ନୂଆଦିଲ୍ଲୀ: ଟ୍ବିଟରର ସହ-ପ୍ରତିଷ୍ଠାତା ଏବଂ ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି ଭାରତ ସରକାର ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଡୋର୍ସି କହିଛନ୍ତି, ଭାରତ ସରକାର ଟ୍ବିଟର ବନ୍ଦ କରିଦେବା ଏବଂ ଭାରତରେ ଟ୍ବିଟର କର୍ମଚାରୀଙ୍କ ଘରେ ଚଢ଼ଉ କରିବାପାଇଁ ଧମକ ଦେଇଥିଲେ। ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟ୍ବିଟର ଆକାଉଣ୍ଟ୍ ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ସାମ୍ବାଦିକଙ୍କ ଟ୍ବିଟର ଆକାଉଣ୍ଟ୍କୁ ବ୍ଲକ୍ କରିବାପାଇଁ ଭାରତ ସରକାର ଚାପ ପକାଇଥିଲେ। ଯଦି ଏହା ନହୁଏ ତେବେ ଟ୍ବିଟର ବନ୍ଦ କରିଦେବା ପାଇଁ ସରକାର ଧମକ ଦେଇଥିଲେ ବୋଲି ସୋମବାର ବିଳମ୍ବିତ ରାତିରେ ଡୋର୍ସି ୟୁଟୁବ ଚାନେଲ ବ୍ରେକିଂ ପଏଣ୍ଟ୍ରେ ସାକ୍ଷାତକାର ଦେଇ ଏହା କହିଛନ୍ତି।
ଟ୍ବିଟର ସିଇଓ ଥିବା ସମୟରେ ଡୋର୍ସି ବିଭିନ୍ନ ରାଷ୍ଟ୍ରରେ କେଉଁ ସବୁ ଚାପ ସାମ୍ନା କରିଥିଲେ ବୋଲି ପ୍ରଶ୍ନ କରାଯିବାରୁ ସେ ଏହାର ଉତ୍ତର ଦେଇ କହିଥିଲେ ଯେ ଚାଷୀ ଆନ୍ଦୋଳନ ସମୟରେ ଭାରତ ସରକାର ଆମ ଉପରେ ଚାପ ପକାଇଥିଲେ। ତେବେ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବନ ଚନ୍ଦ୍ରଶେଖର କହିଛନ୍ତି, ଡୋର୍ସି ଡାହା ମିଛ କହି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି। ସେ ଭାରତୀୟ ଆଇନର ଉଲ୍ଲଂଘନ କରିବା ସହ ଭୁଲ୍ ସୂଚନାକୁ ମଧ୍ୟ ଅସ୍ତ୍ର ଭାବେ ବ୍ୟବହାର କରିଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ୨୦୨୦ରୁ ୨୦୨୨ ମଧ୍ୟରେ ଟ୍ବିଟର ବାରମ୍ବାର ଆଇନର ଉଲ୍ଲଂଘନ କରିଥିଲେ ମଧ୍ୟ ଟ୍ବିଟରରୁ କେହି ମଧ୍ୟ ଜେଲ ଯାଇନାହାନ୍ତି କି ଭାରତରେ ଟ୍ବିଟର ବନ୍ଦ କରାଯାଇନି।
ଇତିମଧ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଟ୍ବିଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ବିଜେପି ଡୋର୍ସିଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ପର୍ଦ୍ଦାଫାସ। ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ସରକାରକୁ ଘେରିଛନ୍ତି ଏବଂ ଏହା ଗଣତନ୍ତ୍ରର କଣ୍ଠରୋଧ ଉଦ୍ୟମ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ରଣଦୀପ ସିଂହ ସୁର୍ଯେୱାଲା ଏକ ଟ୍ବିଟ୍ କରି କହିଛନ୍ତି, ମୋଦୀ ସରକାର ଉକ୍ତ ପ୍ରସଙ୍ଗରେ ଉତ୍ତର ଦେଇପାରିବେ କି? ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ଡୋର୍ସିଙ୍କ ଅଭିଯୋଗ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ। କାରଣ ଡୋର୍ସିଙ୍କ ଅଧୀନରେ ଟ୍ବିଟର ଭାରତରେ ବିଚ୍ଛିନତାବାଦୀଙ୍କ ସ୍ବରକୁ ପ୍ରୋତ୍ସାହିତ କରିଛି।