ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶନାମାକୁ ଅବମାନନା କରି ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଆଇନଜୀବୀଙ୍କ ଦ୍ବାରା ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଆନ୍ଦୋଳନରେ ସାମିଲ ହେବେ‌ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି। ତେବେ ଏହି ମାମଲାରେ ଆଜି କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସୁପ୍ରିମକୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରି ୨୩ରେ କରିବାକୁ ଧାର୍ଯ୍ୟ କରାଯାଇଛି। ମାମଲାର ଶୁଣାଣି ଆଜି ବିଚାରପତି ସଂଜୟ କିଷନ କୌଲ ଓ ବିଚାରପତି ସୁଧାଂଶୁ କୁମାର ଧୂଲିଆଙ୍କ ଖଣ୍ଡପୀଠରେ ହୋଇଥିଲା। ଓଡ଼ିଶା ହାଇକୋର୍ଟ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ହାଇକୋର୍ଟଙ୍କ ଦ୍ବାରା ରାଜ୍ୟରେ ଆଇନଜୀବୀଙ୍କ ଆନ୍ଦୋଳନ/ କୋର୍ଟ ବର୍ଜନ/ଅନୁପସ୍ଥିତି ସଂପର୍କିତ ଷ୍ଟାଟସ୍‌ ରିପୋର୍ଟକୁ ଭିତ୍ତି କରି ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲଙ୍କ ଦ୍ବାରା ଦାଖଲ କରାଯାଇଥିବା ସତ୍ୟପାଠକୁ ଦୃଷ୍ଟିକୁ ଆଣିଥିଲେ।

Advertisment

ଖଣ୍ଡପୀଠଙ୍କୁ ରାଜ୍ୟରେ ‌କେବଳ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବାର୍ ଆସୋସିଏସନ ଦ୍ବାରା ଗତ ଅକ୍ଟୋବର ୩ରେ ବରିଷ୍ଠ ଆଇନଜୀବୀ ଛବିଳ ସ୍ବାଇଁଙ୍କ କିରା‌ଣିଙ୍କ ମୃତ୍ୟୁ ଯୋଗୁଁ କୋର୍ଟ ଦୁଇ ଘଣ୍ଟା ବନ୍ଦ ରହିଥିଲା ଏବଂ ସେହି ଦିନ ୧୨ଟା ବେଳେ କାମାକ୍ଷାନଗର ଅତିରିକ୍ତ ଓ ସେସନ୍ସ କୋର୍ଟଙ୍କ ସହ ବିଚାରବିମର୍ଶ କରିବା ପରେ ଆଇନଜୀବୀମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ‌ସେ ଅବଗତ କରିଥିଲେ। କୋର୍ଟ କାର୍ଯ୍ୟ ବନ୍ଦ ନ ହେବାର ଆଦେଶ ରହିଥିବା ସତ୍ତ୍ବେ ଦୁଇ ଘଣ୍ଟା କୋର୍ଟ କାର୍ଯ୍ୟ ବନ୍ଦ ହୋଇଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଗୁରୁତର ବୋଲି ଟିପ୍ପଣୀ କରିଥିଲେ। ଖଣ୍ଡପୀଠ କାମାକ୍ଷାନଗର ବାର୍‌ ଆସୋସିଏସନ୍‌ର ସଭାପତି ଓ ସଂପାଦକଙ୍କୁ ନୋଟିସ ଜାରି କରିଥିଲେ। ଅନ୍ୟପକ୍ଷେ ଅବମାନନାକାରୀ ବିଭିନ୍ନ ବାର୍‌ ଆସୋସିଏସନ ଓକିଲମାନଙ୍କ ପକ୍ଷରୁ ନିୟୋଜିତ ଆଇନଜୀବୀ ମାନଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ କୁହାଯ‌ାଇଥିଲା ଯେହେତୁ ସମସ୍ତ ଆଇନଜୀବୀମାନଙ୍କ ପକ୍ଷରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି ଅଦାଲତ ଅବମାନନା ମାମଲାର ପରିସମାପ୍ତି ଘଟୁ। ହେଲେ ଖଣ୍ଡପୀଠ ସେମାନଙ୍କ ନିବେଦନକୁ ଅଗ୍ରାହ୍ୟ କରିବା ସହିତ ମାମଲାର ଶୁଣାଣି ଜାନୁଆରି ୨୩ ତାରିଖ ପାଇଁ ଧାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ମସିହାରେ ଓଡ଼ିଶାର ବିଭିନ୍ନ ଅଂଚଳରେ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଖପ୍ପା ହୋଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ ଦାବି କରି ଆଇନଜୀବୀମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଜାନୁଆରି ୧୨,୨୦୨୩ରେ ୧୯୧ ଓକିଲଙ୍କ ବିରୋଧରେ ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଅବମାନନାକାରୀ ଆଇନଜୀବୀଙ୍କ ଦ୍ବାରା ନିସର୍ତ୍ତ କ୍ଷମା ସତ୍ୟପାଠ ଦାଖଲ କରାଯାଇଥିଲା। ଦାଖଲ କରାଯାଇଥିବା କ୍ଷମା ସତ୍ୟପ‌ାଠକୁ ଖଣ୍ଡପୀଠ ରେକର୍ଡକୁ ନେଇଥିବାବେଳେ ନି‌ଷ୍ପତ୍ତି ଏବେ ବି ଝୁଲାଇ ରଖିଛନ୍ତି।