ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଏକ ତୃତୀୟ ବିମାନବାହୀ ଯୁଦ୍ଧଜାହାଜ ସାମିଲ କରିବାର ଆବଶ୍ୟକତା ରହିଛି ବୋଲି ନୌସେନା ପକ୍ଷରୁ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ୫୭ଟି ଯୁଦ୍ଧବିମାନ ଧାରଣ କରିବାର କ୍ଷମତା ରଖୁଥିବା ଏହି ପ୍ରସ୍ତାବିତ ବିମାନବାହୀ ଯୁଦ୍ଧଜାହାଜର ଆନୁମାନିକ ମୂଲ୍ୟ ୧.୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନା ନିକଟରେ ଏବେ ଆଇଏନ୍ଏସ୍ ବିକ୍ରମାଦିତ୍ୟ ନାମରେ କେବଳ ଗୋଟିଏ ମାତ୍ର ବିମାନବାହୀ ଯୁଦ୍ଧଜାହାଜ ରହିଛି। ଏବଂ ଆଉ ଏକ ବିମାନବାହୀ ଯୁଦ୍ଧଜାହାଜର ନିର୍ମାଣ କାର୍ଯ୍ୟ ଏବେ କୋଚିନ୍ ସିପ୍ୟାର୍ଡ ଲମିଟେଡ୍ (ସିଏସ୍ଏଲ୍)ରେ ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ଆଉ କିଛି ବର୍ଷ ମଧ୍ୟରେ ଚୂଡ଼ାନ୍ତ ହେବାପରେ ଏହା ଭାରତୀୟ ନୌସେନାରେ ସାମିଲ ହେବ।
/sambad/media/post_attachments/wp-content/uploads/2018/01/Indian-Navy2-300x168.jpg)
ତେବେ, ଭାରତୀୟ ନୌସେନା ପକ୍ଷରୁ ତୃତୀୟ ବିମାନବାହୀ ଯୁଦ୍ଧଜାହାଜ ନୌସେନାରେ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ବିମାନବାହୀ ଯୁଦ୍ଧଜାହାଜର ଆନୁମାନିକ ମୂଲ୍ୟ ୭୦ ହଜାର କୋଟି ଆକଳନ କରାଯାଇଥିବା ବେଳେ ଏହି ଯୁଦ୍ଧଜାହାଜରେ ରହିବାକୁ ଥିବା ୫୭ଟି ଯୁଦ୍ଧ ବିମାନର ମୂଲ୍ୟ ୯୦ ହଜାରରୁ ୯୫ ହଜାର କୋଟି ମଧ୍ୟରେ ରହିବ ବୋଲି ଆକଳନ କରାଯାଉଛି। ଏଥିରେ ୫୭ଟି ଦ୍ୱୈତ ଇଞ୍ଜିନ୍ ବିଶିଷ୍ଟ ଆମେରିକା ନିର୍ମିତ ଏଫ୍-୧୮ କିମ୍ବା ଫ୍ରାନ୍ସ ନିର୍ମିତ ରାଫେଲ୍ ଯୁଦ୍ଧ ବିମାନ ମୁତୟନ ରଖିବାକୁ ନୌସେନା ଲକ୍ଷ୍ୟ ରଖିଛି।
ସଂପ୍ରତି ଚୀନ୍ ପକ୍ଷରୁ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥିବା ସମ୍ଭାବ୍ୟ ଯୁଦ୍ଧ ଓ ଆକ୍ରମଣ ଆଶଙ୍କା ପରିପ୍ରେକ୍ଷୀରେ ଦେଶର ନୌସେନା ନିଜ ଶକ୍ତିକୁ ବୃଦ୍ଧି କରିବା ସହ ଆଣବିକ କ୍ଷମତା ସଂପନ୍ନ ଆଉ ଏକ ବିମାନବାହୀ ଯୁଦ୍ଧଜାହାଜ ଦେଶର ନୌସେନାରେ ସାମିଲ କରିବାକୁ ଚାହୁଁଛି।
ଏ ସଂପର୍କରେ ରହିଥିବା ଆବଶ୍ୟକତାକୁ ଦର୍ଶାଯାଇ ନୌସେନା ପକ୍ଷରୁ କୁହାଯାଇଛି ଯେ ଦେଶର ପୂର୍ବ ମହାସାଗର ଓ ପଶ୍ଚିମ ମହାସାଗରରେ ଗୋଟିଏ କରି ବିମାନବାହୀ ଯୁଦ୍ଧଜାହାଜ ମୁତୟନ ରଖିବା ପାଇଁ ନୌସେନା ଚାହୁଁଛି। ଅନ୍ୟ ଏକ ବିମାନବାହୀ ଯୁଦ୍ଧଜାହାଜକୁ ଜରୁରୀକାଳିନ ପରିସ୍ଥିତି ପାଇଁ ସବୁବେଳେ ନିଜ ପାଖରେ ତୟାର ରଖିବାକୁ ଚାହୁଁଛି। ଯେତେବେଳେ ମୁତୟନ ଥିବା ବିମାନବାହୀ ଯୁଦ୍ଧଜାହାଜ ମଧ୍ୟରୁ କେହି ମରାମତି ଉଦ୍ଦେଶ୍ୟରେ ବିରାମ ନିଅନ୍ତି, ସେତେବେଳେ ତୟାର ଥିବା ତୃତୀୟ ଜାହାଜଟି ଯାଇ ତା’ ସ୍ଥାନରେ ମୁତୟନ ହୋଇପାରିବ। ତେବେ, ସାଂପ୍ରତିକ ସ୍ଥିତିରେ ଉଭୟ ସ୍ଥଳସେନା ଓ ବାୟୁସେନା ପାଇଁ ବିପୁଳ ଅର୍ଥ ବିନିମୟରେ ଅନେକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର କିଣିବାକୁ ଥିବାବେଳେ ସରକାର ନୌସେନାର ତୃତୀୟ ବିମାନବାହୀ ଯୁଦ୍ଧଜାହାଜ କ୍ରୟ ପାଇଁ ଅବିଳମ୍ବେ ରାଜି ହୋଇ ନ ପାରନ୍ତି ବୋଲି ମଧ୍ୟ କୁହାଯାଉଛି।