ମାସୁଦ ଆଝାର ଭାଇକୁ ବିଶ୍ବ ଆତଙ୍କବାଦୀ ଘୋଷଣା ପ୍ରସଙ୍ଗ: ଭାରତର ଉଦ୍ୟମକୁ ପଣ୍ଡ କଲା ଚୀନ୍

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଜୈସ୍-ଏ-ମହମ୍ମଦ (ଜେଇଏମ୍‌) ମୁଖ୍ୟ ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଆଝାରକୁ ବିଶ୍ବ ଆତଙ୍କବାଦୀ ଭାବେ କଳା-ତାଲିକାଭୁକ୍ତ କରିବା ପାଇଁ ଭାରତ ଓ ଆମେରିକାର ଉଦ୍ୟମକୁ ପଣ୍ଡ କରିଦେଇଛି ଚୀନ୍। ୧୯୭୪ରେ ଜନ୍ମିତ ଅବଦୁଲ ରୌଫ ଆଝାର ବହୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ଥିବାରୁ ତା’ ଉପରେ ଆମେରିକା ୨୦୧୦ ଡିସେମ୍ବରରୁ କଟକଣା ଲଗାଇଛି।

ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରି ତା’ର ସମ୍ପତ୍ତି ଜବତ କରିବା ଏବଂ ତା’ର ଯାତ୍ରା ଉପରେ କଟକଣା ଜାରି କରିବା ଲାଗି ଭାରତ ଓ ଆମେରିକା ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଦେଇଥିଲେ। ଦୁଇମାସରେ ଦ୍ବିତୀୟ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା ଚୀନ୍ ଏଭଳି ପ୍ରସ୍ତାବକୁ ସ୍ଥଗିତ ରଖିଦେଇଛି। ଗତ ଜୁନ୍ ମାସରେ ଅନ୍ୟତମ ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା ଲାଗି ଭାରତ ଓ ଆମେରିକାର ମିଳିତ ପ୍ରସ୍ତାବକୁ ଶେଷ ମୁହୂର୍ତ୍ତରେ ଅଟକାଇ ଦେଇଥିଲା ଚୀନ୍। ମକ୍କି ହେଉଛି ଆମେରିକା ଦ୍ବାରା ଘୋଷିତ ଆତଙ୍କବାଦୀ ଏବଂ ଳସ୍କର-ଏ-ତୋଇବା ମୁଖ୍ୟ ତଥା ୨୬/୧୧ର ମାଷ୍ଟରମାଇଣ୍ଡ ହାଫିଜ ସଇଦର ବ୍ରଦର-ଇନ୍-ଲ (ଶଳା କିମ୍ବା ଭିଣୋଇ)।

ଚୀନ୍ ଭାରତ ଓ ଆମେରିକାର ସଦ୍ୟତମ ପ୍ରସ୍ତାବକୁ ସ୍ଥଗିତ ରଖିବାର ଦିନକ ପୂର୍ବରୁ ଜାତିସଂଘ ରାଷ୍ଟ୍ରଦୂତଙ୍କ ଭାରତର ସ୍ଥାୟୀ ପ୍ରତିନିଧି ଥିବା ରୁଚିକା କାମ୍ବୋଜ କହିଥିଲେ ଯେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ତଥା ପରିଷଦ ଅଧ୍ୟକ୍ଷ ଥିବା ଚୀନ୍ ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ କୌଣସି ପ୍ରସ୍ତାବକୁ ରଦ୍ଦ ବା ସ୍ଥଗିତ କରିଦେବାର ଅଭ୍ୟାସ ବଦଳାଇବା ଦରକାର।

ସମ୍ବନ୍ଧିତ ଖବର