ଶ୍ରୀନଗର: ନିକଟରେ ଆତଙ୍କବାଦୀଙ୍କ ଦ୍ବାରା ସଂଘଟିତ ଅଣକଶ୍ମୀରୀଙ୍କ ଟାର୍ଗେଟେଡ୍ କିଲିଂ ଓ ହିଂସାକାଣ୍ଡ ଦ୍ବାରା ନିରୁତ୍ସାହିତ ନ ହୋଇ ଜମ୍ମୁ-କଶ୍ମୀର ସରକାର ରାଜ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଦୁବାଇ ସରକାରଙ୍କ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରାପ୍ତ ରିପୋର୍ଟ ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳରେ ରିୟଲ ଇଷ୍ଟେଟ୍ ବିକାଶ, ଇଣ୍ଡଷ୍ଟ୍ରିଆଲ ପାର୍କ, ଆଇଟି ଟାୱାର, ବହୁମୁଖୀ ଟାୱାର, ଯୋଗାଣ ଓ ପରିବହନ ବ୍ୟବସ୍ଥା, ମେଡିକାଲ କଲେଜ, ସୁପର ସ୍ପେଶାଲିଟି ହସ୍ପିଟାଲ ଓ ଆହୁରି କେତେକ ପ୍ରକଳ୍ପ ପାଇଁ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ବୋଲି ସୋମବାର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଉକ୍ତ ଅବସରରେ ରାଜଭବନରେ ଉପସ୍ଥିତ ଥିଲେ।

Advertisment

ମନ୍ତ୍ରୀ ଗୋୟଲ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେ ନିକଟରେ ଦୁବାଇ ଗସ୍ତ କରିଥିବା ଅବସରରେ କିଙ୍ଗ ସୁଲତାନ ଅହମଦ ଭାରତ ଗସ୍ତରେ ଆସିବା ଏବଂ ବିଶେଷତଃ ଜମ୍ମୁ-କଶ୍ମୀରରେ ରିୟଲ ଇଷ୍ଟେଟ ବ୍ୟବସାୟରେ ପୁଞ୍ଜିନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହି ପ୍ରସ୍ତାବରେ ସେ ସମ୍ମତି ପ୍ରକାଶ କରିବା ସହ ଅହମଦଙ୍କୁ ଭାରତ ଆମନ୍ତ୍ରଣ କରିଥିଲେ। ଏ ଏମ୍‌ଓୟୁଗୁଡ଼ିକ ହେଉଛି ତା’ରି ଏକ ଫଳ। ବର୍ତ୍ତମାନ ଦୁବାଇରୁ ଲୋକ ଜମ୍ମୁ-କଶ୍ମୀର ଆସିବେ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟଟନ ଓ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ବୃଦ୍ଧି ଘଟିବ ବୋଲି ଗୋୟଲ କହିଥିଲେ।