ବେଦାନ୍ତକୁ ନା‌ଲକୋ ଆଲୁମିନା ବିକ୍ରି ପ୍ରସଙ୍ଗ: ୧୯ରେ ଅଦାଲତ ଅବମାନନା ଶୁଣାଣି

ନୂଆଦିଲ୍ଲୀ: ନାଲକୋ ଆଲୁମିନା ବିକ୍ରି ଟେଣ୍ଡରରେ ବେଦାନ୍ତ ଅଂଶ ଗ୍ରହଣ କରିବା ପାଇଁ ଜାନୁଆରି ୧୪, ୨୦୨୦ରେ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଥିଲେ। ନିର୍ଦ୍ଦେଶକୁ ନାଲକୋ ଅବମାନନା କରିଥିବା ନେଇ ବେଦାନ୍ତ ପକ୍ଷରୁ ମାମଲା ରୁଜୁହୋଇଛି। ଏହା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ମାମଲାର ବୁଝାମଣା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବର ଉତ୍ତର ଦେବା ପାଇଁ ନାଲକୋ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ ସମୟ ଲୋଡ଼ିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼, ବିଚାରପତି ଜଷ୍ଟିସ ଏଏସ ବୋପାନ୍ନା ଓ ବିଚାରପତି ଜଷ୍ଟିସ୍‌ ଭି ରମାସୁବ୍ରମଣ୍ୟମଙ୍କ ଖଣ୍ଡପୀଠରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଛି। ବେଦାନ୍ତର ବୈଦେଶିକ ୟୁନିଟ୍‌ ନା‌ଲକୋର ଆଲୁମିନା ବିକ୍ରି ଟେଣ୍ଡରରେ ବିଡ୍ କରିପାରିବ ବୋଲି ସୁପ୍ରିମକୋର୍ଟ ଜାନୁଆରି ୧୪, ୨୦୨୦ ଆଦେଶରେ କହିଥିଲେ। ଆଲୁମିନା ବିକ୍ରି ଟେଣ୍ଡରରେ ବେଦାନ୍ତ ସଫଳ ହେବା ସତ୍ତ୍ବେ ନାଲକୋ ବେଦାନ୍ତର କନସାଇନମେଣ୍ଟକୁ ଝାରସୁଗୁଡ଼ାସ୍ଥିତ ଏସ୍‌ଇଜେଡ୍‌ରୁ ନେବା ପାଇଁ ଅନୁମତି ଦେଇନଥିଲା। ବିଶାଖାପାଟଣାରେ କାରବାର ପାଇଁ ପ୍ରବର୍ତ୍ତା ଯାଇଥିଲା। ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନା କରାଯାଇଥିବା ଅଭିଯୋଗ କରି ନାଲକୋ ବିରୋଧରେ ବେଦାନ୍ତ ପକ୍ଷରୁ ଅଦାଲତ ଅବମାନନା ରୁଜୁ କରାଯାଇଥିଲା। ବେଦାନ୍ତ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ,ଏଏସ୍‌ ନାଦକର୍ଣ୍ଣି ଏବଂ ନାଲକୋ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପ‌ାଳ ଓ ଆଡଭୋକେଟ ଅନ ରେକର୍ଡ କେଦାରନାଥ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର