ବିଚାରପତିଙ୍କ ମାସକର ଦରମା ଅବସରପ୍ରାପ୍ତ ବିଚାରପତିଙ୍କ ୨ ଘଣ୍ଟାର ପାରିଶ୍ରମିକଠାରୁ କମ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତିମାନଙ୍କ ମାସିକ ଦରମା ଅଢ଼େଇ ଲକ୍ଷ ଟଙ୍କା। ଅର୍ଥାତ୍ ଦିନକୁ ସେମାନେ ପାଖାପାଖି ୮୩୩୩ ଟଙ୍କା ବେତନ ବାବଦରେ ପାଆନ୍ତି। କିନ୍ତୁ ଦିନକୁ ବିଚାରପତିମାନେ ପାଖାପାଖି ୪୦ଟି ମାମଲାର ଶୁଣାଣି କରନ୍ତି। ଅର୍ଥାତ୍ ସେମାନେ ଦିନକୁ ଗୋଟିଏ ମାମଲାର ବିଚାର ପାଇଁ ୨୦୮ ଟଙ୍କା ପାଆନ୍ତି। ତାହା ସାଧାରଣ ମାମଲା କିମ୍ବା ଗୁରୁତ୍ବପୂର୍ଣ୍ଣ ଜନସ୍ବାର୍ଥ ମାମଲା ବି ହୋଇପାରେ। କିନ୍ତୁ ଆଇନଜୀବୀ ଏବଂ ଅବସରପ୍ରାପ୍ତ ବିଚାରପତିଙ୍କ ପାରିଶ୍ରମିକଙ୍କ ସହିତ କାର୍ଯ୍ୟରତ ବିଚାରପତିଙ୍କ ଦରମା ଓ ପାରିଶ୍ରମିକଙ୍କୁ ତୁଳନା କଲେ ସେଥିରେ ଆକାଶ ପାତାଳର ପାର୍ଥକ୍ୟ ଦେଖିବାକୁ ମିଳେ। ସମାନ କାମକୁ ସମାନ ଦରମା ବୋଲି ଯାହା କୁହାଯାଉଛି ତାହାର ଉଦାହରଣ ପାଇବାକୁ ଅନ୍ୟ କେଉଁଠିକି ଯିବା ଦରକାର ନାହିଁ। ନ୍ୟାୟିକ ବ୍ୟବସ୍ଥାରେ ଥିବା ପାର୍ଥକ୍ୟରୁ ଏହାର ରୂପ ଦେଖିବାକୁ ମିଳିଯିବ।

ସୁପ୍ରିମ କୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ଗୋଟିଏ ମାମଲାର ଶୁଣାଣି ପାଇଁ ଅଦାଲତରେ ଯୁକ୍ତି ଉପସ୍ଥାପନା ପାଇଁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି। ତେବେ ଅଭିଷେକ ମନୁ ସିଂଘଭି, କପିଲ ସିବଲ, ମୁକୁଲ ରୋହତଗୀ ଓ ହରିଶ ସାଲଭେଙ୍କ ଭଳି ବରିଷ୍ଠ ଓ ଖ୍ୟାତନାମା ଓକିଲମାନେ ପ୍ରତି ଶୁଣାଣି ପିଛା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରିଥାନ୍ତି। ତେଣୁ ସୁପ୍ରିମ କୋର୍ଟରେ ମାମଲାର ରାୟ ଦେଉଥିବା ବିଚାରପତି ଗୋଟିଏ ମାମଲା ପାଇଁ ୨୦୮ ଟଙ୍କା ପାଉଥିବାବେଳେ ମାମଲାରେ ଜିତାପଟ ହେବ ବୋଲି ଗ୍ୟାରେଣ୍ଟି ଦେଇ ପାରୁ ନଥିବା ଆଇନଜୀବୀମାନେ ଶୁଣାଣି ପିଛା ଲକ୍ଷ ଲକ୍ଷ ଟଙ୍କା ନିଅନ୍ତି। ବିଚାରପତିଙ୍କ ଭଳି ଏମାନେ ଦିନକୁ ୪୦ଟି ମାମଲା ପାଇଁ ଲଢ଼ି ନଥାନ୍ତି। ତେଣୁ ଅଧିକ ରୋଜଗାର କରିବାର ସୁଯୋଗ ଅନେକ ବିଚାରପତିଙ୍କ ଅବସର ପରେ ଆସିଥାଏ। କାରଣ ଅବସର ପରେ ସେମାନେ ଆର୍ବିଟ୍ରେଟର ଭାବେ କାମ କରି ଆଇନଗତ ସେବା ଯୋଗାଇ ଦେଇ ବିପୁଳ ରୋଜଗାର କରିପାରିଥାନ୍ତି।

ବିଶେଷକରି ବହୁରାଷ୍ଟ୍ରୀୟ କମ୍ପାନି ପାଇଁ ସେମାନେ କାର୍ଯ୍ୟ କରିଥାନ୍ତି। ଜଣେ ଆର୍ବିଟ୍ରେଟର ଭାବେ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ୨ ଘଣ୍ଟା ପାଇଁ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ଯଦି ଜଣେ ଅବସରପ୍ରାପ୍ତ ବିଚାରପତି ଦିନକୁ ୩ଟି ସଂସ୍ଥାର ଆର୍ବିଟ୍ରେଟର ଭାବେ କାର୍ଯ୍ୟ କରନ୍ତି ତା’ହେଲେ ଜଣେ ଖ୍ୟାତନାମା ଆଇନଜୀବୀ ଯେତିକି ରୋଜଗାର କରିଥାନ୍ତି ତାହା ସହିତ ସେମାନଙ୍କର ରୋଜଗାର ସମାନ ହୋଇପାରିଥାଏ। ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତୁଳନାରେ ଅବସରପ୍ରାପ୍ତ ପ୍ରଧାନବିଚାରପତି ଆର୍ବିଟ୍ରେଟର ଭାବେ ଅଧିକ ରୋଜଗାର କରିପାରିଥାନ୍ତି।

ସମ୍ବନ୍ଧିତ ଖବର