ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଆଜି ଚତୁର୍ଥ ଦିନରେ ଭୟଙ୍କର ରୂପ ନେଇଛି। ଉଭୟ ଦେଶ ପକ୍ଷରୁ ଆକ୍ରମଣ ‌ଜୋରଦାର ହୋଇଛି। ଇସ୍ରାଏଲ ଆକ୍ରମଣରେ ଇରାନରେ ବର୍ତ୍ତମାନ ସୁଦ୍ଧା ୨୨୪ ଜଣଙ୍କର ମୃତ୍ୟୁ ‌‌ହୋଇଛି। ଅନ୍ୟପକ୍ଷରେ ଇରାନ ଆକ୍ରମଣରେ ଇସ୍ରାଏଲ‌ରେ ୨୪ ଜଣଙ୍କର ମୃତ୍ୟୁ ହେଲାଣି।  ଆଜି ଇସ୍ରାଏଲ ‌ସେନା‌ ଇରାନ ରାଜଧାନୀ ତେହରାନର ବିଭିନ୍ନ ଅଞ୍ଚଳ‌ରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ କହିଛି ଏହା ଇରାନର ରାଜଧାନୀରେ ଥିବା ବିଭିନ୍ନ ସାମରିକ ସ୍ଥଳ ଉପରେ ଆକ୍ରମଣ ଯୋଜନା କରିଛି। ଇସ୍ରାଏଲର ଏହି ଚେତାବନୀ ପରେ ତେହରାନର ବିଭିନ୍ନ ସ୍ଥାନରୁ ଲୋକମାନେ  ସୁରକ୍ଷିତ ସ୍ଥାନକୁ ପଳାଇବାରେ ଲାଗିଛନ୍ତି।

Advertisment

ଭ‌ୟରେ ତେହରାନ ଛାଡ଼ୁଛନ୍ତି ଇରାନ ନାଗରିକ
ବୁଝାମଣା ପାଇଁ ମନା କଲା ଇରାନ୍‌, ପ୍ରଥମେ ପ୍ରତିଶୋଧ
ମଧ୍ୟପ୍ରାଚ୍ୟକୁ ଆମେରିକା ପଠାଇଲା ଯୁଦ୍ଧଜାହାଜ

ଇସ୍ରାଏଲ ବାୟୁସେନା ଆଜି ‌ତେହରାନରେ ଇରାନର ସରକାରୀ ଗଣମ‌ା‌ଧ୍ୟମ ଅଫିସ୍‌ ଆଇଆରଆଇଏନ୍‌ଏନ୍‌ ଉପରେ ଆକ୍ରମଣ କରିଛି। ପ୍ରସାରଣ ଚାଲିଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଜଣେ ଆଙ୍କର ଟେଲିଭିଜନ ଷ୍ଟୁଡିଓରେ ଖବର ପଢ଼ୁଥିବାବେଳେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହାର ଘଣ୍ଟାଏ ପୂର୍ବରୁ ଇସ୍ରାଏଲ ଟିଭି ଷ୍ଟୁଡିଓ ଥିବା ଅଞ୍ଚଳରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାପାଇଁ ସତର୍କ କରିଥିଲା। ପଶ୍ଚିମ ତେହରାନରେ ମଧ୍ୟ ଆଜି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଇତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦାବି କରିଛନ୍ତି ଯେ ଇସ୍ରାଏଲ ଇରାନର ଆକାଶକୁ ନିୟନ୍ତ୍ରଣକୁ ନେଇ ସାରିଛି ଏବଂ ତାଙ୍କ ଦେଶ ଇରାନର ପରମା‌ଣୁ ଏବଂ ବାଲିଷ୍ଟିକ୍‌ ‌କ୍ଷେପଣାସ୍ତ୍ର ବିପଦକୁ ଧ୍ବଂସ କରିବା ଲକ୍ଷ୍ୟରେ ସଫଳ ହେବାକୁ ଯାଉଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା କହିଛି ଏହା ଗୋଟିଏ ରାତିରେ ଇରାନର ୧୨୦ରୁ ଅଧିକ ମିସାଇଲ୍‌ ଲଞ୍ଚର ଧ୍ବଂସ କରିଦେଇଛି ଏବଂ ଏହାର ବିମାନ ଏବେ ତେହରାନ ଆକାଶକୁ ନିୟନ୍ତ୍ରଣ କରୁଛି। ନେତାନ୍ୟାହୁ ଦାବି କରିଛନ୍ତି ଯେ ଇରାନ ଆକାଶ ଉପରେ ଇସ୍ରାଏଲର ନିୟନ୍ତ୍ରଣ ଥିଲେ ମଧ୍ୟ ଏହା କେବଳ ଟାର୍ଗେଟ୍‌ ଉପରେ ହିଁ ଆକ୍ରମଣ କରୁଛି। ଇସ୍ରାଏଲ ଅଧିକାରୀମାନେ ଦାବି କରିଛନ୍ତି ଯେ ଇରାନରେ ଏହା ୪୦୦ରୁ ଅଧିକ ଟାର୍ଗେଟ୍‌ରେ ଆକ୍ରମଣ କରିଛି।  

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ତେଜୁଥିବାବେଳେ ଆଜି ଆମେରିକା ମଧ୍ୟପ୍ରାଚ୍ୟକୁ ଏହାର ଯୁଦ୍ଧଜାହାଜ ପଠାଇଛି। ଅନ୍ୟପକ୍ଷେ ଇରାନ ଆଜି ଓମାନ ଏବଂ କତାରକୁ କହିଛି ଯେ ଇସ୍ରାଏଲ ଦ୍ବାରା ଇରାନର ସହରଗୁଡ଼ିକ ଉପରେ ଆକ୍ରମଣ ଜାରି ରହିଥିବାରୁ ଯେ ପର୍ଯ୍ୟନ୍ତ ତେହରାନ ଏହାର ଜବାବ ଦେବା ଶେଷ ନକରିଛି ସେପର୍ଯ୍ୟନ୍ତ କୌଣସି ପ୍ରକାର ବୁଝାମଣା କି କଥାବାର୍ତ୍ତା ହୋଇପାରିବନି। ଇରାନ ଏହାର ସ୍କୁଲଗୁଡ଼ିକୁ ବୋମାରୁ ସୁରକ୍ଷିତ ରହିବା ପାଇଁ ଆଶ୍ରୟସ୍ଥଳରେ ପରିଣତ କରିଛି। ଅନ୍ୟପକ୍ଷେ ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି ଯେ ଇରାନର ପଶ୍ଚିମ ସହର ‌କେରମାନଶାହରେ ଏକ ହସ୍ପିଟାଲ୍‌ ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ବ୍ୟାପକ କ୍ଷୟକ୍ଷତି ‌ହୋଇଛି।