ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ପୋତିଦେଲେ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଅତି ଅମାନୁଷିକ ଭାବେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ ଦୋଷ ଘୋଡ଼ାଇବାପାଇଁ ତାଙ୍କୁ ପୋତି ଦିଆଯାଇଛି। ପୁଲିସ୍‌ର ଛାନ୍‌ଭିନ୍‌ ପରେ ପ୍ରାୟ ୮ ଦିନ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଗତ ଗୁରୁବାର ଦିନ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏହି ଘଟଣା ଘଟିଥିଲା। ପୀଡ଼ିତା ନାବାଳିକା କ୍ଷେତରେ କାମ କରୁଥିବା ବେଳେ ଶୋଷ ଲାଗିବାରୁ ନିକଟରେ ଥିବା ଏକ ଘରୁ ପାଣି ମାଗିବାକୁ ଯାଇଥିଲେ। କିନ୍ତୁ ସେଠାରୁ ସେ ଆଉ ଫେରିନଥିଲେ। ବାପା ମା’ ଅନେକ ଖୋଜାଖୋଜି କରିବାପରେ ତାଙ୍କ ପତ୍ତା ମିଳିନଥିଲା। ଶେଷରେ ପୀଡ଼ିତାଙ୍କ ବାପା ପୁଲିସରେ ଏକ ନିଖୋଜ ମାମଲା ରୁଜୁ କଲେ। ପୀଡ଼ିତା ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ପ୍ରକୃତ ଘଟଣା ଜଣାପଡ଼ିଲା।

ସୂଚନାନୁଯାୟୀ, ପୀଡ଼ିତା ପାଣି ପିଇବାପାଇଁ ଯେଉଁ ଘରକୁ ଯାଇଥିଲେ ସେଠାରେ ହରେନ୍ଦ୍ର(୨୨) ନାମକ ଜଣେ ଯୁବକ ରହୁଥିଲା। ହରେନ୍ଦ୍ର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଘରେ ଗାତ ଖୋଳି ପୋତି ଦେଇଥିଲା। ୫ ଦିନ ପରେ ପୁଲିସ ହରେନ୍ଦ୍ର ଘରେ ପହଞ୍ଚିବାବେଳେ ତା’ ଘର ତାଲା ପଡ଼ିଥିଲା। ପୁଲିସ ତଦନ୍ତ ସଂପର୍କରେ ଜାଣିବା ପରେ ସେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିଲା। ଘରେ ଏକ ସ୍ଥାନରେ ଓଦା ମାଟି ଉପରେ ପୁଲିସର ପାଦ ପଡ଼ିବାରୁ ସନ୍ଦେହ ବଢ଼ିଥିଲା ଏବଂ ଖୋଳାଖୋଳି କରିବାପରେ ଉଲଗ୍ନ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ହରେନ୍ଦ୍ରଙ୍କୁ ପୁଲିସ ଶିମ୍‌ଲାରୁ ଗିରଫ କରିଛି ଏବଂ ଗତକାଲି ତାକୁ ୟୁପି ଆଣି ଜେରା କରାଯାଉଛି । ହରେନ୍ଦ୍ର ପୀଡ଼ିତାଙ୍କୁ ହତ୍ୟା କରି ପୋତିଥିବା ସ୍ବୀକାର କରିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର