ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର କରାଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଘୋଷଣା କରିଥିଲେ ମଧ୍ୟ କୃଷକମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି। ଚାଷୀଙ୍କର ଅନ୍ୟସବୁ ପ୍ରମୁଖ ଦାବି ନେଇ ଆନ୍ଦୋଳନ ଜାରି ରହିବ ଏବଂ କୌଣସି କାର୍ଯ୍ୟକ୍ରମ ବାତିଲ ହେବନାହିଁ ବୋଲି କୁହାଯାଇଛି। କ୍ରାନ୍ତିକାରୀ କିଷାନ ସଂଗଠନର ଦର୍ଶନ ପାଲ୍ ସିଂହ କହିଛନ୍ତି, ଆସନ୍ତା ୨୨ ତାରିଖରେ କୃଷକମାନେ ଲକ୍ଷ୍ନୌରେ ରୢାଲି କରିବେ। ନଭେମ୍ବର ୨୬ ତାରିଖରେ ଆନ୍ଦୋଳନକୁ ବର୍ଷେ ପୁରିବ। ଏହା ପୂର୍ବରୁ ସେମାନେ ବିଶାଳ ରୢାଲି ଆୟୋଜନ କରିବେ ନଭେମ୍ବର ୨୯ରେ ସଂସଦକୁ ଟ୍ରାକ୍ଟର ରୢାଲି ମଧ୍ୟ ହେବ। କୌଣସି କାର୍ଯ୍ୟକ୍ରମ ବାତିଲ ହେବନାହିଁ ଏମ୍ଏ୍ସପି (ସର୍ବନିମ୍ନ ସହାୟକ ମୂଲ୍ୟ), ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର , ବିଦ୍ୟୁତ ବିଲ୍ ୨୦୨୦ ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ଏବେ ବି ପୂରଣ ହୋଇନାହିଁ। ତେଣୁ ଆନ୍ଦୋଳନ ଜାରି ରହିବ ଏବଂ ନୂଆ ରଣନୀତିରେ ଆମେ ଆଗକୁ ବଢ଼ିବୁ ବୋଲି ସେ କହିଛନ୍ତି।
ସଂସଦର ଶୀତ ଅଧିବେଶନ ସମୟରେ ପ୍ରତିଦିନ ୫୦୦ କୃଷକ ସଂସଦକୁ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ଯାତ୍ରା କରିବେ ବୋଲି ଏସକେଏମ୍ (ସଂଯୁକ୍ତ କିଷାନ ମୋର୍ଚ୍ଚା) ଘୋଷଣା କରିଥିଲା। ଆସନ୍ତାକାଲି ଏସକେଏମ୍ର କୋର୍ କମିଟି ବୈଠକ ଥିବାବେଳେ ଏହି ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିକେୟୁ (ଭାରତୀୟ କିଷାନ ସଂଗଠନ) ନେତା ଯୋଗୀନ୍ଦ୍ର ସିଂହ ଉଗ୍ରହନ କହିଛନ୍ତି। ସରକାର ସଂସଦରେ ୩ କୃଷି ଆଇନ ଉଚ୍ଛେଦ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ପରେ ଦେଶବ୍ୟାପୀ ବିଭିନ୍ନ ଚାଷୀ ସଂଗଠନ ପୃଥକ୍ ବୈଠକ କରୁଛନ୍ତି। ସେମାନଙ୍କ ପରବର୍ତ୍ତୀ ରଣନୀତି କ’ଣ ରହିବ ତାହା ବୈଠକରେ ଆଲୋଚନା ହେଉଛି। ବିକେୟୁ ନେତା ରାକେଶ ଟିକାୟତ ମଧ୍ୟ କହିଛନ୍ତି ଯେ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/farmers-2.jpg)