ରାଜ୍ୟମାନଙ୍କୁ ଅକ୍ସିଜେନ୍‌ ଆବଣ୍ଟନ ପ୍ରସଙ୍ଗ, କେନ୍ଦ୍ର ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେଉ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅକ୍ସ‌ିଜେନ୍ ଆବଣ୍ଟନ ପାଇଁ ଅଦାଲତଙ୍କ ଦ୍ବାରା ନିଯୁକ୍ତ ଜାତୀୟ ଟାସ୍କ ଫୋର୍ସ (ଏନଟିଏଫ) ଦେଇଥିବା ପରାମର୍ଶ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ରିପୋର୍ଟ ସୁପ୍ରିମ କୋର୍ଟ ମାଗିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଉକ୍ତ ରିପୋର୍ଟ ଦାଖଲ କରିବା ଲାଗି ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞଙ୍କୁ ନେଇ ଏନଟିଏଫ୍ ଗଠନ ହୋଇଥିଲା। ତେଣୁ ଉକ୍ତ କମିଟିର ରିପୋର୍ଟ ଯଥାଯଥଭାବେ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେବା ଆବଶ୍ୟକ। ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ଲାଗି ଏହା ଅପରିହାର୍ଯ୍ୟ ବୋଲି ଅଦାଲତ କହିଛନ୍ତି। ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଏମଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ ଅନେକ ରାଜ୍ୟରେ ହସ୍ପିଟାଲ୍‌ମାନଙ୍କରେ ଅକ୍ସିଜେନ୍‌ ଅଭାବ ‌ନେଇ ଅଭିଯୋଗ ଆସିବାପରେ ଏହି ଟାସ୍କ ଫୋର୍ସ‌୍ ଗଠନ ହୋଇଥିଲା। ଏନ୍‌ଟିଏଫ୍‌ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି।

ଜାତୀୟ ରାଜଧାନୀ ଦିଲ୍ଲୀକୁ ୭୦୦ ମେଟ୍ରିକ ଟନ୍ ମେଡିକାଲ ଗ୍ରେଡ୍ ଅକ୍ସିଜେନ ଯୋଗାଣ ନିର୍ଦ୍ଦେଶକୁ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କାର୍ଯ୍ୟକାରୀ କରି ନଥିବାରୁ ସେମାନଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଅଦାଲତ ଅବମାନନା ମାମଲା ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ଯାଇଛନ୍ତି। ସେହି ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଇନଜୀବୀ ରଜତ ନାୟାର ହାଜର ହୋଇ ଯୁକ୍ତି ବାଢ଼ିଥିଲେ ଯେ ଗତ ସଂଧ୍ୟାରେ ଚିଠି ପ୍ରଦାନ କରାଯାଇଛି। ତେଣୁ ଏନ୍‌ଟିଏଫ୍‌ର ସୁପାରିସ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଦାଖଲ କରିବା ପାଇଁ ସମୟ ଆବଶ୍ୟକ। ଏହାପରେ ଅଦାଲତ କହିଥିଲେ ସରକାର ଏନ୍‌ଟିଏଫ୍‌ ସୁପାରିସକୁ କିଭଳି କାର୍ଯ୍ୟକାରୀ କରିଛନ୍ତି ତାହା ଜାଣିବାକୁ ଚାହାନ୍ତି। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଖଣ୍ଡପୀଠ ଉକ୍ତ ପ୍ରସଙ୍ଗକୁ କୋଭିଡ ପ୍ରସ୍ତୁତି ମାମଲା ସହିତ ଶୁଣାଣି କରିବା ଠିକ୍ ହେବ ବୋଲି କହିବା ସହ ଦୁଇ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି କହିଥିଲେ। ଜୁନ୍ ୨୨ ତାରିଖରେ ଏନଟିଏଫ ଯେଉଁ ରି‌ପୋର୍ଟ ଦେଇଛି ସେଥିରେ ଡାକ୍ତରଖାନାଗୁଡ଼ିକରେ ୨ରୁ ୩ ସପ୍ତାହର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଅକ୍ସିଜେନ ମହଜୁଦ ରଖିବା ଲାଗି ସୁପାରିସ କରାଯାଇଛି।

ସମ୍ବନ୍ଧିତ ଖବର