ନାଗପୁର: ଭାରତର ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ସମ୍ପର୍କରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ତଥ୍ୟ ଯୋଗାଇବା ମାମଲାରେ ବ୍ରହ୍ମୋସ ପରିଯୋଜନାର ପୂର୍ବତନ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲଙ୍କୁ ନାଗପୁର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭାରତର ‌ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଫେନ୍‌ସ ରିସର୍ଚ୍ଚ ଡେଭ୍‌ଲପ୍‌ମେଣ୍ଟ ଅର୍ଗନାଇଜେସନ୍‌ (ଡିଆର୍‌ଡିଓ)ର କନିଷ୍ଠ ବୈଜ୍ଞାନିକ ଭାବେ ନିଶାନ୍ତ କାର୍ଯ୍ୟ କରୁଥିଲେ। ଭାରତ-ରୁଷ ମିଳିତ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ର ପରିଯୋଜନା ନିମନ୍ତେ ୱର୍ଦ୍ଧା ରୋଡ୍‌ ଠାରେ ଥିବା ବ୍ରହ୍ମୋସ୍‌ ଏରୋସ୍ପେସ୍‌ ଠାରେ ନିୟୋଜିତ ହୋଇଥିଲେ।

Advertisment

ଏହି ସମୟରେ ସେ ଆଇଏସ୍‌ଆଇ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଦୁଇଟି ଜାଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ‘ପୂଜା ରଞ୍ଜନ’ ଓ ‘ନେହା ଶର୍ମା’ ସହ ନିୟମିତ ଯୋଗାଯୋଗରେ ଥିଲେ। ପାକିସ୍ତାନର ଆଇଏସ୍‌ଆଇକୁ କ୍ଷେପଣାସ୍ତ୍ର ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇଥିଲେ। ଉତ୍ତରପ୍ରଦେଶ ପୁଲିସ୍‌ ନଜରରେ ଆଇଏସ୍‌ଆଇର ଏହି ଦୁଇଟି ସନ୍ଦିଗ୍ଧ ଆକାଉଣ୍ଟ ଆସିଥିଲା ଓ ଏହା ଉପରେ ସେମାନେ ସତର୍କ ଦୃଷ୍ଟି ରଖିଥିଲେ। ନିଶାନ୍ତ ଓ ଆଇଏସ୍‌ଆଇ ମଧ୍ୟରେ ହୋଇଥିବା ଚାଟ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଏଟିଏସ୍‌ ନିଶାନ୍ତଙ୍କୁ ଗିରଫ କରିଥିଲା। ଆଜି ନାଗପୁରର ଅତିରିକ୍ତ ସେସନ୍‌ସ ଜଜ୍‌ ଏମ୍‌ଭି ଦେଶପାଣ୍ଡେ ଏହି ମାମଲାର ବିଚାର କରି ଆଇଟି ଆଇନ ୬୬(ଏଫ୍‌) ଓ ଅଫିସିଆଲ୍‌ ସିକ୍ରେଟ୍‌ସ ଆଇନ, ସିଆର୍‌ପିସିର ଧାରା ୨୩୫ ଅନୁସାରେ ନିଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି।