ଇଣ୍ଟରପୋଲ୍‌ ସମ୍ମିଳନୀର ଲୋଗୋ ହେବ କୋଣାର୍କ ଚକ

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରୁ ତିନି ଦିନ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଅପରାଧ ପୁଲିସ ସଂଗଠନ (ଇଣ୍ଟରପୋଲ)ର ୯୦ ତମ ସାଧାରଣ ସମ୍ମିଳନୀ। ଏହି ସମ୍ମିଳନୀର ଲୋଗୋ ହେବ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ। ସିବିଆଇ ଦ୍ବାରା ସମ୍ମିଳନୀର ଆୟୋ‌ଜନ କରାଯାଇଥିବା ବେଳେ ନିକଟରେ ଏହାର ଲୋଗୋକୁ ଉନ୍ମୋଚନ କରାଯାଇଛି। ଲୋଗୋ‌ରେ କୋଣାର୍କ ଚକ ସହିତ ଏକ ବୃତ୍ତାକାର ଫ୍ୟାସନ୍‌ ରଙ୍ଗରେ ସଜ୍ଜିତ ତ୍ରି କୋଣୀୟ ପତ୍ର ସହ ଏକ ମୋଟିଫ୍‌ ରହିଛି। କୋଣାର୍କ ଚକକୁ ନେଇ ଲୋଗୋ କଳ୍ପନା ସିବିଆଇର ବୋଲି ଜଣାପଡ଼ିଛି।

୧୯୯୭ରେ ଦିଲ୍ଲୀରେ ଇଣ୍ଟରପୋଲର ୬୬ତମ ସମ୍ମିଳନୀ ଆୟୋଜିତ ହୋଇଥିଲା। ଦ୍ବିତୀୟ ଥର ପାଇଁ ପୁନର୍ବାର ଏହାର ଆୟୋଜନ କରାଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ତିନି ଦିନିଆ କାର୍ଯ୍ୟକ୍ରମରେ ଦୁର୍ନୀତି ଏବଂ ସାଇବର ଅପରାଧ, ଇଣ୍ଟରନେଟ୍‌ରେ ପ୍ରସାରିତ ଶିଶୁ ଯୌନ ଶୋଷଣ, ନିଖୋଜ ବ୍ୟକ୍ତି ଓ ଆତଙ୍କବାଦ ଉପରେ ଗୁରୁତ୍ବ ଦିଆଯିବା ସହିତ ସାରା ବିଶ୍ବରେ ପଳାତକ ଅପରାଧୀଙ୍କୁ ଟ୍ରାକିଂ, ପୋଲିସ ସହଯୋଗରେ ଉନ୍ନତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର