ବେରୁତ: ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ଆଜି ଭୟାନକ ରୂପ ନେଇଛି। ଲେବାନନ୍ର ରାଜଧାନୀ ବେରୁତରେ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ବୋମାବର୍ଷା ଜାରି ରଖିଥିବା ଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ହେଜବୁଲ୍ଲାର ୨୦୦୦ରୁ ଅଧିକ ଠିକଣାକୁ ଟାର୍ଗେଟ୍ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଲେବାନନ୍ରେ ୫୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ୫୦ ଶିଶୁ ଏବଂ ୯୪ ମହିଳା ଥିବା ଜଣାପଡ଼ିଛି। ଗତବର୍ଷ ଅକ୍ଟୋବର ୭ ତାରିଖରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ଏହି ଅଞ୍ଚଳରେ ପୂର୍ଣ୍ଣାଙ୍ଗ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଇସ୍ରାଏଲ ଆକ୍ରମଣର ଜବାବରେ ହେଜବୁଲ୍ଲା ଇସ୍ରାଏଲ ବାୟୁସେନାର ୨ଟି ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହା ଛଡ଼ା ଇସ୍ରାଏଲ ସୀମାବର୍ତ୍ତୀ ସହରରେ ଆଜି ମଧ୍ୟ ହେଜବୁଲ୍ଲା ଶତାଧିକ ରକେଟ୍ ମାଡ଼ କରିଥିବା ଜଣାପଡ଼ିଛି। ଗତକାଲି ଓ ଆଜି ହେଜବୁଲ୍ଲାର ବିଭିନ୍ନ ଆଡ଼ା
ଉପରେ ବୋମାବର୍ଷା ଯୋଗୁଁ ଏହାର ଯୋଦ୍ଧାମାନେ ଏବେ ବେରୁତ ପଳାଇଛନ୍ତି। ଏହି କାରଣରୁ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ଆଜି ବେରୁତକୁ ଟାର୍ଗେଟ୍ କରିଛି।
ମୃତ୍ୟୁସଂଖ୍ୟା ୫୬୦ ଛୁଇଁଲା
ଇସ୍ରାଏଲ ବାୟୁସେନା ଘାଟି ଉପରେ ହେଜବୁଲ୍ଲାର କ୍ଷେପଣାସ୍ତ୍ର ଆକ୍ରମଣ
ଆଜି ସନ୍ଧ୍ୟାରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ଯେ ଇସ୍ରାଏଲର ରକେଟ୍ ଆକ୍ରମଣ ଗତକାଲିଠାରୁ ଜାରି ରହିଛି ଏବଂ ଆମର ଆଇରନ୍ ଡୋମ୍ ପ୍ରତିରକ୍ଷା ପ୍ରଣାଳୀ ଏହାର ସଫଳ ମୁକାବିଲା କରୁଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ ଏବେ ଆଇଡିଏଫ୍ ଉତ୍ତର ସୀମାରେ ସୁରକ୍ଷା ରଣନୀତି ବଦଳାଇଛି। ଆବଶ୍ୟକସ୍ଥଳେ ଇସ୍ରାଏଲ ସେନା ଲେବାନନ୍ରେ ସ୍ଥଳ ଅପରେସନ ପାଇଁ ଅଭିଯାନ ଆରମ୍ଭ କରିବ ବୋଲି ନେତାନ୍ୟାହୁ ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକାର ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ୱାସିଂଟନ ତା’ର ସହଯୋଗୀମାନଙ୍କୁ ରକ୍ଷା କରିବାକୁ ପ୍ରସ୍ତୁତ ରହିଛି ଏବଂ ଆବଶ୍ୟକସ୍ଥଳେ ମଧ୍ୟପ୍ରାଚ୍ୟକୁ ଅଧିକ ସୈନ୍ୟ ପଠାଯିବ।
ଫ୍ରାନ୍ସ ଆଜି ମଧ୍ୟପ୍ରାଚ୍ୟ ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ଜାତିସଂଘ ସୁରକ୍ଷା ପରିଷଦ ଏଥିରେ ହସ୍ତକ୍ଷେପ କରିବାକୁ ଆହ୍ୱାନ ଦେଇଛି। ତୁର୍କୀ କହିଛି ଯେ ଇସ୍ରାଏଲର ଆକ୍ରମଣ ସମଗ୍ର ଅଞ୍ଚଳକୁ ବିଶୃଙ୍ଖଳା ଭିତରକୁ ଟାଣିନେଇଛି।