ୱାସିଂଟନ: ଇସ୍ରାଏଲ ଉପରେ ହମାସର ରକ୍ତାକ୍ତ ଆକ୍ରମଣ ପରେ ଅନେକ ଆରବ ଏବଂ ମୁସଲମାନ ୯/୧୧ ଆକ୍ରମଣ ପରେ ଆମେରିକାରେ ସେମାନଙ୍କ ସମ୍ପ୍ରଦାୟ ଉପରକୁ ଆସିଥିବା ସନ୍ଦେହର ବାତାବରଣକୁ ଫେରିବାର ସଙ୍କେତକୁ ନେଇ ଚିନ୍ତିତ ଅଛନ୍ତି। ଇଲିନୋଇସରେ ପାଲେଷ୍ଟାଇନ ବଂଶୋଦ୍ଭବ ଜଣେ ଛୋଟ ପିଲାକୁ ଛୁରି ଭୁଷି ହତ୍ୟା କରାଯିବା ପରେ ଏହି ଆଶଙ୍କା ବଦ୍ଧମୂଳ ହୋଇଛି। ୬ ବର୍ଷୀୟ ୱାଡିଆ ଅଲ-ଫୟୁମଙ୍କୁ ଶନିବାର ତାଙ୍କ ପରିବାରର ୭୧ ବର୍ଷୀୟ ଘରମାଲିକ ୨୬ ଥର ଛୁରି ମାଡ଼ କରିଥିବା ପୁଲିସ କହିଛି। ଘରମାଲିକ ବିରୋଧରେ ହେଟ୍କ୍ରାଇମ୍ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଥିବାବେଳେ ମା’ ମୃତଶିଶୁର ବାପାଙ୍କୁ ପଠାଇଥିବା ମେସେଜ୍ ଅନୁଯାୟୀ, ଘର ମାଲିକ ତାଙ୍କୁ ଆକ୍ରମଣ କରିବା ବେଳେ ‘ତୁମେ ମୁସଲମାନମାନେ ମରିବା ଦରକାର’ ବୋଲି ଚିତ୍କାର କରି କହିଥିଲେ। କାଉନସିଲ୍ ଅନ୍ ଆମେରିକାନ୍-ଇସଲାମିକ ରିଲେସନ୍ସ (ସିଏଆଇଆର୍) ପକ୍ଷରୁ ଏହା ଉଲ୍ଲେଖ କରାଯାଇଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣ ପରିପ୍ରେକ୍ଷୀରେ ଏହି ମୁସଲମାନ ପରିବାରକୁ ବ୍ୟକ୍ତି ଜଣକ ଟାର୍ଗେଟ କରିଥିଲେ ବୋଲି ପୁଲିସ କହିଛି।
ଇସ୍ରାଏଲକୁ ଅତୁଟ ସମର୍ଥନ ଦେଇଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ସେ ଏହି ଆକ୍ରମଣରେ ବ୍ୟଥିତ ହୋଇପଡ଼ିଛନ୍ତି ଏବଂ ଇସଲାମୋଫୋବିଆ (ଇସ୍ଲାମ ପ୍ରତି ଭୟ)କୁ ପ୍ରତ୍ୟାଖ୍ୟାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସିକାଗୋସ୍ଥିତ ସିଏଆଇଆର୍ କାର୍ଯ୍ୟାଳୟର ମୁଖ୍ୟ ଅହମଦ ରେହାବ କହିଛନ୍ତି, ଛୋଟ ପିଲାଟିକୁ ଇସ୍ରାଏଲ-ହମାସ ଯୁଦ୍ଧ ପରିପ୍ରେକ୍ଷୀରେ ସୃଷ୍ଟି ହୋଇଥିବା ଘୃଣାର ବାତାବରଣ ପାଇଁ ମୂଲ୍ୟ ଦେବାକୁ ପଡ଼ିଲା। ୯/୧୧ ପରବର୍ତ୍ତୀ ସମୟରେ ଅନୁରୂପ ପରିବେଶ ସୃଷ୍ଟି ହୋଇଥିଲା, ତା’ର ପୁନରାବୃତ୍ତି ନ କରିବାକୁ ସେ ଅନୁରୋଧ କରିଛନ୍ତି। ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କ ଓ ୱାସିଂଟନରେ ଅଲକାଏଦା ଆକ୍ରମଣ ପରେ ମୁସଲମାନଙ୍କ ପ୍ରତି ନିର୍ଯାତନା ବୃଦ୍ଧି ପାଇଥିବା ପିଲାଦିନର କଥା ମନେ ପକାଇ ସାମ୍ବାଦିକରୁ ହାସ୍ୟ ଅଭିନେତା ପାଲଟିଥିବା ସରାହ ସୁଜୁମି ହାୱାର୍ଡ (୩୦) କହିଛନ୍ତି। ପରିସ୍ଥିତି ଏତେ ଖରାପ ଥିଲା ଯେ ଭେଦଭାବରୁ ବର୍ତ୍ତିବା ପାଇଁ ତାଙ୍କ ପରିବାର ସେମାନଙ୍କର ସାଂଜ୍ଞା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।
ପାଲେଷ୍ଟାଇନ ବଂଶୋଦ୍ଭବ ୨୩ ବର୍ଷୀୟା ଜେଞ୍ଜାବେଲା ନାମକ ଜଣେ ପାଲେଷ୍ଟାଇନ ବଂଶୋଦ୍ଭବ ବ୍ୟକ୍ତି ନିଜ ନାମ ଗୋପନ ରଖିବାକୁ ପସନ୍ଦ କରି କହିଛନ୍ତି ଯେ ସେ ସାମ୍ପ୍ରତିକ ଦିନମାନଙ୍କରେ ମୁସଲମାନଙ୍କ ପ୍ରତି ଘୃଣା ବଢ଼ୁଥିବା ଅନୁଭବ କରିଛନ୍ତି ଏବଂ ସେ ଦେଖିଛନ୍ତି ଯେ ଆରବୀ ଭାଷାରେ ‘ଆସ୍-ସଲାମ-ଆଲୟକୁମ୍’ (ମୁସଲମାନମାନେ ଅନ୍ୟକୁ ଦେଖିଲେ ଏହା କହି ଅଭିବାଦନ କରିଥାନ୍ତି, ଯାହାର ଅର୍ଥ- ‘ତୁମ ଉପରେ ଶାନ୍ତି ବର୍ଷିତ ହେଉ’) କହିବା ପାଇଁ ତାଙ୍କ ପଡ଼ୋଶୀଙ୍କୁ ଗାଳି ଶୁଣିବାକୁ ପଡ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/sfsfhfhssfhfh.jpg)