ସଂକ୍ରମଣ ୨ କୋଟି ଟପିଲା

ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ସଂକ୍ରମଣ ୨ କୋଟି ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩,୫୭,୨୨୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩,୪୪୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ଆଜି ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୨,୨୨,୪୦୮କୁ ବୃଦ୍ଧି ପାଇଛି। ଆମେରିକା ଏବଂ ବ୍ରାଜିଲ୍‌ ପରେ ତୃତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି। ସକ୍ରିୟ ମାମଲା ୩୪,୪୭,୧୩୩ ରହିଛି।

ଦେଶରେ ପ୍ରଥମ ଥର ପାଇଁ ଗତ ୧ ତାରିଖରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷ ଟପିଥିଲା। ସାରା ବିଶ୍ବରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ଥିଲା। ତେବେ ଏହାପରେ ସଂକ୍ରମଣ କମିଛି। ଗତକାଲି ଦୈନିକ ସଂକ୍ରମଣ ମାମଲା ୩,୬୮,୧୪୭ ଥିଲା। ଗତ ୨୪ ଘଣ୍ଟାରେ ଦେଶରେ ୩,୨୦,୨୮୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୧,୬୬,୧୩,୨୯୨ ପହଞ୍ଚିଛି। ଦେଶରେ ଏଯାବତ୍‌ ୧୫,୮୯,୩୨,୯୨୧ ଡୋଜ୍ ଟିକା ଦିଆସରିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଗତ ମାସରେ ପ୍ରାୟ ପ୍ରତିଦିନ ୬୦ ହଜାରରୁ ଅଧିକ ରହୁଥିଲା। ତେବେ ସୋମବାର ଦିନ ରାଜ୍ୟର ଦୈନିକ ସଂକ୍ରମଣ ମାମଲା ୫୦ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ୪୮,୬୨୧ ରହିଛି। ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ଦୈନିକ ସଂକ୍ରମଣକୁ ଟପିଯାଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୫୯,୫୦୦ ଜଣ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି। ମୁମ୍ବାଇରେ ଲଗାତାର ସଂକ୍ରମଣ କମୁଛି। ମୁମ୍ବାଇରେ ଗତକାଲି ୨,୬୨୪ ନୂଆ ମାମଲା ଚିହ୍ନଟ ହୋଇଛି। କେରଳ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଏବଂ ଦିଲ୍ଲୀରେ ସଂକ୍ରମଣ ଅଧିକ ରହିଛି। ଦିଲ୍ଲୀରେ ସୋମବାର ୧୮,୦୪୩ ନୂଆ ମାମଲା ଚିହ୍ନଟ ହୋଇଛି। ଏପ୍ରିଲ ୧୫ ପରେ ଏହା ସବୁଠୁ କମ୍‌ ସଂକ୍ରମଣ। ଗତକାଲି ଦିଲ୍ଲୀରେ ସର୍ବାଧିକ ୪୪୮ ଜଣଙ୍କ କରୋନା‌ରେ ମୃତ୍ୟୁ ହୋଇଛି। ୧୦ ରାଜ୍ୟରୁ ୭୩.୧୫ ପ୍ରତିଶତ ନୂଆ କରୋନା ମୃତ୍ୟୁ ଚିହ୍ନଟ ହୋଇଛି ଏବଂ ୧୦ ରାଜ୍ୟରୁ ୭୧ ପ୍ରତିଶତ ନୂଆ ସଂକ୍ରମଣ ମାମଲା ରହିଛି।

ସମ୍ବନ୍ଧିତ ଖବର