ୟୁକ୍ରେନ୍ ଯୁଦ୍ଧ ସହ ବର୍ଷେ ହେଲା ଚାଲିଛି ସୂଚନା ଯୁଦ୍ଧ: ଅଧିକାଂଶ ଯୁଦ୍ଧ ଖବର ମିଛ, ଅତିରଞ୍ଜିତ

ଲଣ୍ଡନ : ରୁଷ୍ ତରଫରୁ ୟୁକ୍ରେନ୍‌ରେ ଅସ୍ତ୍ରଶସ୍ତ୍ରର ଯୁଦ୍ଧ ତ ଚାଲିଛି, ତା’ ସହ ଚାଲିଛି ଭୁଲ୍ ତଥ୍ୟ ପ୍ରଦାନ ମାଧ୍ୟମରେ ସୂଚନା ଯୁଦ୍ଧ। ରୁଷ୍ ସେନା ୟୁକ୍ରେନ୍‌ର ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଓ ନିର୍ଯାତନା ଦେଉଥିବା ବେଳେ ଏହି ଦୋଷ ଅନ୍ୟମାନଙ୍କ ମୁଣ୍ଡରେ ଲଦିବା ପାଇଁ ରୁଷ୍‌ ସପକ୍ଷବାଦୀମାନେ ଚେଷ୍ଟା କରୁଛନ୍ତି। ଏହି ରୁଷ୍‌ ସପକ୍ଷବାଦୀମାନେ ୟୁକ୍ରେନ୍ ସମର୍ଥକଙ୍କୁ ନାଜିଙ୍କ ତୁଳନା କରୁଥିବା ବେଳେ ସେମାନଙ୍କୁ ମିଳୁଥିବା ପାଶ୍ଚାତ୍ୟ ସହାୟତାକୁ ଧୂଆଁବାଣ ବୋଲି ମତ ଦେଉଛନ୍ତି। ଏଏଫ୍‌ବିର ଡିଜିଟାଲ ଭେରିଫିକେସନ ଟିମ୍ ଦ୍ବାରା ଗତ ବର୍ଷକର ଫ୍ୟାକ୍ଟ-ଚେକ୍‌ରୁ ଜଣାପଡ଼ିଛି ଯେ ଯୁଦ୍ଧକୁ ନେଇ ଯେତେସବୁ ଖବର ପ୍ରକାଶ ପାଇଛି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ମିଛ, ଅତିରଞ୍ଜିତ ବା ଅନୁରଞ୍ଜିତ।

ରୁଷ୍‌ ସେନାର ନିହତ ଓ ଆହତ ଯବାନଙ୍କ ସଂଖ୍ୟା ନେଇ ଲଗାତାର ମିଛ ଖବର ପରିବେଷଣ କରାଯାଉଥିବା ଯାଞ୍ଚରୁ ଜଣାପଡ଼ିଛି। ସେହିଭଳି ଏପ୍ରିଲ ୨୦୨୨ରେ ବୁସା ଗଣହତ୍ୟା ନେଇ ଯେଉଁ ଅଭିଯୋଗ ରୁଷ୍ ସେନା ବିରୋଧରେ କରାଯାଇଥିଲା, ରୁଷ୍‌ ପକ୍ଷରୁ ତାହାକୁ ଏକ ନାଟକ ବୋଲି ଅଭିହିତ କରାଯାଇଥିଲା। ଦୁଇଟି ନିମ୍ନମାନର ଭିଡ଼ିଓ ଫୁଟେଜ୍ ଦେଖାଇ ଦାବି କରାଯାଇଥିଲା ଯେ ଜିଅନ୍ତା ‌ଲୋକମାନେ ଶୋଇ ମୃତ ବୋଲି ଅଭିନୟ କରୁଥିଲେ। ସାମାଜିକ ଗଣମାଧ୍ୟମରେ ଏହିପରି ଅନେକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ କେତେକ ମର୍ମନ୍ତୁଦ ଅପରାଧ, ଅପରାଧ ନୁହେଁ ନାଟକ ଥିଲା। ସିଏନ୍‌ଏନ୍‌ ପରି ଅନେକ ଗଣମାଧ୍ୟମ ବିରୋଧରେ ମଧ୍ୟ ପୁରୁଣା ଫଟୋ ଜାରି କରୁଥିବା ଅଭିଯୋଗ ହୋଇଥିଲା। କେତେକ ଅଭିଯୋଗ ମିଥ୍ୟା ସାବ୍ୟସ୍ତ ହୋଇଥିବା ବେଳେ ଅ‌ନ୍ୟ କେତେକର ଯାଞ୍ଚ ଚାଲିଛି। ଟିଭି ଚାନେଲଗୁଡ଼ିକ ଆହତ ଲୋକମାନଙ୍କର ଯେଉଁ ଫଟୋ ଦେଖାଉଛନ୍ତି ସେଥିରୁ କେଉଁଠି ଅସଲି ତାହା ଜାଣିବା କଷ୍ଟକର ହୋଇଯାଇଛି। ଫ୍ୟାକ୍ଟ-ଚେକ୍‌ରେ କିଛି ଫଟୋ ନକଲି ସାବ୍ୟସ୍ତ ହୋଇଛି।

ମସ୍କୋ ବାରମ୍ବାର ଦେଖାଇବାକୁ ଚେଷ୍ଟା କରିଛି ଯେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ହେଉଛନ୍ତି ‘ନାଜି’ ଦଳର ମୁଖିଆ। ଏକ ଏଡିଟ୍‌କରା ଭିଡ଼ିଓରେ ଜେଲେନ୍‌ସ୍କିଙ୍କୁ କୋକେନ-ଆସକ୍ତ ବୋଲି ଦର୍ଶାଯାଇଛି। ରୁଷ୍‌ ବିରୋଧରେ ଆର୍ଥିକ କଟକଣା ପରିପ୍ରେକ୍ଷୀରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ତୈଳ ଓ ବିଜୁଳି ମୂଲ୍ୟ ଆକାଶଛୁଆଁ ହୋଇଛି ବୋଲି ମଧ୍ୟ ଭୁଲ୍ ତଥ୍ୟ ପରିବେଷଣ କରାଯାଇଥିଲା। ସେହିଭଳି ରୁଷ୍‌ର କ୍ଷୟକ୍ଷତି ସଂକ୍ରାନ୍ତରେ ଅତିରଂଜିତ ତଥ୍ୟ ଦେଇ କେତେକ ପଶ୍ଚିମ ଗଣମାଧ୍ୟମ ହଇଚଇ ସୃଷ୍ଟି କରିଥିବା ଜଣାପଡ଼ିଛି। ସେହିଭଳି ସୋସିଆଲ ମିଡିଆରେ ଉଭୟ ୟୁକ୍ରେନ୍‌ ଓ ରୁଷ୍‌ ସପକ୍ଷବାଦୀମାନେ ମିଛ ଖବରର ଲହର ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର