ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରସଙ୍ଗ: ଦୋଷ ଝାଡ଼ିଦେଲା କେନ୍ଦ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଇନ୍‌ମନ୍ତ୍ରୀଙ୍କ ଚିଠି

ଓଡ଼ିଶା ହାଇକୋର୍ଟ ଏଯାଏ ମତାମତ ଦେଇନାହାନ୍ତି, ରାଜ୍ୟ ସରକାରଙ୍କୁ ଏ ବିଷୟ ଜଣାଇ ଦିଆଯାଇଛି, ପୂର୍ବରୁ ନିତେଶ ଓ ସୁରେଶଙ୍କୁ ମିଳିଥିଲା ସମାନ ଉତ୍ତର

ବରଗଡ଼/ ସମ୍ବଲପୁର/ ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏକ ଚିଠି ଲେଖି ଜଣାଇ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ପାଖରେ ଏ ନିଷ୍ପତ୍ତି ଅଟକିନାହିଁ। ବରଂ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ କେନ୍ଦ୍ର ଅପେକ୍ଷା କରୁଛି। ଶ୍ରୀ ପ୍ରସାଦ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ନିକଟରୁ ପ୍ରସ୍ତାବ ମିଳିବା ପରେ କେନ୍ଦ୍ର ସରକାର ଏ ସଂପର୍କରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ତାଙ୍କର ମତାମତ ଲୋଡ଼ିଥିଲେ। କିନ୍ତୁ ଏଯାବତ୍ ହାଇକୋର୍ଟଙ୍କଠାରୁ କୌଣସି ଉତ୍ତର ଆସିନାହିଁ। ୨୦୧୯ ଜାନୁଆରି ୧୨ ତାରିଖରେ ଓଡ଼ିଶା ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ପତ୍ର ଲେଖାଯାଇ ଏ ବାବଦରେ ଅବଗତ କରାଯାଇଛି।

ଶ୍ରୀ ପ୍ରସାଦ ଆହୁରି ସ୍ପଷ୍ଟ କରିଛନ୍ତି ଯେ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଯାବତ୍‌ କେନ୍ଦ୍ର ସରକାରଙ୍କୁ କିଛି ବି ହେଲେ ଜଣାଯାଇ ନାହିଁ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କେତେଦୂର ପ୍ରସ୍ତୁତ ଅଛନ୍ତି ଏବଂ ଏଥିପାଇଁ କ’ଣ ସବୁ ଭିତ୍ତିଭୂମି ଉପଲବ୍ଧ ରହିଛି ସେ ସଂପର୍କରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ କୌଣସି ତଥ୍ୟ ରଖୁ ନଥିବାରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବ ହୋଇପାରୁ ନାହିଁ ଓ କେନ୍ଦ୍ର ସରକାର ଆଗେଇ ପାରୁନାହାନ୍ତି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଗତ ଫେବ୍ରୁଆରି ୪ ତାରିଖରେ ରାଜ୍ୟସଭାରେ ଶୂନ୍ୟକାଳରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଥିଲେ। ଦୀର୍ଘ ଆଠ ମାସ ପରେ କେନ୍ଦ୍ର ଆଇନମନ୍ତ୍ରୀ ଶ୍ରୀ ପ୍ରସାଦ ଏହି ପ୍ରଶ୍ନର ଉତ୍ତର ଚିଠି ଜରିଆରେ ସାଂସଦ ଶ୍ରୀ ଆଚାର୍ଯ୍ୟଙ୍କୁ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଭିମୁଖ୍ୟ ପରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ଆଗକୁ ଏହାକୁ ନେଇ ପୁଣି ଥରେ ରାଜନୈତିକ ବୟାନବାଜି ବଢ଼ିବ, ଏକଥା ଜଳଜଳ ହୋଇ ଦିଶୁଛି।

କୌତୂହ​ଳ କଥା ହେଉଛି, ନିକଟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଂକର ପ୍ରସାଦ ପତ୍ର ଜରିଆରେ ଦେଇଥିବା ଉତ୍ତର ପୂର୍ବରୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ସାଂସଦ ନିତେଶ ଗଂ‌ଗଦେବଙ୍କୁ ମଧ୍ୟ ମିିଳି ସାରିଛି। ଚିଠିରେ କେବଳ ତାରିଖ ବଦଳୁ ଥିଲାବେଳେ ଉତ୍ତର ପ୍ରାୟତଃ ସମାନ ରହିଛି। ପ୍ରସନ୍ନଙ୍କ ପୂର୍ବରୁ ଶ୍ରୀ ପୂଜାରୀଙ୍କୁ ଗତ ଜୁଲାଇ ମାସରେ ଓ ଶ୍ରୀ ଗଂଗଦେବଙ୍କୁ ୨୦୧୯ ଜୁଲାଇ ମାସରେ ଆଇନ୍‌ ମନ୍ତ୍ରୀଙ୍କ ପକ୍ଷରୁ ସମାନ ଉତ୍ତର ଦିଆ ଯାଇଥିଲା। ଏପଟେ ଆଜି ସାଂସଦ ଶ୍ରୀ ଆଚାର୍ଯ୍ୟ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ କହିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ସରକାରଙ୍କ ପକ୍ଷରୁ ସଂସଦରେ କିଛି ବିଲ୍‌ ଆସିବା ଭଳି ମନେ ହେଉନାହିଁ। ପ୍ରତିବର୍ଷ ସେ ସଂସଦରେ ଏନେଇ ଦାବି ଉଠାଇଛନ୍ତି। ଆଗକୁ ବି ଉଠାଇବେ। ଆଗକୁ ସଂସଦରେ ବେସରକାରୀ ବିଲ୍‌ ଆଣିବାକୁ ସେ ଉଦ୍ୟମ କରୁଛନ୍ତି। ରାଜ୍ୟ ସରକାର ସବୁ କିସମର ଭିତ୍ତିଭୂମି ଯୋଗାଇବା ପାଇଁ ପୂର୍ବରୁ କହିଛନ୍ତି। କିନ୍ତୁ ହାଇକୋର୍ଟ ବେଞ୍ଚ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ଭିତ୍ତିଭୂମି ପ୍ରସଂଗ ଉଠାଇବା ପଛରେ କେନ୍ଦ୍ରର କି ଉଦ୍ଦେଶ୍ୟ ଅଛି ତାହା ବୁଝା ପଡ଼ୁନାହିଁ।

ଏ ସଂପର୍କରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଉତ୍ତର ତ ସମାନ ହେବ। ସ୍ଥିତି ତ ବଦଳୁ ନାହିଁ। ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ କେନ୍ଦ୍ର ରାଜି ଅଛି। କିନ୍ତୁ ସ୍ଥିତି ବଦଳାଇବା ଦାୟିତ୍ବ ‌ଓଡ଼ିଶା ସରକାରଙ୍କର। ରାଜ୍ୟ ସରକାର ସମନ୍ବିତ (କମ୍ପୋଜାଇଟ୍) ପ୍ରସ୍ତାବ ଦେବାର ଆବଶ୍ୟକତା ରହୁଛି ଯାହା କେନ୍ଦ୍ର ବାରମ୍ବାର ମାଗୁଛି। କିନ୍ତୁ ଓଡ଼ିଶା ସରକାର ଏହି ‌ସମନ୍ବିତ ପ୍ରସ୍ତାବ ପଠାଇବାରେ ଆଜି ପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି। ହାଇକୋର୍ଟ ସ୍ଥାପନ ହେବାର ସ୍ଥାନ ନିର୍ଧାରଣ, ପରିସୀମା, ଜମି ଓ ଖର୍ଚ୍ଚ ତଥା ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ରାଜ୍ୟ ସରକାରଙ୍କ ଦାୟିତ୍ବ ଯାହା ସମନ୍ବିତ ପ୍ରସ୍ତାବରେ ରହିବା ଆବଶ୍ୟକ। ଏହା ଦେଲେ ଯାଇ କେନ୍ଦ୍ର ସରକାର ସଂସଦରେ ଏନେଇ ଆଇନ୍‌ ଆଣିପାରିବେ।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଗତ ଦୁଇବର୍ଷ ଧରି ବିଭିନ୍ନ ଜିଲ୍ଲାରେ ମାରାଥନ୍‌ ଆନ୍ଦୋଳନ ଚାଲିଥିଲା। କିନ୍ତୁ କରୋନା ଏହି ଆନ୍ଦୋଳନକୁ ଧିମା କରିଛି। ବିଭିନ୍ନ ସଂଗଠନ ଏବଂ ଓକିଲ ସଂଘ ଏହି ଆନ୍ଦୋଳନର ପରବର୍ତୀ ରଣନୀତି ପ୍ରସ୍ତୁତି ଜାରି ରଖିଛନ୍ତି। ଆଗାମୀ ଦିନରେ ଏହା ପୁଣି ଉଗ୍ରରୂପ ଦେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଏହି ଚିଠି ଆନ୍ଦୋଳନକୁ ଖୋରାକ ଯୋଗାଇଛି। କେନ୍ଦ୍ରମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଯଶଓ୍ଵନ୍ତ ସିଂହ କମିସନ ସୁପାରିସ୍‌ ଓ ସୁପ୍ରିମ୍‌ କୋର୍ଟ ୨୦୦୦ରେ ଦେଇଥିବା ନିର୍ଦ୍ଦେଶ ଆଧାରରେ ହେବ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏଥିପାଇଁ ରାଜ୍ୟ ସରକାରଙ୍କ ସୁପାରିସ୍‌ ଓ ଏହା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ପଡ଼ିଥାଏ।

ସମ୍ବନ୍ଧିତ ଖବର