ବିଚାରପତି ନିଯୁକ୍ତି ପ୍ରସଙ୍ଗ: ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ କଡ଼ା ଜବାବ, ଆଇନ ବିଚାରବିଭାଗୀୟ ଯାଞ୍ଚରେ ବର୍ତ୍ତିବା ଦରକାର

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତିକୁ ନେଇ ରହିଥିବା କଲେଜିୟମ୍ ବ୍ୟବସ୍ଥାରେ ସଂଶୋଧନ ଆଣି ସରକାର ୨୦୧୫ ମସିହାରେ ଯେଉଁ ଏନ୍‌ଜେଏସି ଆଇନ ପ୍ରଣୟନ କରିଥିଲେ ସୁପ୍ରିମ୍‌କୋର୍ଟ ତାହାକୁ ରଦ୍ଦ କରି କଲେଜିୟମ୍ ବ୍ୟବସ୍ଥାକୁ କାଏମ୍ ରଖିଥିଲେ। ଏହା ବିରୋଧରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସର୍ବସାଧାରଣରେ ଭାଷଣ ଦେବା ସହ ଗତକାଲି ରାଜ୍ୟସଭାରେ ସେହି ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ସୁପ୍ରିମ୍‌କୋର୍ଟ ବିରୋଧରେ ଉପରାଷ୍ଟ୍ରପତିଙ୍କ ଏପରି ବକ୍ତବ୍ୟକୁ କୋର୍ଟ ଗ୍ରହଣ କରିପାରି ନାହାନ୍ତି। ଆଜି କୋର୍ଟ କହିଛନ୍ତି ଯେ, ଆଇନ ଗଢ଼ିବାର ଦାୟିତ୍ବ ଓ ଅଧିକାର ପାର୍ଲାମେଣ୍ଟର ଅଛି ସତ ମାତ୍ର ତାକୁ ସମୀକ୍ଷା କରିବାର ଅଧିକାର ବି ସୁପ୍ରିମ୍‌କୋର୍ଟଙ୍କର ଅଛି। ଆପଣ ଯେତେ ଆଇନ ପ୍ରଣୟନ କରିବାକୁ ଚାହାନ୍ତି ତାହା କରିପାରିବେ ମାତ୍ର ତାହା ବିଚାରବିଭାଗୀୟ ଯାଞ୍ଚରେ ବର୍ତ୍ତିବା ଦରକାର। ଗତକାଲି ଧନଖଡ଼ ରାଜ୍ୟସଭାରେ କହିଥିଲେ ଯେ ପାର୍ଲାମେଣ୍ଟ ପାସ୍ କରିଥିବା ଆଇନକୁ ସୁପ୍ରିମ୍‌କୋର୍ଟ ନାକଚ କରିଦେବା ମାନେ ପା‌ର୍ଲାମେଣ୍ଟର ସାର୍ବଭୌମତ୍ବକୁ ଅଗ୍ରାହ୍ୟ କରିବା ଏବଂ ଜ‌ନାଦେଶକୁ ଅସମ୍ମାନିତ କରିବା।

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ କୋର୍ଟ ସହ ସରକାରଙ୍କ ମୁହାଁମୁହିଁ ଚରମକୁ ନେଇଛି। ଏ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀମାନେ (ପୂର୍ବର ଓ ବର୍ତ୍ତମାନର) ଯୁକ୍ତି କରିଆସୁଥିଲେ ଯେ ବିଚାରପତି ଚୟନରେ ସରକାରଙ୍କର କିଛି ଭୂମିକା ରହିବା ଉଚିତ। ୧୯୯୧ ମସିହାରୁ କଲେଜିୟମ୍ ଏହି କାର୍ଯ୍ୟ କରୁଛି। ଚୟନ ପରେ ସରକାରଙ୍କ ପାଖକୁ କେବଳ ଅନୁମୋଦନ ପାଇଁ ନାମତାଲିକା ପଠାଯାଉଛି। ଏପରି କି ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ବର୍ତ୍ତମାନର କଲେଜିୟମ୍ ବ୍ୟବସ୍ଥାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଜି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ କଲେଜିୟମ୍ ବ୍ୟବସ୍ଥା ହେଉଛି ଏ ଦେଶର ଆଇନ। କିଛି ଲୋକ ଏହା ବିରୋଧରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ବୋଲି ଏହାକୁ ବଦଳାଯାଇପାରିବ ନାହିଁ।

ପାଞ୍ଚଜଣିଆ ବେଞ୍ଚର ମୁଖ୍ୟ ଜଷ୍ଟିସ୍ ଜେଏସ୍ ଖେହାର କହିଲେ ଯେ, ଦେଶର ଜନସାଧାରଣଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ନ୍ୟାୟପାଳିକାକୁ ପ୍ରଶାସନର ଅନ୍ୟ ଅଙ୍ଗମାନଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ଓ ସ୍ବାଧୀନ ରଖିବାକୁ ପଡ଼ିବ। ଅର୍ଥାତ୍ ନ୍ୟାୟପାଳିକା ଉପରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଅଯଥା ହସ୍ତକ୍ଷେପ ରହିବା ଉଚିତ ନୁହେଁ। ଉକ୍ତ ଆଇନକୁ ସୁପ୍ରିମ୍‌କୋର୍ଟ ନାକଚ କରିଦେବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀ କହିଥିଲେ, ଭାରତୀୟ ଗଣତନ୍ତ୍ର ଅନିର୍ବାଚିତଙ୍କ ଦ୍ବାରା ପୀଡ଼ିତ ହେବା ଉଚିତ ନୁହେଁ। ଯଦି ଅନିର୍ବାଚିତମାନେ (କୋର୍ଟ) ନିର୍ବାଚିତମାନଙ୍କୁ (ପାର୍ଲାମେଣ୍ଟକୁ) ନୀଚ ଦୃଷ୍ଟିରେ ଦେଖିବେ ତେବେ ତାହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର