ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଏକ ପରିବାର ସାମାଜିକ ବାସନ୍ଦର ଶିକାର ହୋଇଛନ୍ତି। ଏକ ଗୁଜବ ପାଇଁ ରାମଗଡ଼ ଜିଲ୍ଲାରେ ୪ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାରକୁ ପାଣି ବନ୍ଦ କରି ଦିଆଯାଇଥିଲା।। ଉକ୍ତ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଗ୍ରାମର ନଳକୂପ ଏବଂ କୂଅରୁ ପାଣି ବ୍ୟବହାର କରିବାକୁ ଦିଆଯାଉନି। ପରିବାରର ୨ ଜଣ ଶିଶୁ କିଛି ନଖାଇ ଭୋକରେ କାନ୍ଦୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏହି ଖବର ପଦାକୁ ଆସିଛି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଉକ୍ତ ଘଟଣାରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଏବଂ ପରିବାରକୁ ସହଯୋଗ କରିବାପାଇଁ ରାମଗଡ଼ ଡିସିଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ କରି କହିଛନ୍ତି, ମହାମାରୀ ଭଳି ବିପଦ ସମୟରେ ଲୋକମାନେ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ।
ମୁରୁଡିହ ଗ୍ରାମରେ ଏହି ଘଟଣା ଘଟିଛି। ୨ଟି ଶିଶୁର ମା' ଗୀତା ଦେବୀ ଦିଦି ରୋଷଶାଳାରେ କାମ କରନ୍ତି। ଝାଡ଼ଖଣ୍ଡ ରାଜ୍ୟ ଜୀବିକା ପ୍ରୋତ୍ସାହନ ସମାଜ (ଜେଏସ୍ଏଲ୍ପିଏସ୍) ଅଧୀନରେ ଚାଲିଥିବା ଦିଦି କିଚେନ୍ରେ ଗୀତା ଦେବୀ କାର୍ଯ୍ୟ କରୁଛନ୍ତି। ଏହି ଯୋଜନା ଦ୍ବାରା ଲକ୍ଡାଉନ୍ ସମୟରେ ଗରିବମାନଙ୍କୁ ଖାଦ୍ୟ ଦିଆଯାଉଛି। ତେବେ ଏପ୍ରିଲ ୧୮ ତାରିଖରେ ଖାଦ୍ୟ ଦେବାବେଳେ କିଛି ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ସେ କରୋନା ସଂକ୍ରମିତ। ତେଣୁ ତାଙ୍କ ହାତରୁ ଖାଦ୍ୟ ଗ୍ରହଣ କରିବାପାଇଁ ମନା କରାଯାଇଥିଲା। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଗୀତା ଦେବୀଙ୍କ ଭାଇ ଛତିଶଗଡ଼ରୁ ଆସିଥିଲେ ଏବଂ ସେ କରୋନା ସଂକ୍ରମିତ। କିନ୍ତୁ ଗୀତା ଦେବୀଙ୍କ ଘରକୁ କେହି ଆସିନାହାନ୍ତି ବୋଲି ସେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ। ତାଙ୍କୁ ଖାଦ୍ୟ ପରସିବାକୁ ଦିଆଯାଇନଥିଲା। ପର ଦିନ ସେ ଗାଁ ନଳକୂପକୁ ପାଣି ପାଇଁ ଯାଇଥିଲେ ମଧ୍ୟ ତାଙ୍କୁ ବନ୍ଦ କରାଯାଇଥିଲା। ପାଣି ନଥିବାରୁ ସେଦିନ ଗୀତା ଦେବୀଙ୍କ ଘରେ ରୋଷେଇ ହେଲାନି। ଗ୍ରାମବାସୀଙ୍କୁ ଭୁଲ୍ ପ୍ରମାଣିତ କରିବାପାଇଁ ଗୀତା ଦେବୀ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଏପ୍ରିଲ ୧୯ ତାରିଖରେ କରୋନା ଟେଷ୍ଟ୍ କଲେ। ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀ ସେମାନଙ୍କୁ କ୍ବାରାଣ୍ଟିନ୍ରେ ରହିବାକୁ କହିଲେ। କିନ୍ତୁ ଗ୍ରାମବାସୀ ସେମାନଙ୍କୁ ଗ୍ରାମ ଛାଡ଼ିଦେବାକୁ କହିଲେ। ଏପ୍ରିଲ ୨୦ ତାରିଖରେ ସେ ତାଙ୍କ ଏଲ୍ପିଜି ସିଲିଣ୍ଡର ଭର୍ତ୍ତି କରିବାପାଇଁ ଘରୁ ବାହାରକୁ ବାହାରିଥିଲେ। କିନ୍ତୁ ଗ୍ରାମବାସୀମାନେ ତାଙ୍କୁ ଏଥିପାଇଁ ଅନୁମତି ଦେଇନଥିଲେ। ଶେଷରେ ବାଧ୍ୟ ହୋଇ ଗୀତା ଦେବୀ ଏପ୍ରିଲ ୨୧ ତାରିଖରେ ପୁଲିସର ଆଶ୍ରୟ ନେଇଥିଲେ। ପୁଲିସ ବୁଧବାର ସନ୍ଧ୍ୟାରେ ତଦନ୍ତ କରି ଗ୍ରାମବାସୀଙ୍କ ଉତ୍ପୀଡ଼ନ ସଂପର୍କରେ ଜାଣିଥିଲା ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଗୀତା ଦେବୀଙ୍କ ପରିବାର ପାଇଁ କୌଣସି ସାମାଜିକ କଟକଣା ନ ରଖିବା ପାଇଁ ଲୋକଙ୍କୁ ତାଗିଦ କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।