ଶ୍ରୀନଗର ଓ ଲେହର ଜୀବନରେଖା ହେବ ଜୋଜିଲା ଟନେଲ: ୨୦୨୩ ଡିସେମ୍ବର ସୁଦ୍ଧା ସରିବ ନିର୍ମାଣ

ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ଶ୍ରୀନଗରରୁ ଅନୁଜ ଦାସ
ଶ୍ରୀନଗର ଜମ୍ମୁ କାଶ୍ମୀରର ଶ୍ରୀନଗରକୁ ଲଦାଖ-ଲେହ ସହିତ ସଂଯୋଗ କରିବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ। ଶ୍ରୀନଗର ଏବଂ ଲେହ ମଧ୍ୟରେ ଜୀବନରେଖା ପାଲଟିବ ଏହି ଟନେଲ। ପୂର୍ବରୁ ୨୦୨୬ରେ ଉକ୍ତ ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ପ୍ରକଳ୍ପର ଅଗ୍ରଗତିକୁ ଦେଖି ନିର୍ମାଣ କାମ ଆଗୁଆ ଅର୍ଥାତ୍‌ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସାରିବାକୁ ନିର୍ମାଣକାରୀ ସଂସ୍ଥାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଜୋଜିଲା ଏବଂ ‌ଜୋ-ମୋର୍‌ ଟନେଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି।

ଶୀତ ଦିନରେ ବର୍ଷର ୬ ମାସ ବନ୍ଦ ରହୁଥିବା ଏହି ଅଞ୍ଚଳରେ ଯାତାୟତକୁ ସମ୍ଭବ କରିବ ଜୋଜିଲା ଟନେଲ। ସ୍ଥାନୀୟ ଅଞ୍ଚଳର ପ୍ରତିରକ୍ଷା ଏବଂ ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜୋଜିଲା ପ୍ରକଳ୍ପ ଏବଂ ଜୋ-ମୋର୍ ସମ୍ପୂର୍ଣ୍ଣ ହେଲେ ବର୍ଷ ସାରା ସୋନମାର୍ଗ, କାଶ୍ମୀରର ବହୁ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକଙ୍କ ପାଇଁ ଖୋଲିପାରିବ।
ଏଥିସହିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜମ୍ମୁ କାଶ୍ମୀରରେ ଏବେ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଚାଲିଛି। ଏସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୬ଟି ପ୍ରକଳ୍ପ ଜମ୍ମୁ କାଶ୍ମୀରର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ରୋଡ୍‌ ନେଟୱାର୍କକୁ ବଢ଼ାଇବା ଦ୍ବାରା ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ହେବ। ଲୋକଙ୍କୁ ଏହା ନିଯୁକ୍ତି ସୁଯୋଗ ଦେବା ସହିତ ଅର୍ଥନୀତିକୁ ସୁଦୃଢ଼ କରିବ। ଜୋଜିଲା ଟନେଲ ନିର୍ମାଣ ହେଲେ ଲେହ-ଲଦାଖ ସହିତ ଜମ୍ମୁ କାଶ୍ମୀରର ଶ୍ରୀନଗର ଏବଂ ଅବଶି‌ଷ୍ଟ ଭାରତକୁ ସବୁଦିନିଆ ରାସ୍ତା ଖୋଲିଯିବ। ଟନେଲ ଶେଷ ହେବା ଫଳରେ ବଲଟାଲ୍ ଏବଂ ମିନାମାର୍ଗ ମଧ୍ୟରେ ଦୂରତା ୪୦ କିମିରୁ ୧୩ କିମିକୁ ହ୍ରାସ ପାଇବ। ସେହିଭଳି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଯାତ୍ରା ସମୟ ମଧ୍ୟ ଦେଢ଼ ଘଣ୍ଟା କମିଯିବ।

ଜୋଜିଲା ଟନେଲର ଲମ୍ବ ୧୪.୧୫ କିଲୋମିଟର। ଥରେ ଏହା ସମାପ୍ତ ହେବା ପରେ ଏହା ଭାରତର ଲମ୍ବା ରୋଡ୍ ଟନେଲ୍ ଏବଂ ଏସିଆର ଦୁଇ ପାର୍ଶ୍ବ ଲମ୍ବା ଟନେଲ୍ ହେବ। ଜୋଜିଲା ଟନେଲ୍‌ର ଚଉଡ଼ା ୯.୫ ମିଟର ଏବଂ ଉଚ୍ଚତା ୭.୫୭ ମିଟର। ପାଖାପାଖି ୬ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ (ଏମଇଆଇଏଲ) ନିର୍ମାଣ କରୁଛି। ଟନେଲ ନିର୍ମାଣରେ ଅଷ୍ଟ୍ରେଲିଆ ବୈଷୟିକ କୌଶଳ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର