ଆଇଏସ୍‌ଆଇକୁ ସେନାର ଗତିବିଧି ଜଣାଉଥିଲା ଗିରଫ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ନିକଟରେ ଗିରଫ କରିଥିବା ପାକିସ୍ତାନୀ ନାଗରିକ ତଥା ଆତଙ୍କବାଦୀ ମହମ୍ମଦ ଅଶରଫ ଅଲି ଭାରତୀୟ ସେନା ଗାଡ଼ିଗୁଡ଼ିକର ଚଳାଚଳ ଉପରେ ନିୟମିତ ନଜର ରଖୁଥିଲା। ସେ ବିଷୟରେ ସେ କୁଖ୍ୟାତ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ତୁରନ୍ତ ଖବର ଦେଉଥିଲା, ଯାହା ଫଳରେ ଭାରତୀୟ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରାଯାଇପାରିବ ଏବଂ ଆତଙ୍କବାଦୀଙ୍କ ଉପରେ ସେନା କାର୍ଯ୍ୟାନୁଷ୍ଠାନକୁ ବିଫଳ କରିଦିଆଯାଇପାରିବ।

ପ୍ରାପ୍ତ ସୂଚନା ଅନୁସାରେ, ଜମ୍ମୁ-କଶ୍ମୀରରେ ସେନା ଗାଡ଼ି କୁଆଡ଼େ ଯାଉଛି, ତା’ ଉପରେ ଅଲି ନଜର ରଖି ଆଇଏସ୍‌ଆଇକୁ ଖବର ଦେଉଥିଲା। ସେହି ଖବର ଆତଙ୍କବାଦୀଙ୍କ ପାଖରେ ପହଞ୍ଚିଯାଉଥିଲା। ଫଳରେ ଆତଙ୍କବାଦୀ ସେନା ଗାଡ଼ିକୁ ଟ୍ରାକିଂ କରି ତା’ ଉପରେ ଆକ୍ରମଣ କରୁଥିଲେ। ଏହି କାରଣରୁ ଭାରତୀୟ ସୁରକ୍ଷା ବଳ ଅନେକ ସମୟରେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେଉଥିଲେ ବୋଲି ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ପ୍ରକାଶ କରିଛି। ଅତି ସଂକ୍ଷେପରେ କଥାବାର୍ତ୍ତା କରିବା ପାଇଁ ଅଲିକୁ ଆଇଏସ୍‌ଆଇ ତାଲିମ ଦେଇଥିଲା। ସେ ହ୍ବାଟ୍ସଆପ୍ କଲ୍ ମାଧ୍ୟମରେ ସଂକ୍ଷେପରେ କଥାବାର୍ତ୍ତା କରୁଥିଲା ଏବଂ ପ୍ରାୟ କିଛି ଟେକ୍ଟ ମେସେଜ୍ ପଠାଉ ନ ଥିଲା। ପୁଲିସ ଓ ଗୋଇନ୍ଦା ଅଫିସରମାନଙ୍କ ଟ୍ରାକିଂରୁ ବର୍ତ୍ତିବା ପାଇଁ ସେ ଏପରି କରୁଥିଲା। ଆଇଏସ୍‌ଆଇ ପଠାଉଥିବା ଅସ୍ତ୍ରଶସ୍ତ୍ର ସେ ଭିନ୍ନ ଭିନ୍ନ ଜାଗାରେ ଓ ଭିନ୍ନ ଭିନ୍ନ ଆତଙ୍କବାଦୀଙ୍କ ପାଖରେ ପହଞ୍ଚାଉଥିଲା। କାହା ବିଷୟରେ କେହି ଜାଣୁ ନ ଥିଲେ। ଫଳରେ ଜଣେ ଧରାପଡ଼ିଲେ ତା’ଠାରୁ ଅନ୍ୟମାନଙ୍କ ବିଷୟରେ ଖବର ଜାଣିବା ପୁଲିସ ପକ୍ଷେ ଅସମ୍ଭବ ବୋଲି ଆଇଏସ୍‌ଆଇ ନିଶ୍ଚିତ ଥିଲା। ଅଲି ନିୟମିତ ଭାବେ ତା’ର ପରିବାର ଓ ପିତାମାତାଙ୍କ ସହ ଯୋଗାଯୋଗ କରୁଥିଲା। ପ୍ରତି ଛଅମାସରେ ଥରେ ସେ ନିଜର ସିମ୍ ବଦଳାଉଥିଲା, ଯାହାଫଳରେ ପୂର୍ବର ସବୁ ପ୍ରମାଣ ନଷ୍ଟ ହୋଇଯାଉଥିଲା।

ସମ୍ବନ୍ଧିତ ଖବର