ଗାଜାରେ ପଶିଲା ଇସ୍ରାଏଲ ସ୍ଥଳସେନା, କ୍ଷେପଣାସ୍ତ୍ର ମାଡ଼ରେ ଗାଜା ଟାୱାର ଧ୍ବସ୍ତ
୨ ସେକେଣ୍ଡରେ ମାଟିରେ ମିଶିଲା ଅଲ୍ଜଜିରା, ଏପି କାର୍ଯ୍ୟାଳୟ
ଜେରୁଜେଲମ୍(ଇସ୍ରାଏଲ): ସନ୍ତ୍ରାସବାଦୀ ଗୋଷ୍ଠୀ ହମାସମାନଙ୍କ କବ୍ଜାରେ ଥିବା ପାଲେଷ୍ଟାଇନ୍ର ଗାଜା ପଟିରେ ଇସ୍ରାଏଲ୍ ସେନା ଭୀଷଣ ବିମାନ ଆକ୍ରମଣ କରି ବ୍ୟାପକ ଧନଜୀବନ ସହ କୋଠାବାଡ଼ି ଧ୍ବଂସ କରିବା ପରେ ଶୁକ୍ରବାର ପ୍ରଥମ ଥର ଲାଗି ସ୍ଥଳଭାଗରୁ ଆକ୍ରମଣ ଆରମ୍ଭ କରିଛି। ହମାସମାନଙ୍କୁ ସେଠାରୁ ନିର୍ମୂଳ କରିବା ପାଇଁ ଇସ୍ରାଏଲ୍ ସେନା ଗାଜାରେ ପଶିଛି। ସ୍ଥଳସେନା ଆକ୍ରମଣ ଅଧିକ ଶାଣିତ କରିବ ବୋଲି ଆଶା ରଖିଛି। ଫଳରେ ଗାଜା ସମେତ ଇସ୍ରାଏଲ୍ର ବିଭିନ୍ନ ସହରର ବାଟେଘାଟେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। କୌଣସି ଅପ୍ରତ୍ୟାଶିତ ପରିଣତିକୁ ଦୂରେଇଦେବା ଲାଗି ବିଶ୍ବନେତାମାନେ ଶାନ୍ତ ରହିବା ପାଇଁ ଆହ୍ବାନ ଦେବା ସହ ଆମେରିକା ଓ ଇଜିପ୍ଟର କୂଟନୀତିଜ୍ଞମାନେ ଆଲୋଚନା ଆରମ୍ଭ କରିଥିବା ବେଳେ କିଛି ସୁଫଳ ମିଳିନାହିଁ। ଗାଜାରୁ ଇସ୍ରାଏଲ୍ ଉପରେ ୧୮୦୦ ପାଖାପାଖି ରକେଟମାଡ଼ ହୋଇଛି ବୋଲି ଇସ୍ରାଏଲୀ ସେନା କହୁଥିବା ବେଳେ ଗାଜା ପଟିରେ ଇସ୍ରାଏଲର ୧୫୦ ଜେଟ୍ ଓ ଡ୍ରୋନ୍ ଆକ୍ରମଣ ଜାରି ରଖିଛନ୍ତି ବୋଲି ହମାସ କହିଛି। ଆଜି ଇସ୍ରାଏଲ୍ର କ୍ଷେପଣାସ୍ତ୍ର ମାଡ଼ରେ ୧୨ ମହଲା ବିଶିଷ୍ଟ ଗାଜା ଟାୱାର ଧ୍ବସ୍ତ ହୋଇଯାଇଛି । ମାତ୍ର ୨ ସେକେଣ୍ଡ ଭିତରେ ଅଲ୍ଜଜିରା ଏବଂ ଏସୋସିଏଟଡ ପ୍ରେସ୍ (ଏପି) କାର୍ଯ୍ୟାଳୟ ମାଟିରେ ମିଶିଯାଇଛି।
ଗତରାତିରେ ୫୦ରୁ ଅଧିକ ନାଗରିକ ମୃତାହତ ହୋଇଥିବା ଖବର ମିଳିଛି। ହମାସମାନେ ପାଲେଷ୍ଟାଇନ୍ ସୀମାରେ ଏକ ସୁଡ଼ଙ୍ଗରେ ଲୁଚାଇ ରଖିଥିବା ପ୍ରଭୂତ ପରିମାଣର ବିଦେଶୀ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ନିଶାଣ କରି ପ୍ରଚଣ୍ଡ ଆକ୍ରମଣ କରାଯାଉଥିବା ଇସ୍ରାଏଲୀ ସେନା କହିଛି। ଏପରିକି ଉକ୍ତ ଗୁପ୍ତ ସୁଡ଼ଙ୍ଗ ଏକ ସହର ତଳେ ସହର ଭଳି ରହିଥିବା କୁହାଯାଉଛି। ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଉଭୟ ପକ୍ଷର ଏହି ଲଢ଼େଇରେ ଗାଜାରେ ୩୧ ଶିଶୁ ଓ ୨୦ ମହିଳା ସମେତ ୧୪୦ ଜଣଙ୍କର ଜୀବନ ଯିବା ସହ ୯୦୦ରୁ ଅଧିକ ଆହତ ହୋଇଥିବା ବେଳେ ଇସ୍ରାଏଲର ଜଣେ ସୈନିକ, ଦୁଇ ଜଣ ଶିଶୁ ଓ ଜଣେ ବୃଦ୍ଧା ସମେତ ୮ ଜଣ ପ୍ରାଣ ହରାଇଛନ୍ତି।