ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗ: ସୋମବାର ଅଦାଲତ ଅବମାନନା ଶୁଣାଣି

ନୂଆଦିଲ୍ଲୀ : ଅଦାଲତଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଥିବା ଆଇନଜୀବୀମାନଙ୍କ ବିରୋଧରେ କାହିଁକି ଅଦାଲତ ଅବମାନନା ନ ‌ହେବ ଜଣାଇବା ପାଇଁ ଗତ ମାସ ୧୨ରେ ସୁପ୍ରିମକୋର୍ଟ ୧୯୧ ଜଣ ଆଇନଜୀବୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରିଥିଲେ। ଏହି ମାମଲାର ଶୁଣାଣି ‌ସୋମବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଂଜୟ କିଷନ କୌଲ ଓ ବିଚାରପତି ଜଷ୍ଟିସ ଅଭୟ ଏସ୍‌. ଓକାଙ୍କ ଖଣ୍ଡପୀଠରେ ହେବ। ଶୁଣାଣି ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଆଇନଜୀବୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟର ୫ ଜଣ ଆଇନଜୀବୀ ତେଜସ୍ବୀ କୁମାର ପ୍ରଧାନ, କେଦାରନାଥ ତ୍ରିପାଠୀ, ଦୀପକ କୁମାର ଜେନା, ରାହୁଲ ପ୍ରତାପ ଓ ମଞ୍ଜୁଲା ଗୁପ୍ତାଙ୍କ ଦ୍ବାରା ୱକାଲତନାମା ଦାଖଲ କରାଯାଇଛି।

ସେହିଭଳି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ ପକ୍ଷରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଦ୍ବାରା ଗୋଟିଏ ଆବେଦନ ମଧ୍ୟ ଦାଖଲ କରାଯାଇଛି। ଆଇନଜୀବୀ ତେଜସ୍ବୀ ପ୍ରଧାନଙ୍କ ଦ୍ବାରା କିଛି ସଦସ୍ୟଙ୍କ ନିସର୍ତ୍ତ କ୍ଷମାପ୍ରାର୍ଥନା ସଂପର୍କିତ ସତ୍ୟପାଠ ଦାଖଲ କରାଯାଇଛି। ସେହି ଭଳି ଆଇନଜୀବୀ ଦୀପକ କୁମାର ଜେନାଙ୍କ ପକ୍ଷରୁ ୧୪ ଜଣ ସଦସ୍ୟଙ୍କ କ୍ଷମା ସତ୍ୟପ‌ାଠ ଦାଖଲ ହୋଇଛି। କାରଣ ଦର୍ଶାଅ ନୋଟିସର ଜବାବ ଆଇନଜୀବୀଙ୍କ ଜରିଆରେ କିମ୍ବା ସଂପୃକ୍ତ ଓକିଲ ହାଜର ହୋଇରଖିବେ ବୋଲି ସୁପ୍ରିମକୋର୍ଟ ଡେପୁଟି ରେଜିଷ୍ଟ୍ରାରଙ୍କ ଦ୍ବାରା ଗତ ମାସ ୧୨ରେ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର