ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗ: ୧୪ କଲେଜିୟମ୍ ମନୋନୀତଙ୍କୁ ସରକାର ଗ୍ରହଣ କଲେ ନାହିଁ

ନୂଆଦିଲ୍ଲୀ: ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଲାଗି ସୁପ୍ରିମ୍‌କୋର୍ଟ କଲେଜିୟମ୍ ସୁପାରିସ କରିଥିବା ୧୪ ଜଣଙ୍କ ନାମକୁ କେନ୍ଦ୍ର ସରକାର ଫେରାଇଦେବା ସହ ଉକ୍ତ ନାମଗୁଡ଼ିକ ବିଷୟରେ ପୁନଃସମୀକ୍ଷା କରିବା ପାଇଁ କହିଛନ୍ତି। ଏହି ନାମଗୁଡ଼ିକ ମଧ୍ୟରେ କଲେଜିୟମ୍ ବହୁଦିନ ତଳେ ୨୦୧୯ ଜୁଲାଇରେ ସୁପାରିସ କରିଥିବା ନାମଗୁଡ଼ିକ ମଧ୍ୟ ରହିଛି।

ସୂତ୍ର ଅନୁଯାୟୀ ଏହି ନାମଗୁଡ଼ିକ ମଧ୍ୟରୁ ୧୦ଟି ନାମକୁ ଫେରାଇବା ଲାଗି ବିଚାର କରିବା ନିମନ୍ତେ ସରକାର ବର୍ଷକରୁ ଅଧିକ ସମୟ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ନାମକୁ କଲେଜିୟମ୍ ଦ୍ବିତୀୟ ବାର ସୁପାରିସ କରିଥିଲେ ମଧ୍ୟ ତାହାକୁ କେନ୍ଦ୍ର ସରକାର ଫେରାଇଦେଇଛନ୍ତି। ଏହି ମାସ ପ୍ରାରମ୍ଭରେ ପୁନର୍ବିଚାର ପାଇଁ ଫେରାଯାଇଥିବା ନାମଗୁଡ଼ିକ ମଧ୍ୟରେ ୫ଟି ନାମ ଅଛି ଯାହା କଲିକତା ହାଇକୋର୍ଟର ବିଚାରପତି ପଦ ଲାଗି ସୁପାରିସ କରାଯାଇଥିଲା। ତାହା କଲେଜିୟମ୍‌ର ଅନ୍ତିମ ସୁପାରିସ ସତ୍ତ୍ବେ ସରକାରଙ୍କ ସ୍ବୀକୃତି ନିମନ୍ତେ ୨୦୧୯ ଜୁଲାଇ ୨୫ରୁ ପଡ଼ିରହିଥିଲା। ସେହିପରି ଜମ୍ମୁ-କାଶ୍ମୀର ହାଇକୋର୍ଟର ବିଚାରପତି ପଦ ଲାଗି ସୁପାରିସ କରାଯାଇଥିବା ଗୋଟିଏ ନାମ ପ୍ରାୟ ୨୧ ମାସ ଧରି ପଡ଼ିରହିଥିଲା। ସେହି କୋର୍ଟ ପାଇଁ ଆଉ ଗୋଟିଏ ନାମ ଗତ ମାର୍ଚ୍ଚରୁ ପଠାଯାଇଥିଲେ ମଧ୍ୟ ସରକାର ତାହା ଗ୍ରହଣ କରିବା ପରିବର୍ତ୍ତେ ସମ୍ପୃକ୍ତ ଆଇନଜୀବୀଙ୍କ ଆଇନ ବ୍ୟବସାୟଗତ ଅଭିଜ୍ଞତା ବାବଦରେ ଅଧିକ ତଥ୍ୟ ଦେବା ପାଇଁ କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଲାଗି କଲେଜିୟମ୍ ସୁପାରିସ କରିଥିବା ୪ଟି ନାମ ୧୧ ମାସ ଧରି ପଡ଼ିରହିଲା ପରେ ସରକାର ଫେରାଇଦେଇଛନ୍ତି।

ପୁନର୍ବିଚାର ପାଇଁ ସରକାର ଫେରାଇଥିବା ନାମଗୁଡ଼ିକ ମଧ୍ୟରେ ଦୁଇଟି ନାମ ଏପରି ରହିଛି ଯାହାକୁ ଦ୍ବିତୀୟ ଥର ପାଇଁ ଫେରାଇ ଦିଆଯାଇଛି। ଏପରି ଘଟଣା ପ୍ରଥମ ଥର ପାଇଁ ଘଟିଛି। ମେମୋରାଣ୍ଡମ୍ ଅଫ୍ ପ୍ରୋସିଡିଓର (ଏମ୍‌ଓପି) ଅନୁସାରେ କଲେଜିୟମ୍ କୌଣସି ନାମକୁ ଦ୍ବିତୀୟ ବାର ସୁପାରିସ କଲେ ସରକାର ତାହା ଗ୍ରହଣ କରିବାକୁ ବାଧ୍ୟ। ଦ୍ବିତୀୟ ବାର ପୁନର୍ବିଚାର ଲାଗି ସରକାର ଫେରାଇଥିବା ନାମଗୁଡ଼ିକ କର୍ଣ୍ଣାଟକ ଓ କେରଳ ହାଇକୋର୍ଟ ବିଚାରପତି ପଦ ଲାଗି ଉଦ୍ଦିଷ୍ଟ ଥିଲା।

ସମ୍ବନ୍ଧିତ ଖବର