ସଂସଦରେ ଉଠିବ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା: ବସନ୍ତ

ଆଜିଠାରୁ ସଂସଦର ବଜେଟ ଅଧିବେଶନ, ଅଧିବେଶନ ପାଇଁ ବିଜେପି, କଂଗ୍ରେସ ଓ ବିଜେଡିର ପ୍ରସ୍ତୁତି

ନୂଆଦିଲ୍ଲୀ :ଆଜିଠାରୁ ସଂସଦର ବଜେଟ ଅଧିବେଶନ। ଅଧିବେଶନ କାଳରେ ଆଇନଶୃଙ୍ଖଳା, ମଣ୍ଡି ସମସ୍ୟା, ଚାଷୀ ଶୋଷଣ ଓ ନାରୀ ନିର୍ଯାତନା ଆଦି ପ୍ରସଙ୍ଗରେ ରାଜ୍ୟ ବିଜେଡି ସରକାରଙ୍କୁ ଘେରିବା ପାଇଁ ବିଜେପି ପ୍ରସ୍ତୁତ ହୋଇରହିଛି। ଅନ୍ୟ ପକ୍ଷରେ ଓଡ଼ିଶାର ହକ୍‌ ପାଇଁ ବିଜେଡି ସଂସଦରେ ଲଢ଼େଇ ଜାରିରଖିବାକୁ ନିଷ୍ପତ୍ତି ନେଇଛି।

ବିଜେପିର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ସାଂସଦ ବସନ୍ତ କୁମାର ପଣ୍ଡା କହିଛନ୍ତି ଯେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୁଲିସ ହତ୍ୟାର ଶିକାର ହୋଇଛନ୍ତି। ଏହା ସୂଚିତ କରୁଛି ଯେ ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଏହି ପ୍ରସଙ୍ଗକୁ ବିଜେପି ସଂସଦରେ ଜୋରସୋର୍‌ରେ ଉପସ୍ଥାପନ କରିବ। ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନୁହନ୍ତି, ସେଠି ସାଧାରଣ ଲୋକଙ୍କ ସ୍ଥିତି ଅନୁମେୟ। ଓଡ଼ିଶାର ଚାଷୀମାନେ ମଣ୍ଡି ସମସ୍ୟାକୁ ନେଇ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନାରୀମାନେ ନିର୍ଯାତନା ଜର୍ଜରିତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ଓଡ଼ିଶା ସରକାର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରି ଦେଉନାହାନ୍ତି। ଯାହା ଫଳରେ ଅନେକ ପ୍ରକଳ୍ପର କ୍ରିୟାନ୍ବୟନ ହୋଇପାରୁନାହିଁ। ଏହି ସବୁ ପ୍ରସଙ୍ଗ ବିଜେପି ସଂସଦର ବଜେଟ ଅଧିବେଶନ କାଳରେ ଉଠାଇବ ବୋଲି ସାଂସଦ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଅଧିବେଶନରେ ବିଜେଡି କେଉଁସବୁ ପ୍ରସଙ୍ଗ ଉଭୟ ସଦନରେ ଉଠାଇବ ସେ ସମ୍ପର୍କରେ ଗତ ୨୮ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ‌ରେ ସୂଚୀ ପ୍ରସ୍ତୁତ ହୋଇଛି। ତଦନୁସାରେ ସାଂସଦମାନେ ସେମାନଙ୍କ ସ୍ବର ସଂସଦରେ ଶାଣିତ କରିବେ। ଆଜି କେନ୍ଦ୍ର ସରକାରଙ୍କ ଦ୍ବାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ର ଯୋଗଦେଇ ଚଳିତ ବଜେଟ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ବିଧେୟକକୁ ପାରିତ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଲେ ଯେ ବିଜେଡି ଲଗାତାର ଏହି ଦାବି କରିଆସୁଛି। ଏଥି ସହିତ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନା‌ରେ ଗରିବ ହିତାଧିକାରୀଙ୍କୁ ଘର ଯୋଗାଇଦେବା, ଗରିବ ଲୋକଙ୍କୁ ମିଳୁଥିବା ଚାଉଳ କଟାନଯିବା, ଓଡ଼ିଶାକୁ ଫୋକସ୍‌ ଷ୍ଟେଟ ମାନ୍ୟତା, ରାଜ୍ୟର ୧୬୯ ଜନଜାତିଙ୍କୁ କେନ୍ଦ୍ର ସରକାର ଏସ୍‌ଟି ତାଲିକାଭୁକ୍ତ କରିବା, ଅହିଂସାକୁ ସମ୍ବିଧାନର ମୁଖବନ୍ଧ‌ରେ ସାମିଲ କରିବା, ରାଜମାର୍ଗ ଓ ଟେଲିକମ୍‌ ନେଟୱାର୍କ କ୍ଷେତ୍ରରେ ଓଡ଼ିଶାକୁ ଗୁରୁତ୍ବଦେବା, କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପ୍ରସଙ୍ଗ ଓ ଚାଷୀ ଓ ଚାଷ ସଂପର୍କିତ ପ୍ରସଙ୍ଗକୁ ବିଜେଡି ଜୋରସୋର୍‌ ଉଠାଇବ ବୋଲି ସାଂସଦ ଡ. ପାତ୍ର କହିଛନ୍ତି।

ଓଡ଼ିଶାରୁ କଂଗ୍ରେସର ଏକମାତ୍ର ସାଂସଦ ସପ୍ତଗିରି ଶଙ୍କର ଉଲାକା ମଧ୍ୟ ଅଧିବେଶନ ପାଇଁ ନିଜ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ସୂଚନା ମୁତାବକ ରେଳ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣରେ ହେଉଥିବା ବିଳମ୍ବ ଏବଂ କୋଟିଆ ଅଂଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ସେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବେ। ତାଲିକାରୁ ବାଦ୍‌ ଆଦିବାସୀମାନଙ୍କୁ ଜନଜାତି ମାନ୍ୟତା, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଭଳି ଏକାଧିକ ପ୍ରସଙ୍ଗ ସେ ଉଠାଇବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର