ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗ: ପିଟିସନ୍‌ ଖାରଜ

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ମାନ୍ୟତା ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଉଦୟ ଉମେଶ ଲଳିତ ଓ ବିଚାରପତି ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଦାଖଲ କରାଯାଇଥିବା ପିଟିସନ୍‌ରେ କୁହାଯାଇଥିଲା ହାଇକୋର୍ଟଙ୍କ ଦ୍ବାରା ଗଠନ କରାଯାଇଥିବା ସ୍ଥାୟୀ କମିଟି ପକ୍ଷପାତ ଓ ଅନୁଚିତ ପ୍ରକ୍ରିୟାରେ ଗଠନ କରାଯାଇଛି। ଏହା ସହ ମଧ୍ୟ ପିଟିସନ୍‌ରେ ଅଭିଯୋଗ କରାଯାଇଥିଲା ଯେ କିଛି ନିର୍ଦ୍ଦିଷ୍ଟ ଆଇନଜୀବୀଙ୍କ ପାଖରେ ୨୦ ବର୍ଷରୁ କମ ଓକିଲାତି ଅଭିଜ୍ଞତା ଥିଲେ ମଧ୍ୟ ସେମାନଙ୍କୁ ୨୦ ବର୍ଷ ବା ଏହା ଠାରୁ ଅଧିକ ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କ ତୁଳନାରେ ଅଧିକ ମାର୍କ ଦିଆଯାଇଛି।

ଖଣ୍ଡପୀଠ ପିଟିସନ୍‌କୁ ଖାରଜ କରି କହିଛନ୍ତି, ହାଇକୋର୍ଟର ବରିଷ୍ଠ ଆଇନଜୀବୀ ମାନ୍ୟତା ପାଇଁ ସ୍ଥାୟୀ କମିଟି ଦ୍ବାରା ସୁପାରିସ କରାଯାଇନଥିବା ଆଡଭୋକେଟ୍‌ଙ୍କ ସହିତ ସମସ୍ତଙ୍କ ବିବରଣୀ ଅଦାଲତ ସମକ୍ଷରେ ରଖାଯାଇଥିଲା। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଖଣ୍ଡପୀଠଙ୍କ ନିକଟରେ ଏ ସମ୍ପର୍କରେ ଯୁକ୍ତି ରଖିଥିଲେ। ସେ କହିଲେ, ସତ୍ୟପାଠରେ ଏହା ସ୍ପଷ୍ଟ ରୂପେ ଉଲ୍ଲେଖ ଅଛି ଯେ ଯେଉଁମାନଙ୍କୁ ମାନ୍ୟତା ପ୍ରଦାନ ପାଇଁ ସୁପାରିସ କରାଯାଇନଥିଲା, ସେମାନଙ୍କ ନାମ ଉପରେ ଚୂଡ଼ାନ୍ତ ପ୍ରସ୍ତାବ ପାରିତ ହେବା ପୂର୍ବରୁ ପୂର୍ଣ୍ଣ ଅଦାଲତ ଦ୍ବାରା ଏହା ବିଚାରକୁ ନିଆଯାଇଥିଲା। ଏ ଭଳି ସ୍ଥିତିରେ ପିଟିସନ୍‌କୁ ବିଚାର କରିବାର କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।

ସମ୍ବନ୍ଧିତ ଖବର