ସଂକ୍ରମଣ ୧.୨୮ କୋଟି ଟପିଲା: ୧ ଲକ୍ଷ ୧୫ ହଜାର ନୂଆ ମାମଲା, ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଆଜି ୧ କୋଟି ୨୮ ଲକ୍ଷ ଟପିଯାଇଛି। ୩ ଦିନ ମଧ୍ୟରେ ଆଜି ଦ୍ବିତୀୟ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ୧,୧୫,୭୩୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଆଜି ପର୍ଯ୍ୟନ୍ତ ଦେଶର ସର୍ବାଧିକ ସଂକ୍ରମଣ। ଏହା ପୂର୍ବରୁ ଗତ ସୋମବାର ଦେଶରେ ସଂକ୍ରମଣ ମାମଲା ୧୦୩,୫୫୮ ଥିଲା। ବିଗତ ୨୪ ଘଣ୍ଟାରେ ଦେଶରେ ୬୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧, ୨୮, ୦୧,୭୮୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୬,୧୭୭ ରହିଛି। ଲଗାତାର ୨୮ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ି ଚାଲିଛି। ଦେଶରେ ସକ୍ରିୟ ମାମଲା ଏବେ ୮,୪୩,୪୭୩ରେ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୬.୫୯ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୨.୧୧ ପ୍ରତିଶତକୁ ଖସି ଆସିଛି। ଦେଶରେ ସକ୍ରିୟ ମାମଲା ୭ ଲକ୍ଷ ଟପିବାର ମାତ୍ର ୨ ଦିନ ପରେ ୮ ଲକ୍ଷ ଟପିଛି। ଦ୍ବିତୀୟ ଲହରରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଛି।

ମହାରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହିଛି। ଗତକାଲି ମହାରାଷ୍ଟ୍ରରେ ୫୫ ହଜାରରୁ ଅଧିକ ସଂକ୍ରମଣ ମାମଲା ଥିବା ବେଳେ ୨୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ କଟକଣା କଡ଼ାକଡ଼ି କରାଯାଇଛି। ସଂକ୍ରମଣ ବଢ଼ିବାରୁ କର୍ଣ୍ଣାଟକର ବେଙ୍ଗାଲୁରରେ ଆଜିଠାରୁ ୧୪୪ ଧାରା ଜାରି ହୋଇଛି।

ନୂଆଦିଲ୍ଲୀ : ଦେଶରେ ଦ୍ବିତୀୟ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିବାର କାରଣ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା ହର୍ଷବର୍ଦ୍ଧନ ଆଜି କେତେକ ତଥ୍ୟ ରଖିଛନ୍ତି। ଦୈନିକ ସଂକ୍ରମଣ ବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଲୋକମାନେ ଅତ୍ୟନ୍ତ ବେପରୁଆ ହୋଇଯାଇଛନ୍ତି। ଲୋକଙ୍କ ଭୁଲ୍‌ ପାଇଁ ସଂକ୍ରମଣ ପୂର୍ବା‌ପେକ୍ଷା ଅଧିକ କ୍ଷୀପ୍ର ଗତିରେ ବ୍ୟାପୁଛି। ହର୍ଷବର୍ଦ୍ଧନ କହିଛନ୍ତି, ସବୁକିଛି ଏବେ ବି ନିୟନ୍ତ୍ରଣରେ ରହିଛି। କିନ୍ତୁ‌ କିଛି ଭୁଲ୍‌ ପାଇଁ ସଂକ୍ରମଣ ଜଟିଳ ରୂପ ନେଇଛନ୍ତି। ପୂର୍ବପରି ଲୋକମାନେ କରୋନା ନିୟମାବଳି ପାଳନ କରିବା ଦିଗରେ ଅଧିକ ସଚେତନ ହେବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଗତକାଲି ବିଭିନ୍ନ ରାଜ୍ୟର କରୋନା ସ୍ଥିତି ଏବଂ ଟିକାକରଣର ପ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଥି‌ଲେ। ଉପରୋକ୍ତ ରାଜ୍ୟରୁ ମୋଟ୍‌ ସଂକ୍ରମଣ ମାମଲାର ୫୪ ପ୍ରତିଶତ ଚିହ୍ନଟ ହୋଇଛି ଏବଂ ଦେଶରେ ମୋଟ୍‌ ମୃତ୍ୟୁର ୬୫ ପ୍ରତିଶତ ଉପରୋକ୍ତ ରାଜ୍ୟମାନଙ୍କରେ ରହିଛି।

ସମ୍ବନ୍ଧିତ ଖବର