କ୍ଷେପଣାସ୍ତ୍ର ପରୀକ୍ଷଣରେ ବିରଳ ସଫଳତା ହାସଲ କରି ନିଜକୁ ବିଶ୍ୱସ୍ତରୀୟ ନୌଶକ୍ତି ଭାବେ ପ୍ରମାଣିତ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତୀୟ ନୌସେନା ଆଜି ଏକ ବିରଳ ସଫଳତା ହାସଲ ସହ ନୂଆ ଅଧ୍ୟାୟର ଆରମ୍ଭ କରିଛି। ଏକ ବିରଳ ପରୀକ୍ଷଣକୁ ସଫଳତା ପୂର୍ବକ ସମାପ୍ତ କରିବା ପରେ ଭାରତୀୟ ନୌସେନା ଏହି ଗୌରବର ଅଧିକାରୀ ହୋଇପାରିଛି। ପଶ୍ଚିମ ନୌସେନାର କୋଚି ଓ ଚେନ୍ନାଇ ହାରବରରେ ମୁତୟନ ଥିବା ନୌସେନାର ଦୁଇଟି ଯୁଦ୍ଧ ପୋତରୁ ନିକ୍ଷେପ କରାଯାଇଥିବା ଦୁଇଟି କ୍ଷେପଣାସ୍ତ୍ର ବା ମିସାଇଲକୁ ଏକ ତୃତୀୟ ଯୁଦ୍ଧ ପୋତ ସାହାଯ୍ୟରେ ନିୟନ୍ତ୍ରଣ କରାଯାଇଥିଲା।

ପ୍ରଥମ ଯୁଦ୍ଧ ପୋତରେ ଖଞ୍ଜା ଯାଇଥିବା ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ଏକ କ୍ଷେପଣାସ୍ତ୍ରକୁ ଛଡ଼ା ଯାଇଥିବା ବେଳେ ଦ୍ୱିତୀୟ ଯୁଦ୍ଧ ପୋତରେ ଏହି କ୍ଷେପଣାସ୍ତ୍ରକୁ ଅକାମୀ କରିବା ପାଇଁ ଖଞ୍ଜା ଯାଇଥିବା ଆଉ ଏକ କ୍ଷେପଣାସ୍ତ୍ର ଛଡ଼ାଯାଇ ଏହାକୁ ଅକାମୀ କରି ଦିଆ ଯାଇଥିଲା। ଏହି ସମସ୍ତ କାର୍ଯ୍ୟର ନିୟନ୍ତ୍ରଣ ଓ ପରିଚାଳନା ତୃତୀୟ ଯୁଦ୍ଧ ପୋତରୁ ହିଁ କରାଯାଇଥିଲା। ଏହି ପରୀକ୍ଷଣ ଭାରତୀୟ ନୌସେନା, ଡିଆରଡିଓ ଓ ଇସ୍ରାଏଲ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ମିଳିତ ଭାବେ କରାଯାଇଥିଲା।

ଏହି ବିରଳ ପରୀକ୍ଷଣକୁ ସଫଳତା ପୂର୍ବକ ସମାପ୍ତ କରିବା ପରେ ଭାରତୀୟ ନୌସେନା ଏବେ ବିଶ୍ୱର ସେଇ ହାତଗଣତି ରାଷ୍ଟ୍ରମାନଙ୍କର ତାଲିକାରେ ନିଜକୁ ସାମିଲ କରାଇ ପାରିଛି, ଯେଉଁମାନଙ୍କ ନିକଟରେ ଏହି କ୍ଷମତା ମହଜୁଦ୍‌ ରହିଛି। ଏଥିସହ ଭାରତୀୟ ନୌସେନା ମଧ୍ୟ ବିଶ୍ୱ ସ୍ତରୀୟ ନୌସେନାର ମାନ୍ୟତା ଲାଭ କରି ପାରିଛି।

ସମ୍ବନ୍ଧିତ ଖବର