିଶୁ ଅଧିକାର ହେପାଜତରେ ଥିବା ଜଣେ ଭାରତୀୟ ଶିଶୁଙ୍କୁ ଫେରି ପାଇବା ପାଇଁ ସେମାନଙ୍କ ବାପାମା’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି। ଜର୍ମାନୀର ଶିଶୁ ଅଧିକାର କର୍ତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କ ପିଲା ଗତ ପ୍ରାୟ ଦେଢ଼ ବର୍ଷ ହେଲା ରହିଛି।
ମୁମ୍ବାଇଠାରେ ସେମାନେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ୨୦୨୧ ସେପ୍ଟେମ୍ବରରେ ସେମାନଙ୍କ ଝିଅକୁ ଜର୍ମାନୀର ଶିଶୁ ସେବା କର୍ତ୍ତୃପକ୍ଷ ନେଇ ଯାଇଥିଲେ। ଦୁର୍ଘଟଣାବଶତଃ ଝିଅର ଗୁପ୍ତାଙ୍ଗରେ ଆଘାତ ଲାଗିଥିଲା। ଆମେ ତାକୁ ଡାକ୍ତର ପାଖକୁ ନେଇଥିଲୁ। ଝିଅ ଠିକ୍ ଥିବା କହି ଡାକ୍ତର ସେମାନଙ୍କୁ ଫେରାଇ ଦେଇଥିଲେ। ଏହାପରେ ଆମେ ଆଉ ଥରେ ଝିଅର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଯାଇଥିଲୁ। ଝିଅର ସ୍ବାସ୍ଥ୍ୟ ଠିକ୍ ଥିବା ଡାକ୍ତର କହିଥିଲେ ମଧ୍ୟ ସେଥର ଶିଶୁ ସେବା ଅଧିକାରୀଙ୍କୁ ଡକାଯାଇଥିଲା ଏବଂ ଝିଅକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଆମେ ଜାଣିବାକୁ ପାଇଥିଲୁ ଯେ ଝିଅର ଯେଭଳି ଆଘାତ ଲାଗିଛି ସେଥିରୁ ସେମାନେ ଯୌନ ନିର୍ଯାତନା ଦିଆଯାଇଥିବା ସନ୍ଦେହ କରିଥିଲେ। ତେବେ ସେମାନଙ୍କୁ ସ୍ପଷ୍ଟ କରିବାକୁ ଯାଇ ଆମେ ଆମର ଡିଏନଏ ନମୁନା ପ୍ରଦାନ କରିଥିଲୁ। ଡିଏନଏ ପରୀକ୍ଷା ପରେ ପୁଲିସ ତଦନ୍ତ ଏବଂ ମେଡିକାଲ ରିପୋର୍ଟ ଆସିଥିଲା। ଏହାପରେ ଯୌନ ନିର୍ଯାତନା ମାମଲାକୁ ୨୦୨୨ ଫେବ୍ରୁଆରିରେ ବନ୍ଦ କରି ଦିଆଯାଇଥିଲା। ଏସବୁ ପରେ ଝିଅକୁ ଆମକୁ ଫେରାଇ ଦିଆଯିବ ବୋଲି ଭାବିଥିଲୁ। ଜର୍ମାନୀର ଶିଶୁ ସେବା ବିଭାଗ ଅଦାଲତଙ୍କ ରାୟକୁ ମଧ୍ୟ ପାଳନ କରି ନଥିଲେ।
୨୦୨୨ ଡିସେମ୍ବରରେ ଭାରତ ସରକାରଙ୍କ ହସ୍ତକ୍ଷେପ ଫଳରେ ସେମାନେ ଅଦାଲତଙ୍କ ଆଦେଶକୁ ମାନିଥିଲେ। ସେମାନେ ଶିଶୁଟିକୁ ଭାରତକୁ ଆଣିବା ଲାଗି ଉଦ୍ୟମ କରୁଛନ୍ତି। କିନ୍ତୁ ଏଥିରେ ସେମାନେ ଆଗକୁ ବଢ଼ି ପାରୁନାହାନ୍ତି। ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ପିତାମାତା କହିଛନ୍ତି।