ଦେଶର ସ୍ବାର୍ଥ ବଡ଼, ତୃତୀୟ ଥର ପାଇଁ ବିବାହ ସ୍ଥଗିତ କଲେ ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ

କୋପେନ୍‌ହେଗେନ୍‌(ଡେନମାର୍କ): ସାରା ବିଶ୍ବରେ ନିଜର କାୟା ବିସ୍ତାରିଥିବା ମହାମାରୀ କୋଭିଡ୍-୧୯ ବିଗତ ୫ ମାସ ମାସ ଭିତରେ ଅନେକ ବିବାହ ଉତ୍ସବକୁ ଟାଳିଦେଇଛି। ଏପରିକି ଏଭଳି ସ୍ଥଗିତୀକରଣ ପ୍ରକ୍ରିୟାରୁ କୌଣସି ରାଷ୍ଟ୍ର ନେତା ବି ବର୍ତ୍ତିପାରିନାହାନ୍ତି। ତେବେ କୋଭିଡ୍ ପାଇଁ ନିଜର ବିବାହକୁ ଦୁଇ ଦୁଇ ଥର ଘୁଞ୍ଚାଇବା ପରେ ଏକ ଶୁଭ ମୁହୂର୍ତ୍ତରେ ତାହା ସଂପନ୍ନ କରିବାକୁ ଆଶାୟୀ ଥିବା ଡେନ୍‌ମାର୍କ ପ୍ରଧାନମନ୍ତ୍ରୀ ମେଟ୍ ଫ୍ରେଡେରିକ୍‌ସନ୍ ନିଜ ଦେଶର ସ୍ବାର୍ଥ ପାଇଁ ଶେଷରେ ତୃତୀୟ ଥର ପାଇଁ ମଧ୍ୟ ତାହା ସ୍ଥଗିତ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁରୋପୀୟ ସଂଘର ଏକ ସମ୍ମିଳନୀରେ ଯୋଗଦେବା କାରଣ ପାଇଁ ସେ ଏପରି ନିଜର ବିବାହ ଉତ୍ସବକୁ ଶେଷ ଥର ଲାଗି ଘୁଞ୍ଚାଇଥିବା ଜଣାଯାଇଛି। ତେବେ ନିଜର ଭାବୀ ସ୍ବାମୀ ବୋ ଟେଙ୍ଗବର୍ଗଙ୍କ ସହ ଏକ ଫଟୋ ଫେସ୍‌ବୁକ୍‌ରେ ଛାଡ଼ି ଫ୍ରେଡେରିକ୍‌ସନ୍ ଏପରି ଧୈର୍ଯ୍ୟର ସହ ଅପେକ୍ଷା କରିଥିବା ଜଣେ ଚମତ୍କାର ବ୍ୟକ୍ତିତ୍ବଙ୍କୁ ବିବାହ କରିବାକୁ ବ୍ୟାକୁଳ ହୋଇ ରହିଛନ୍ତି ବୋଲି ଲେଖିଛନ୍ତି।

ସୂଚନା ଥାଉ କି, ନିଜର ଚିତ୍ରନିର୍ମାତା ପ୍ରେମିକ ବୋ ଟେଙ୍ଗବର୍ଗଙ୍କୁ ଜୀବନସାଥୀ କରିବା ପାଇଁ ପ୍ରଧାନମନ୍ତ୍ରୀ ଫ୍ରେଡେରିକ୍‌ସନ୍ ମହାମାରୀ କୋଭିଡ୍ ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଲକ୍‌ଡାଉନ୍ ପରିସ୍ଥିତି ଯୋଗୁଁ ସେମାନଙ୍କ ବିବାହ ଉତ୍ସବ ଦୁଇ ଥର ଘୁଞ୍ଚିବା ପରେ ଶେଷରେ ଆଗାମୀ ଜୁଲାଇ ୧୮ ତାରିଖ ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ କୋଭିଡ୍ ପାଇଁ ଉଜୁଡ଼ିପଡ଼ିଥିବା ଅର୍ଥନୀତିର ପୁନରୁଦ୍ଧାର ପାଇଁ ୟୁରୋପୀୟ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ଆଗାମୀ ୧୭ ଓ ୧୮ ଦୁଇ ଦିନ ଧରି ହେବ ବୋଲି ଗତ ସପ୍ତାହରେ ହଠାତ୍ ନିଷ୍ପତ୍ତି ହୋଇଛି। ଏଥିରେ ୨୭ଟି ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଯୋଗଦେବାକୁ ଥିବା ବେଳେ ଦେଶର ସ୍ବାର୍ଥ ସହ ଜଡ଼ିତ ଏହି ବୈଠକରେ ଫ୍ରେଡେରିକ୍‌ସନ୍ ମଧ୍ୟ ଉପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସୁତରାଂ ତାଙ୍କୁ ତୃତୀୟ ଥର ପାଇଁ ବିବାହ ଉତ୍ସବକୁ ସ୍ଥଗିତ ରଖିବାକୁ ପଡ଼ିଛି। ତେବେ ଏପରି ବାରମ୍ବାର ବିବାହ ତାରିଖ ଘୁଞ୍ଚିବାକୁ ଧୈର୍ଯ୍ୟର ସହ ସମ୍ଭାଳିଥିବା ବୋଙ୍କ ପରି ଅସାଧାରଣ ଚରିତ୍ରଙ୍କୁ ସେ ଏହି ସମ୍ମିଳନୀ ପରେ ଖୁବ୍ ଶୀଘ୍ର ଜୀବନସାଥୀ କରିବେ ବୋଲି ସଂକେତ କରିଛନ୍ତି।

ସମ୍ବନ୍ଧିତ ଖବର