ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁକୁ ଆମେରିକାରେ ହତ୍ୟା ଷଡ଼୍ଯନ୍ତ୍ର ହୋଇଥିଲା ଏବଂ ଏହା ପଛରେ ଭାରତର ହାତ ରହିଛି ବୋଲି ଦାବି କରିଆସୁଥିବା ଆମେରିକା ଏହାର ଗୁଇନ୍ଦା ମୁଖ୍ୟଙ୍କୁ ଭାରତ ପଠାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସିଆଇଏ ନିର୍ଦ୍ଦେଶକ ୱିଲିୟମ ବର୍ନ୍ସଙ୍କ ସହ ଆଲୋଚନା କରିବା ପରେ ଏହି ମାମଲାରେ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ତାଙ୍କୁ ଭାରତ ପଠାଇଛନ୍ତି।
ଆମେରିକୀୟ ଗୁଇନ୍ଦା ସଂସ୍ଥାମାନେ ଦାବି କରିଛନ୍ତି ଯେ ପନ୍ନୁକୁ ହତ୍ୟା ପାଇଁ ଯେଉଁ ଷଡ଼୍ଯନ୍ତ୍ର ହୋଇଥିଲା, ସେଥିରେ ଜଣେ ଭାରତୀୟ ନାଗରିକଙ୍କ ହାତ ରହିଛି। ସେ ପନ୍ନୁକୁ ହତ୍ୟା ପାଇଁ ଆତତାୟୀ ପଠାଇଥିଲେ। ଆମେରିକା ଓ କାନାଡ଼ାରେ ରହି ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଥିବା ପନ୍ନୁ ମାମଲାରେ କାନାଡ଼ା ଓ ଆମେରିକା ଏବେ ସମାନ ସ୍ବରରେ ଅଭିଯୋଗ କରୁଥିବାରୁ ଭାରତ ମଧ୍ୟ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗତକାଲି ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।