ନୂଆଦିଲ୍ଲୀ: ଲୋକସଭାରେ ଆଜି ବଜେଟ୍ ବିତର୍କ ବେଳେ ଜେଡିୟୁ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଲଲନ ସିଂହ କହିଛନ୍ତି ଯେ ମୋଦୀ ସରକାରଙ୍କ ପ୍ରଥମ ବଜେଟ୍‌ ପଦକ୍ଷେପରେ ହିଁ କଂଗ୍ରେସ ଅଲ୍ ଆଉଟ୍ ହୋଇଯାଇଛି ଏବଂ ଏହି ଦଳ ୫ ବର୍ଷ ପରେ ପୁଣି ଶୂନକୁ ଖସିଯିବ। ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପାଖରେ ପୂର୍ଣ୍ଣ ଜନାଦେଶ ଅଛି ବୋଲି ବିରୋଧୀମାନେ ଏବେ ସ୍ୱୀକାର କରିବା ଉଚିତ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରି ସିଂହ କହିଥିଲେ ଯେ ଏହା ହେଉଛି ସରକାରଙ୍କ ପ୍ରଥମ ବର୍ଷ। କେବଳ ପରବର୍ତ୍ତୀ ୪ ବର୍ଷକୁ ଅପେକ୍ଷା କରନ୍ତୁ ଏବଂ ଆପଣ ରାଜନୈତିକ ଯୁଦ୍ଧକ୍ଷେତ୍ରରୁ ଅଦୃଶ୍ୟ ହୋଇଯିବେ। ୯୯ରେ ସାପ ଆପଣଙ୍କୁ କାମୁଡ଼ିବ ଏବଂ ଏଥିରୁ ନିସ୍ତାର ନାହିଁ ବୋଲି ସେ କହିଛନ୍ତି। ମେଣ୍ଟକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ବଜେଟ୍ ଘୋଷଣା କରିଥିବା ଅଭିଯୋଗକୁ ମଧ୍ୟ ଲଲନ ସିଂହ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆମେ ଅତୀତରେ ମଧ୍ୟ ଦେଖିଛୁ ଯେ କ୍ଷମତାରେ ଥିବା ବେଳେ ଆପଣ କିପରି ଶାଗୁଣାଙ୍କ ଭଳି ଆଚରଣ କରନ୍ତି। ଏଭଳି ମନ୍ତବ୍ୟକୁ ଶାସକ ଦଳର ସାଂସଦମାନେ ବିପୁଳ ଉତ୍ସାହର ସହ ସ୍ବାଗତ କରିଥିଲେ।

Advertisment

୨୦୨୪-୨୫ କେନ୍ଦ୍ର ବଜେଟରେ ଏନ୍‌ଡିଏ ସହଯୋଗୀ ଦଳ ସରକାରରେ ଥିବା ଆନ୍ଧ୍ରପ୍ରଦେଶ ଏବଂ ବିହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ବିରୋଧୀଙ୍କ ଦାବିକୁ ଲଲନ ସିଂହ କଡ଼ା ସମାଲୋଚନା କରିଛନ୍ତି। ଉଭୟ ରାଜ୍ୟକୁ ମିଳିଥିବା ଆର୍ଥିକ ପ୍ୟାକେଜକୁ ଇଣ୍ଡି ମେଣ୍ଟ ବିରୋଧ କରୁଥିବାରୁ ଏହା ଉପରେ ପ୍ରତିକ୍ରିୟା ରଖି ସିଂହ କହିଛନ୍ତି, ଅନେକ ଦଳ କହିଛନ୍ତି ଯେ ଏହି ବଜେଟ୍ ଦୁଇ ଦଳ (ଟିଡିପି ଏବଂ ଜେଡିୟୁ)କୁ ଖୁସି କରିବା ଏବଂ ସରକାରକୁ ସୁରକ୍ଷିତ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ମୁଁ ଏହା ଅନେକ ଥର ଶୁଣିଛି । ସରକାର ଗଠନ ପାଇଁ ମେଣ୍ଟ ନିର୍ବାଚନ ପୂର୍ବରୁ ହୋଇଥିଲା ଏବଂ ବିପୁଳ ଜନାଦେଶ ସହ ଗଠନ ହୋଇଥିବା ସରକାରକୁ ବଞ୍ଚାଇବାର ଅର୍ଥ କ’ଣ ବୋଲି ସେ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ। ବିଜେପି ସହ ତେଲୁଗୁ ଦେଶମ ପାର୍ଟି ଓ ଜେଡିୟୁର ମେଣ୍ଟ ନିର୍ବାଚନ ପୂର୍ବରୁ ହୋଇଥିଲେ ମଧ୍ୟ ବିରୋଧୀ ମେଣ୍ଟ ଏହାକୁ ସ୍ବୀକାର ନକରିବା ହୀନମନ୍ୟତାର ପରିଚାୟକ ବୋଲି ସେ କହିଥିଲେ।

ଇଣ୍ଡି ମେଣ୍ଟକୁ ‘ଶାଗୁଣା’ସହ ତୁଳନା କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଆମେ (ଜେଡିୟୁ) ବି ଇଣ୍ଡି ମେଣ୍ଟ ସହ ଥିଲୁ ଏବଂ ଦେଖିଥିଲୁ ଯେ କ୍ଷମତାରେ ଥିବାବେଳେ ଆପଣ କିପରି ଶାଗୁଣା ଭଳି ଆଚରଣ କରନ୍ତି। ଏଥିପାଇଁ ଆମେ ଇଣ୍ଡି ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲୁ। ଏବେ ଏନ୍‌ଡିଏର ବିଜୟକୁ କଂଗ୍ରେସ ସ୍ବୀକାର କରିବାକୁ ବାଧ୍ୟ ବୋଲି ସେ କହିଥିଲେ।