ଇଂଲିଶ ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଇଟାଲି ସରକାରଙ୍କ ବିଲ୍ ପ୍ରସ୍ତୁତ

ରୋମ : ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଦଳ ଦେଶରେ ସରକାରୀ ଯୋଗାଯୋଗ କ୍ଷେତ୍ରରେ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ବିଦେଶୀ ଶବ୍ଦ, ବିଶେଷତଃ ଇଂରାଜୀର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଏକ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛି।
ଏଥିପାଇଁ ଇଟାଲିର ଜାତୀୟତାବାଦୀ ବ୍ରଦର୍ସ ଅଫ୍ ଇଟାଲି ଦଳର ସାଂସଦମାନେ ଏକ ଚିଠା ବିଲ୍ ପ୍ରସ୍ତୁତ କରିଛନ୍ତି। ଏଥିରେ ବିଦେଶୀ ଭାଷା ଓ ଶବ୍ଦକୁ ନିଷିଦ୍ଧ କରି ଇଟାଲୀୟ ଭାଷାର ଉନ୍ନତି ପାଇଁ ପ୍ରସ୍ତାବ ଦିଆଯାଇଛି। ଯେଉଁମାନେ ନିୟମ ଭଙ୍ଗ କରିବେ ସେମାନଙ୍କ ଉପରେ ୧୦୦,୦୦୦ ୟୁରୋ (୧୦୮,୭୫୦ ଡଲାର) ପର୍ଯ୍ୟନ୍ତ ଜରିମାନା ଲଗାଇବାକୁ ବିଲ୍‌ରେ ଉଲ୍ଲେଖ କରାଯାଇଛି।

ତେବେ ଏହି ଚିଠା ବିଲ୍‌ ଆଇନରେ ପରିଣତ ହେବା ପାଇଁ ସଂସଦର ଉଭୟ ସଦନରେ ଗୃହୀତ ହେବା ଆବଶ୍ୟକ। ବିଲ୍‌ରେ କୁହାଯାଇଛି ଯେ ଇଂରାଜୀ ପ୍ରୀତି ଦେଶର ଇଟାଲୀୟ ଭାଷାର ଉନ୍ନତିରେ ବାଧକ ସାଜିଛି। ତେଣୁ ଇଟାଲୀୟ ଭାଷାର ଉନ୍ନତି ପାଇଁ ଇଂରାଜୀ ଓ ଅନ୍ୟ ବିଦେଶୀ ଭାଷା ଓ ଶବ୍ଦର ବହୁଳ ବ୍ୟବହାର ବନ୍ଦ ହେବା ଦରକାର। ସମସ୍ତ ଚାକିରି ସମ୍ବନ୍ଧିତ ଦରଖାସ୍ତରେ ନାମ ଆଦି ଇଟାଲୀୟ ଭାଷା ଓ ଲିପିରେ ଲେଖା ହେବା ଦରକାର। କେବଳ ଯେଉଁ ଶବ୍ଦ ଇଟାଲୀୟ ଭାଷାରେ ଲେଖାଯିବା ସମ୍ଭବ ନୁହେଁ ବା ଇଟାଲୀୟ ଭାଷାରେ ଯାହାର ପ୍ରତିଶବ୍ଦ ନାହିଁ, କେବଳ ସେହି ଶବ୍ଦ ଇଂରାଜୀ ବା ବିଦେଶୀ ଭାଷାରେ ରହିପାରିବ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର